ରକେଟ୍ ପରି ଉଠିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ

Published: Dec 14, 2022, 12:44 pm IST
Odisha Assembly

ଭୁବନେଶ୍ବର: ଓଡିଶାର ବିଧାୟକଙ୍କ ଦରମା ବୃଦ୍ଧି ପାଇବ। ତେବ ଏକ ଗୁଣା ନୁହେଁ କି ଦୁଇ ଗୁଣା, ଏକା ଥରେ ତିନିଗୁଣା ବୃଦ୍ଧି ପାଇବ। ଅର୍ଥାତ ରକେଟ ପରି ଉଠିବ ସେମାନଙ୍କର ମାସିକିଆ ଦରମା। ସେତିକି ନୁହେଁ ଯେଉଁମାନେ ପୂର୍ବତନ ବିଧାୟକ ଅଛନ୍ତି ସେମାନଙ୍କର ପେନସନ ମଧ୍ୟ ଉପରକୁ ଉଠିବ। ଏ ନେଇ ବାଚସ୍ପତିଙ୍କୁ ବିଧାୟକ ଦରମା ପରାମର୍ଶଦାତା କମିଟ ଏକ ରିପୋର୍ଟ ଦେଇଛି।

ଏହି କମିଟର ଅଧ୍ୟକ୍ଷ ଥିବା ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି କମିଟରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ତାରା ବାହୀନିପତି, ମକରନ୍ଦ ମୁଦୁଲି, ନୃସିଂହ ସାହୁ ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି। ସେମାନେ ଏକ ନିଷ୍ପତି କରି ଏହି ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

ତେବେ ବିଧାୟକ ଦରମା କେତେ ବୃଦ୍ଧି ଘଟିବ ସେ ନେଇ କମିଟ ସଦସ୍ୟ କେହି କିଛି କହି ନାହାଁନ୍ତି। ହେଲେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, କମିଟ ବିଧାୟକଙ୍କ ଦରମା ମାସିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି। ସେହିପରି ପୂର୍ବତନ ବିଧାୟକଙ୍କ ଦରମା ୯୦ ହଜାରକୁ ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି। ତେବେ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଏହି ସୁପାରିଶ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଦୃଷ୍ଟି ରଖି କରାଯାଇଛି।

ବର୍ତ୍ତମାନ ଓଡିଶାର ବିଧାୟକମାନେ ମାସିକ ୯୯ ହଜାର ଟଙ୍କା ଦରମା ପାଉଛନ୍ତି। ଏଥିରେ ମୂଳ ଦରମା ବାବଦକୁ ୩୫ ହଜାର ଟଙ୍କା, ଯାତାୟତ ପାଇଁ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ବିଲ ୫ ହଜାର ଓ ଅନ୍ୟାନ୍ୟ ବାବଦକୁ ମୋଟ ୯୯ ହଜାର ପାଉଛନ୍ତି।

ସେହିପରି ପୂର୍ବତନ ବିଧାୟକମାନେ ବର୍ତ୍ତମାନ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପେନସନ ପାଉଛନ୍ତି। ଏହି ପେନସନ ଗତ ୨୦୧୭ ମସିହାରେ ବର୍ଦ୍ଧିତ କରାଯାଇଥିଲା। ତେବେ ଏତିକି ଟଙ୍କାର ସେମାନେ ଚଳିପାରିବେ ନାହିଁ ବୋଲି ଅନୁଭବ କରି କମିଟ ଏହାକୁ ବୃଦ୍ଧି ପାଇଁ ମଧ୍ୟ ସୁପାରିଶ କରିଛନ୍ତି।

ତେବେ କମିଟ କେତେ ଟଙ୍କା ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ତାହା କେହି କହି ନାହିଁନ୍ତି। ହେଲେ ସେମାନଙ୍କର ପେନସନ ପ୍ରାୟ ୯୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ଏଥିରେ କମିଟ ସେମାନଙ୍କର ମେଡିକାଲ, ଯାତାୟତ ପରି ବିଭିନ୍ନ ଭତ୍ତା ବୃଦ୍ଧି କରିବା ପାଇଁ ପରାମର୍ଶଦାତା କମିଟ ସୁପାରିଶ କରିଛି।

ଗତ ବଜେଟ ଅଧିବେସନର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦାବୀ ହୋଇଥିଲା। ଏହି ଦାବୀକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟ ଗଠନ କରିଛନ୍ତି। ସେହି କମିଟ ତାହାର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଅନୁଧ୍ୟାନ କରିବା ପରେ ତାହାକୁ ଅର୍ଥ ବିଭାଗକୁ ପଠାଇବେ। ଅର୍ଥ ବିଭାଗର ଅନୁମୋଦନ ଆସିବା ପରେ ତାହା ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ।

Related posts