ବହୁତ ଦିନ ପରେ ମୁହଁ ଖୋଲିଲେ ଚିଲିକା ବିଧାୟକ: ପୂର୍ବତନ ବିଧାୟକଙ୍କୁ କଲେ କଡା ସମାଲୋଚନା

Published: Jan 14, 2023, 4:47 pm IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବହୁତ ଦିନ ପରେ ସେ ଆଜି ମୁହଁ ଖୋଲିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ କରିବାକୁ ଆସିବା ବେଳେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ମୁଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଷଡଯନ୍ତ୍ର ଶିକାର ହୋଇଛି। ଯାହା ଯୋଗୁଁ ମୁଁ ଦଳରୁ ନିଲମ୍ବିତ ହୋଇଛି। ହେଲେ ମୋ ଉପରୁ ନିଲମ୍ବନ ଉଠିବ। ମତେ ବିଜେଡି ରୁ ପୁଣି ଟିକେଟ ମିଳିବ ଓ ମୁଁ ନିର୍ବାଚନ ଜିତିବି।”

ସେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକ ହେବାପାଇ ଜାଣିଶୁଣି ମୋ ବିରୁଦ୍ଧରେ ରଘୁନାଥ ସାହୁ ଷଡଯନ୍ତ୍ର କରିଥିଲେ। ରଘୁ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଷ୍ଟୋରେଜ ଏଜେଣ୍ଟ ଥିଲେ ଏବଂ ଚାଉଳ ଚୋରି କରି ବିକୁଥିଲେ। ସେହିପରି ପାମ ଅଏଲ ଯୋଗାଣ କରୁଥିବା ବେଳେ ତେଲ ଚୋରି କରୁଥିବା ବିଧାୟକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରଘୁ କାଠ ଚୋରି ଓ ଚୋରା ମଦ କାରବାରରେ ସମ୍ପୃକ୍ତି ଥିଲେ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରଘୁ ନାଥ ସାହୁ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ତେଣୁ ପାଗଳର ପ୍ରଳାପ ପରି ସେ ବିଧାୟକ, ସାଂସଦ, ଜିଲ୍ଲା ସଭାପତିଙ୍କୁ ଅଯୋଗ୍ୟ ବୋଲି କହୁଛନ୍ତି। ସେ ସୈତାନ ହୋଇ ତାଙ୍କ ଗୋଦମରେ ବେଦ ପାଠ କରୁଛନ୍ତି। ସେ କଂଗ୍ରେସ ଦଳରୁ ଆସି ଆମ ଦଳରେ ମିଶିଥିବା ବେଳେ ନିଜକୁ ବିଜୁ ଜନତା ଦଳର ବରିଷ୍ଠ ନେତା ବୋଲି କହୁଛନ୍ତି।

ଏହି ସମୟରେ ଚିଲିକା ବିଧାୟକ କହିଛନ୍ତି ଯେ, ଯେତେବେଳେ ମୁଁ ଚିଲିକା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ଯାଇଥିଲି, ସେତେବେଳେ ପୂର୍ବତନ ବିଧାୟକ ହିସାବରେ ରଘୁନାଥ ସାହୁଙ୍କର ବହୁତ ସ୍ଵପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ସମ୍ମୁଖରେ ଚିଲିକାରେ ବହୁତ କିଛି କାମ କରିବାର ବାକି ଅଛି ବୋଲି ସେ କହିଥିଲେ। ତେଣୁ ମୁଁ ତାଙ୍କୁ ରାମଚନ୍ଦ୍ର ହୋଇ ପାଖରେ ରହିବାକୁ କହିଥିଲି ଏବଂ ମୁଁ ହନୁମାନ ହୋଇ ବିକାଶର ସେତୁ ବାନ୍ଧିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲି। ହେଲେ ସେ ରାମ ପରିବର୍ତ୍ତେ ରାବଣ ହୋଇଗଲେ, ଆଉ ମୁଁ ହନୁମାନ ହୋଇ ତାଙ୍କ ଲଙ୍କା ପୁରୀକୁ ଧ୍ଵଂସ କରିଦେଲି। ବର୍ତ୍ତମାନ ତାଙ୍କ ସଂଗଠନ ମୋ ହାତରେ ଏବଂ ତାଙ୍କର ସଂଗଠନ ଭାଙ୍ଗିଯାଇଛି।

ପ୍ରଶାନ୍ତ କହିଛନ୍ତି ଯେ, ଯେଉଁଭଳି ଭାବେ ଷଡଯନ୍ତ୍ର କରି ମୋ ଉପରେ ଆକ୍ରମଣ କରାଯାଇଛି ଏବଂ ମୋ ଦେହରୁ ୨ ଲିଟର ରକ୍ତ ଯାଇଛି, ପାଇକ ପୁଅର ରକ୍ତ କେବେ ବ୍ୟର୍ଥ ଯିବ ନାହିଁ।

Related posts