ଆରମ୍ଭ ହେଲା ପଶ୍ଚିମ ଓଡ଼ିଶା କୃଷି ମେଳା-୨୦୨୩

Published: Jan 28, 2023, 7:30 am IST

ଭୁବନେଶ୍ବର: କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଶ୍ଚିମ ଓଡ଼ିଶା କୃଷିମେଳାର ଉଦ୍‌ଘାଟନୀ ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୃଷି ଓ କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଂପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।

ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଓ ‘ବଳରାମ’ ଯୋଜନା ଏବଂ ମଲେଟ୍‌ ମିଶନ ପରି ଯୋଜନା ପ୍ରଣୟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ମୂଲ୍ୟବାନ ଅବଦାନ ଯୋଗୁ ଓଡ଼ିଶାକୁ ନିୟମିତ ବ୍ୟବଧାନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ପ୍ରତି ଦୃଷ୍ଟିଭଙ୍ଗୀ କେନ୍ଦ୍ରୀଭୂତ କରାଯାଇଛି । ବିଗତ ୨୦ ବର୍ଷରେ ରାଜ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ମାଛ, ପ୍ରାଣୀପାଳନ ଓ ଅଣ୍ଡା ଉତ୍ପାଦନରେ ପ୍ରାୟ ଆତ୍ମନିର୍ଭର ହୋଇପାରିଛି । ୨୦୦୦-୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫.୩୫ ଲକ୍ଷ ମେଟି୍ରକ୍‌ ଟନରୁ ୧୬୦ ପ୍ରତିଶତ ବୃଦ୍ଧି ପାଇ ୨୦୨-୨୧ ବର୍ଷରେ ୧୩୦.୨୯ ଲକ୍ଷ ମେଟି୍ରକ୍‌ ଟନରେ ପହଞ୍ଚିଛି ।

ସେହିପରି ତୈଳବୀଜ ୫୮ ପ୍ରତିଶତ, ଡାଲିଜାତୀୟ ଶସ୍ୟ ୬୬ ପ୍ରତିଶତ ଏବଂ ପନିପରିବା ଉତ୍ପାଦନ ୬୭ ପ୍ରତିଶତ ବୃଦ୍ଧି ପାଇଛି । ମାଛ ଉତ୍ପାଦନ ଗତ ୨୦ ବର୍ଷରେ ୯ ଲକ୍ଷ ୯୦ ହଜାର ମେଟି୍ରକ୍‌ ଟନକୁ ବୃଦ୍ଧି ପାଇଛି । ଦେଶରେ ମାଛ ଉତ୍ପାଦନରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟ ସରକାର ଚାଷ ଜମି ଉପରେ ବନ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଏବଂ ପଶ୍ଚିମ ଓଡ଼ିଶା ଏଥିରୁ ବହୁଳ ଭାବେ ଲାଭବାନ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ କୃଷକ ମେଳା ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ କୃଷି ମେଳା ସମ୍ବଲପୁରଠାରେ ଆୟୋଜିତ ହେଉଛି ।

ରାଜ୍ୟ ଅର୍ଥନୀତିର ୨୦ ପ୍ରତିଶତ କୃଷି କ୍ଷେତ୍ରର ଅବଦାନ । ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷକମାନଙ୍କର ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଅଧିକ ବ୍ୟବସାୟିକରଣ ଏବଂ ବଜାର ସଂଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ତି୍ରପାଠୀ କହିଥିଲେ ।

ଏଥି ସହିତ ସେମାନେ କୃଷି କ୍ଷେତ୍ରରେ ଉଦ୍ୟମିତାକୁ ଆପଣାଇବାର ଆବଶ୍ୟକତା ରହିଛି । କୃଷକ ସମାଜର ଅନେକ ଯୁବକ କୃଷି ବ୍ୟବସାୟ ପ୍ରତି ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ରାଜ୍ୟ ସରକାର ଯନ୍ତ୍ରପାତି କ୍ରୟରେ ୭୫ ପ୍ରତିଶତ ସବ୍‌ସିଡ଼ି ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀମତୀ କୁମୁଦିନୀ ନାୟକଙ୍କ ସମେତ ବହୁ ଚାଷୀ ଏବଂ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେଇଥିଲେ ।

କୃଷି ମେଳାରେ କୃଷି ଯନ୍ତ୍ରପାତି, ମିଲେଟସ୍‌, ହସ୍ତତନ୍ତ, ହସ୍ତଶିଳ୍ପର ୧୦୦ରୁ ଊଦ୍ଧ୍ୱର୍ ଷ୍ଟଲ ଖୋଲାଯାଇଛି । ଏଥି ସହିତ ଭାରି ଯନ୍ତ୍ରପାତିର କାର୍ଯ୍ୟକାରିତାର ଲାଇଭ ପ୍ରଦର୍ଶନ କରାଯାଉଛି । ଉତ୍ସବରେ ପଶ୍ଚିମ ଓଡ଼ିଶାର ୫ ଜଣ ଅଗ୍ରଣୀ ଚାଷୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଗ୍ରଣୀ ଚାଷୀଙ୍କୁ କମ୍ବାଇନ୍‌ ହାରଭେଷ୍ଟର, ଟ୍ରାକଫର ଏବଂ ମୁଢ଼ି ତିଆରି ମେସିନ୍‌ର ଚାବି ହସ୍ତାନ୍ତର କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ୫ ଦିନିଆ କର୍ମଶାଳାରେ ଧାନଭିତ୍ତିକ ଫସଲ ପଦ୍ଧତିର ପୁନରୁଦ୍ଧାର, ଉଦ୍ୟାନ କୃଷି ମାଧ୍ୟମରେ ଚାଷୀଙ୍କ ଆୟବୃଦ୍ଧି, ଜଳବାୟୁ ସହନଶୀଳ କୃଷିକାର୍ଯ୍ୟ, କୃଷିଜାତ ଦ୍ରବ୍ୟର ରପ୍ତାନୀକୁ ପ୍ରୋତ୍ସାହନ, ମତ୍ସ୍ୟଚାଷ ଦ୍ୱାରା ଆୟବୃଦ୍ଧି, ପ୍ରାଣୀପାଳନ ମାଧ୍ୟମରେ ଆୟବୃଦ୍ଧି, ଏଗ୍ରିବିଜିନେସ୍‌-ସମୃଦ୍ଧ କୃଷି ଉଦ୍ୟୋଗ ଆଦି ସ୍ଥାନ ପାଇଛି ।

କୃଷି ଯାନ୍ତ୍ରିକୀକରଣରେ ମହିଳାମାନଙ୍କର ଅଂଶଗ୍ରହଣ, କେଜ କଲଚର ଓ ବାୟୋଫ୍ଲକ୍‌ ମାଧ୍ୟମରେ ମତ୍ସ୍ୟଚାଷ, ସମନ୍ୱିତ କୃଷି ବ୍ୟବସ୍ଥା, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ, ମିଲେଟ୍‌ ଚାଷର ଉପକାରିତା ଓ ସୁବିଧାସୁଯୋଗ, ଅଣଋତୁରେ ପନିପରିବା ଚାଷ ଏବଂ ବିଦେଶୀ ଫଳ ଚାଷର ସମସ୍ୟା ଓ ସମ୍ଭାବନା, ଅଣୁ ଜଳସେଚନ ଏବଂ ସଂରକ୍ଷିତ ଚାଷର ଉପଯୋଗିତା ଓ ଆହ୍ୱାନ ଆଦି ପ୍ରସଙ୍ଗରେ କୃଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Related posts