କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

Published: Feb 8, 2023, 12:16 pm IST

ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବର୍ତ୍ତମାନ ଏହା ସତ ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି।

ଏଥିପାଇଁ ଓଡିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ଏହାଦ୍ବାରା ଓଡିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି।

ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ସେ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଏ ନେଇ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇସାରିଛି।

Related posts