
ଭୁବନେଶ୍ୱର: ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।
ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ। ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି।
ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ।
ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ‘ଜୀବନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ମୁଁ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲି। ଯୋଗ ସହିତ ଯୁକ୍ତ ହେବା ପରେ ଧୀରେ ଧୀରେ ମୁଁ ଶାରୀରିକ ଓ ମାନସିକ ଦୁର୍ବଳତାରୁ ମୁକ୍ତ ହେଲି । ମୋ ଭିତରେ ପୁନର୍ବାର ଜୀବନ ପ୍ରତି ଆସ୍ଥା ଓ ଆଶା ସଞ୍ଚରିତ ହେଲା।’
ସେହିପରି ସେ କହିଥିଲେ ଯେ, ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।