Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ଧାନବିଲର ଖସ ଖସ ଶୁଣିବାକୁ ଏତେ ଡର ବା ଏତେ ସଙ୍କୋଚ କାହିଁକି?
ବିଶେଷ ଖବର

ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ଧାନବିଲର ଖସ ଖସ ଶୁଣିବାକୁ ଏତେ ଡର ବା ଏତେ ସଙ୍କୋଚ କାହିଁକି?

May 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mission Shakti woman now BJD MP
Mission Shakti woman now BJD MP

କେଦାର ମିଶ୍ର

ଶିକ୍ଷିତ ଓଡିଶାଙ୍କୁ ବିଶୁଦ୍ଧ ବା ଦେଶୀ ଓଡିଆ ଶୁଣିବାକୁ ଏତେ ଡର ଲାଗୁଛି କାହିଁକି? ଲୋକସଭା ଗଲେ ସେଠି କେବଳ ଇଂରାଜୀ ଓ ହିନ୍ଦୀରେ କହିଲେ ଯାଇ ମହତ ରହିବ ବୋଲି ଆମ ତଥାକଥିତ ସମ୍ଭ୍ରାନ୍ତମାନଙ୍କୁ କିଏ ଶିଖେଇଛି? “ଧାନ ବିଲ ଖସ ଖସ ଲୋ ବଉଳ” ଗୀତ ଶୁଣି କାହାକୁ ଏତେ ଲାଜ ଲାଗୁଛି? ଏଇ ତିନୋଟି ପ୍ରଶ୍ନ ଓଡିଶାର ସାମାଜିକ ଜୀବନରେ ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ। ଆସ୍କା ଲୋକସଭା ଆସନରୁ ବିଜୁ ଜନତା ଦଳର ଟିକଟ ପାଇ ନିର୍ବାଚନ ଲଢିବା ପରଠାରୁ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କୁ ସୋସିଆଲ ମିଡିଆରେ ଯେଉଁ ଭାଷାରେ ଗାଳି ଓ ଭର୍ତ୍ସନା କରାଯାଉଛି, ସେଥିରୁ ଆମର ମାନସିକ ଓ ରାଜନୈତିକ ଦେବାଳିଆପଣର ସୂଚନା ମିଳିଯାଉଛି। ଗୋଟେ ସମାଜ ଭାବରେ ଆମେ ଆଜି ମଧ୍ୟ ଶିକ୍ଷାର ଅସଲ ଚେହେରା ବିଷୟରେ ଯେ ଅଜ୍ଞ, ସେକଥା ଆମକୁ ପ୍ରମିଳା ମାଉସୀ ଆଙ୍ଗୁଠି ଗେଞ୍ଜି ଦେଖେଇଦେଇଛନ୍ତି। ନିର୍ବାଚନରେ ଟିକଟ ପାଇବାଠୁ ଆରମ୍ଭ କରି ସବୁଠୁ ଅଧିକ ଭୋଟ ପାଇ ବିଜୟୀ ହେବାର ଲମ୍ବା ରାସ୍ତାରେ ତାଙ୍କୁ ଆମର ସୋସିଆଲ ମିଡିଆର ଅସାମାଜିକ ପ୍ରାଣୀମାନେ ପ୍ରତି ଦିନ ଗାଳି କରିଚାଲିଛନ୍ତି। ତାଙ୍କର ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅବାଞ୍ଛିତ ପ୍ରଶ୍ନ ସବୁ ଉଠାଉଛନ୍ତି। ତେବେ ସେମାନଙ୍କ ଗାଳି ବା ପ୍ରଶ୍ନ ସହିତ ପ୍ରମିଳା ବିଷୋୟୀଙ୍କର ସମ୍ପର୍କ ଇ ନାହିଁ। ଫେସବୁକ ରେ କିଏ କଣ ଲେଖିଲା ସେକଥା ପ୍ରମିଳା ବିଷୋୟୀଙ୍କ ପରି ସଂଗ୍ରାମୀ ମହିଳା ଜାଣିବାର ଇଚ୍ଛା ଇ ରଖନ୍ତି ନାଇଁ।

ତେବେ ପ୍ରମିଳା ମାଉସୀଙ୍କ ଉପରେ ପ୍ରଶ୍ନ ଚିହ୍ନ ସବୁ କଣ? ପ୍ରଥମ ପ୍ରଶ୍ନ ହେଲା,  ତାଙ୍କ କଥା ଲୋକସଭାରେ କେହି ବୁଝିପାରିବେ ନାହିଁ କି ସେ କାହା କଥା ବୁଝି ପାରିବେ ନାହିଁ, ତ ସେ ସେଠି କରିବେ କଣ? ଏହାର ଉତ୍ତର ହେବ- ଲୋକସଭାର ଅର୍ଥ ଲୋକଙ୍କର ସଭା ନା ଇଂରାଜୀ ଓ ହିନ୍ଦୀ ପଢୁଆ ଲୋକଙ୍କର ସଭା? ଲୋକସଭାରେ ମାତ୍ର ଦୁଇଟି ଭାଷା ପ୍ରଚଳିତ ବୋଲି କିଏ କହିଲା? ଏ ଦେଶର ମୁଦ୍ରାରେ କେତୋଟି ଭାଷା ଅଙ୍କିତ ଅଛି, ସେ କଥା କେହି ଦେଖି ନାହାନ୍ତି କି? ପ୍ରମିଳା ମାଉସୀଙ୍କ ଓଡିଆଟି ଅତି ପ୍ରାଞ୍ଜଳ। ତାଙ୍କ ପରି ଓଡିଆ କହୁଥିବା କେତେ ଓଡିଆ ଏବେ ରାଜନୀତିରେ ଅଛନ୍ତି? ମୋତେ ମଜା ଲାଗିଲା, ତାଙ୍କୁ ଯେତେବେଳେ ଜଣେ ସାମ୍ବାଦିକ ପଚାରୁଛନ୍ତି- ମାଉସୀ ଆପଣଙ୍କ ଲାଇଫ ଜର୍ଣ୍ଣୀ ବିଷୟରେ କିଛି କୁହନ୍ତୁ। ସେଠି ପ୍ରମିଳା ମାଉସୀ ବଡ ସୁନ୍ଦର ଉତ୍ତର ରଖିଲେ। କାଇଁ କହିଲେନି ତ, ଲାଇଫ ମାନେ କଣ? ଜର୍ଣ୍ଣୀ ମାନେ କଣ?

ଦ୍ଵିତୀୟ ପ୍ରଶ୍ନଟି ତାଙ୍କ ଦକ୍ଷତାକୁ ନେଇ। ଦକ୍ଷତା ମାନେ କଣ? ସ୍କୁଲ ଆଉ କଲେଜକୁ ଯାଇ ପ୍ରମାଣପତ୍ର ଆଣିବା? ଗାଁ ରେ ଜଳସେଚନର ସୁବିଧା ଓ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାର ସଂଘର୍ଷ କଣ ଦକ୍ଷତା ନୁହେଁ? ଚେରମାରିଆ ଗାଁରେ ସେ କେତେ ମୟୁରଙ୍କୁ ବଞ୍ଚେଇଛନ୍ତି ଓ କେତେ ହଜାର ଗଛ ବଢାଇଛନ୍ତି, ତାହା କଣ ଦକ୍ଷତାର ପ୍ରମାଣ ନୁହେଁ? ହଜାର ହଜାର ମହିଳାଙ୍କୁ ସଂଗଠିତ କରି ସେମାନଙ୍କୁ ଆର୍ଥିକ ଭାବରେ ସ୍ବାବଲମ୍ବୀ କରିବାର ସଙ୍ଘର୍ଷଠୁ ବଳି ବଡ ଦକ୍ଷତା ଆଉ କିଛି ଅଛି କି?

ତୃତୀୟ କଥାଟି ହେଲା, ସେ କଣ ଲୋକସଭାରେ “ଧାନବିଲ ଖସ ଖସ ଲୋ ବଉଳ” ଗୀତ ଗାଇବେ କହୁଛନ୍ତି, କି ଲାଜ କଥା! ହୋ ବାବୁ ଓ ବାବୁଆଣୀମାନେ! ଲୋକ ଗୀତ ଶୁଣିବାକୁ ଲାଜ ଲାଗୁଛି ଯଦି କାନ ବନ୍ଦ କରିକି ରୁହ। ଜଣେ ଆଶୁ କବି ତା ଗୀତ ଲୋକସଭାରେ ଗାଇବ ନାହିଁ କାହିଁକି? ପ୍ରଧାନମନ୍ତ୍ରୀ କବିତା ପଢିଲେ ପରା ତମେ ସବୁ ଗଦ ଗଦ ହୋଇ ଗଡି ଯାଉଛ। ଲୋକ କବି ପ୍ରମିଳା ବିଷୋୟୀ ଗୀତ ଗାଇବି କହିଲେ ତମକୁ ଲାଜ ଲାଗୁଛି କାହିଁକି?ଭାରତୀୟ ଜୀବନ ଓ ରାଜନୀତିରେ ଗୀତ ଏବଂ କବିତା ପ୍ରାଣ ସ୍ପନ୍ଦନ ଭରିଛି।ଯେଉଁ ଦିନ ପ୍ରମିଳା ବିଷୋୟୀ ଲୋକସଭାରେ “ଧାନ ବିଲ ଖସ ଖସ” ଗୀତ ଗାଇବେ, ସେଦିନ ଜଣେ ଓଡିଆ ଭାବରେ ମୁଁ ସବୁଠୁ ବେଶୀ ଗର୍ବିତ ହେବି। ଏ ଦେଶର ଲୋକସଭାରେ ମୋ ଧାନବିଲର ସ୍ଵର ଶୁଭିବା ନିହାତି ଜରୁରୀ।

ଦୁଇ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ଜଣେ ସାଂସଦଙ୍କୁ ସୋସିଆଲ ମିଡିଆର ଦୁଇ ଟଙ୍କିଆ ଟ୍ରୋଲ ମାନେ ଗାଳି କଲେ ଅବଶ୍ୟ କାହାର କିଛି ହେବାର ନାହିଁ। ଏମିତିରେ ବି ସୋସିଆଲ ମିଡିଆ ଆମ ସମୟର ସବୁଠୁ ବଡ ଅସାମାଜିକ ଆବର୍ଜନା କୁଣ୍ଡ ହୋଇ ସାରିଛି। ସେଠିକାର ଆଲୋଚନାକୁ ଅଧିକ ଗୁରୁତ୍ଵ ଦେବାର କୌଣସି କାରଣ ନାଇଁ। ପ୍ରମିଳା ବିଷୋୟୀ ଆମ ଲୋକତନ୍ତ୍ରର ସବୁଠୁ ପଛଧାଡିରେ ଠିଆ ହୋଇଥିବା ମଣିଷର ପ୍ରତିନିଧି। ସେ ସବୁଠୁ ଦକ୍ଷ ଓ ବିଜ୍ଞ ଓଡିଆ ବୋଲି କହିବାରେ ଯାହାକୁ ଲାଜ ଲାଗୁଛି, ସେମାନେ ନିଜେ ନିଜକୁ ପଚାରନ୍ତୁ, କେବେ ଥରେ ଶହ ଶହ କ୍ୟାମେରାକୁ ସାମ୍ନା କରି ଏମିତି ସ୍ପଷ୍ଟ ଓ ସୁନ୍ଦର ଓଡିଆରେ କହିପାରିବେ ?

Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ

August 16, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026
Latest News

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ

August 16, 2026

ଟିଏମ୍‌ସି ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

August 16, 2026

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.