ଚୌଦ୍ବାର ଜେଲରେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ, କେମିତି ହୋଇଛି ସୁରକ୍ଷା ?

Published: Feb 15, 2023, 11:34 am IST
Gopal Das

କଟକ: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସ୍ଥାନାନ୍ତରିତ କରାଯାଇଛି। ତାକୁ ଝାରସୁଗୁଡା ଉପକାରାଗାରରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ରାତିରେ ଗୋପାଳକୁ ଏକ ସ୍ବତନ୍ତ୍ର ସୁରକ୍ଷା ଦଳ ସହିତ ଏହି ସ୍ଥାନାନ୍ତରିତ ପକ୍ରିୟା କରାଯାଇଥିଲା।

ଗୋପାଳ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବାରୁ ସେ ଝାରସୁଗୁଡା ଉପକାରାଗାରରେ ସୁରକ୍ଷିତ ମନେ କରି ନ ଥିଲା।  ଫଳରେ ଜେଲ ବିଭାଗ ମାଧ୍ୟମରେ ସ୍ଥାନାନ୍ତରିତ କରିବା ପାଇଁ ସେ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଗତକାଲି ଅନୁମତି ଦେବା ପରେ ତାକୁ କଡା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନାନ୍ତିତ କରାଯାଇଛି।

ଗୋପାଳ ବର୍ତ୍ତମାନ ଚୌଦ୍ବାର ଜେଲର ସେଲ ନମ୍ବର 3 ରେ ରଖାଯାଇଛି। ତାକୁ ଚୌଦ୍ବାର ଜେଲ ଭିତରକୁ ଯିବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଜଣିଆ ଡାକ୍ତରୀ ଦଳ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରି ଠିକ ଥିବାର କହିବା ପରେ ଜେଲକୁ ନିଆଯାଇଥିଲା। ସେ ତିନି ନମ୍ବର ସେଲରେ ଏକା ରହିବ। କେବଳ କେହି ସାକ୍ଷାତ କରିବାକୁ ଆସିଲେ ତାକୁ ସେଲରୁ ବାହାର କରାଯିବ।

ଏହି ସେଲରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ସେଠାରେ ସିସି କ୍ୟାମେରା ଚବିଶ ଘଣ୍ଟା ଲାଗି ରହିବ। ଯାହାକୁ ଜେଲ ଅଧିକ୍ଷକ ନୀରିକ୍ଷଣ କରିବେ। ସେହିପରି ସେଲ୍ ସମ୍ମୁଖରେ ଆଠ ଘଣ୍ଟିଆ ଡିୟୁଟି ରେ ତିନୋଟି ସିଫ୍ଟରେ ଜେଲ ଅଧିକାରୀ ଜଗି ରହିବେ। ପ୍ରତି ପର୍ଯ୍ୟାୟରେ ଜଣେ ଏଏସଆଇ ଅଧିକାରୀ ତାହାର ସୁରକ୍ଷା ଅନୁଧ୍ୟାନ କରିବାକୁ ବନ୍ଦୋବସ୍ତ କରାଯାଇଛି।

ପ୍ରତି ପର୍ଯ୍ୟାୟର ଅଧିକାରୀ ଗୋପାଳର ହାବଭାବ ଏବଂ ମାନସିକ ସ୍ଥିତି ସଂପର୍କରେ ଜେଲ ଅଧିକ୍ଷକଙ୍କୁ ରିପୋର୍ଟ ଦେବେ। ସେହି ରିପୋର୍ଟ ଜେଲ ଅଧିକ୍ଷକ ଡିଜିଙ୍କୁ ଅବଗତ କରାଇବେ ବୋଲି ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତିଦିନ ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇ ରିପୋର୍ଟ ପ୍ରଦାନ କରାଯିବ।

ତେବେ ତାହାର ମାମଲା ପାଇଁ ତାକୁ ବାରମ୍ବାର ଝାରସୁଗୁଡା ଜେଏମଏଫସି କୋର୍ଟକୁ ନେବା ଆଣିବା କରିବାକୁ ପଡିବ ନାହିଁ। ତାର ମାମଲା ପରିଚାଳନା ପାଇଁ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ହାଜର ହେବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେ ଚୌଦ୍ବାର ଜେଲରେ ରହି ମାମଲା ପାଇଁ ହାଜର ହେବ।

Related posts