ଆଜି ପଦମପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜନସଭାକୁ ଦେବେ ଉଦବୋଧନ

Published: Feb 19, 2023, 9:15 am IST
Naveen

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଗସ୍ତ କରିବେ। ନିକଟରେ ପଦମପୁର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେତେବେଳେ ସେ ନିର୍ବାଚନ ରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହାର ପୁରଣ ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଦିନ ୧୧ଟାରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚବେ। ସେଠାରୁ ସେ ହେଲିକ୍ୟାପ୍ଟର ଯୋଗେ ଯାଇ ୧୧ଟା ୨୫ରେ ଝାରବନ୍ଧ ବ୍ଲକ ଶକ୍ତି ଛକ ହେଲିପ୍ୟାଡ୍‌ରେ ପହଞ୍ଚବେ। ସେଠାରୁ ସେ ସଭାସ୍ଥଳକୁ ଯିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଝାରବନ୍ଧରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାଇକମାଳ ବ୍ଲକ ଗସ୍ତ କରିବେ। ୧୨ଟା ୩୦ ମିନିଟ୍‌ରେ ପାଇକମାଳ ଏମ୍‌ଇ ସ୍କୁଲ ପଡିଆରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚବେ ସେଠାକାର କାର୍ଯ୍ୟକ୍ରମରେ ଯୋଗଦେବେ। ପାଇକମାଳରେ ମିଶନ ଶକ୍ତି ମହିଳାମାନଙ୍କୁ ଚେକ୍‌ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ପାଇକମାଳରେ ୧ଟା ୧୦ମିନିଟ୍‌ରେ କାର୍ଯ୍ୟକ୍ରମ ଶେଷ ହେବ।

୧ଟା ୪୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଆର. ଏଲ. କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ପହଞ୍ଚି ସେଠାରୁ ପଦ୍ମପୁର ପିଡବ୍ଲ୍ୟୁଡି ଆଇବିକୁ ଯିବେ। ଅପରାହ୍ନ ୩ଟା ୪୫ ମିନିଟ୍‌ରେ ସେ ପଦ୍ମପୁର ହାଇସ୍କୁଲ ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

ପଦ୍ମପୁରରେ ମଧ୍ୟ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅପରାହ୍ନ ୪ଟା ୩୦ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ଏହି ଗସ୍ତ ସମୟରେ ନବୀନ ତିନୋଟି ଜନସଭାକୁ ଉଦବୋଧନ ଦେବା ସହିତ ପଦମପୁର ଜିଲ୍ଲା ଘୋଷଣା କରିବାର ମଧ୍ୟ ସମ୍ଭାବନା ରହିଛି।

Related posts