ଆରମ୍ଭ ହେଲା ବିଧାନସଭା, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ

Published: Feb 21, 2023, 11:40 am IST
Assembly

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେସନ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ବାଚସ୍ପତି ରାଜ୍ୟପାଳଙ୍କୁ ଗୃହ ଭିତରକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଗୃହ ଭିତରେ ପହଞ୍ଚିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ପ୍ରଥମେ ଦିବଂଗନ୍ତ ନେତାଙ୍କ ସ୍ମୃତି ଚାରଣ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପ୍ରଥମେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣରେ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ।

ଏହାପରେ ବିରୋଧୀ ବିଜେପି ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲା। ବିଜେପି ସଦସ୍ୟମାନେ ରାଜ୍ୟପାଳ ଅଭିଭାଷଣଙ୍କୁ ବିରୋଧ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ସେମାନେ ହଟ୍ଟଗୋଳ କରିଥିଲେ। ଉଭୟ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ବହୁ ସମୟ ଧରି ହଟ୍ଟଗୋଳ କରିଥିଲେ। ଏହାର କିଛି ସମୟ ପରେ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରିଥିଲେ।

ମୁଖ୍ୟତଃ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଏହି ଆନ୍ଦୋଳନ କରିଛି। ସମସ୍ତ ବିଜେପି ବିଧାୟକ କକ୍ଷତ୍ୟାଗ କରିବା ପରେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ସେମାନେ ଧାରଣାରେ ବସି ରହିଛନ୍ତି।

Related posts