ନବ ଦାସ ହତ୍ୟାକାଣ୍ଡ: ବିଜେପି କହିଲା ସିବିଆଇ, ନବୀନ କହିଲେ ଏଫବିଆଇ ତଦନ୍ତ ହେବ

Published: Feb 22, 2023, 1:26 pm IST

ଭୁବନେଶ୍ବର: ଆଜି ନବ ଦାସ ହତ୍ୟାକାଣ୍ଡ ସଂପର୍କରେ ଗୃହରେ ବିବୃତି ରଖିଛନ୍ତି ନବୀନ ପଟ୍ଟନାୟକ। ସେ ତାଙ୍କର ଭାଷଣରେ ବିରୋଧ ବିଜେପିକୁ କଡା ସମାଲୋଚନା କରିଛନ୍ତି। ଗତକାଲିଠାରୁ ଗୃହରେ ବିରୋଧୀ ବିଜେପି ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କରୁଥିଲେ। ହେଲେ ଆଜି ନବୀନ ଯେଉଁ ବିବୃତି ରଖିଲେ ସେଥିରେ ବିଜେପିର ମୁଣ୍ଡ ବିନ୍ଧା ହୋଇଯାଇଛି।

ନବୀନ ଗୃହରେ ବିବୃତି ଦେଇ କହିଲେ ଯେ, ନବ ଦାସ ହତ୍ୟାକାଣ୍ଡର ନିରପେକ୍ଷତା ପାଇଁ କ୍ରାଇମ ବ୍ରାଞ୍ଚ ଆମେରିକାର ସଂସ୍ଥାର ସାହାଯ୍ୟ ନେବ। ସେହି ସଂସ୍ଥା ହେଲା ଏଫବିଆଇ ବା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ। ଆନ୍ତର୍ଜାତୀୟ ସ୍ତରରେ ଏହାର ନାମ ରହିଛି। ସେଥିପାଇଁ ଭାରତ ସରକାରଙ୍କ ଗୃହ ବିଭାଗକୁ ଏ ନେଇ ଅବଗତ କରାଯାଇଛି।

ଏପରି କହି ନବୀନ ବିଜେପିକୁ ଗୋଟିଏ ବାଣରେ ଦୁଇଟି ଶିକାର କଲେ। ପ୍ରଥମତଃ ଏଫବିଆଇ ତଦନ୍ତ କଥା କହି ସିବିଆଇ ତଦନ୍ତ ଦାବୀକୁ ମୁହଁତୋଡ ଜବାବ ଦେଲେ। ଦ୍ବିତୀୟରେ ସେ କେନ୍ଦ୍ର ଗୃହ ବିଭାଗକୁ ଅନୁମତି ଦେବା ପାଇଁ ଅବଗତ କରାଯାଇଛି ବୋଲି କହିଲେ। ଯଦି କେନ୍ଦ୍ର ଗୃହ ବିଭାଗ ଏଥିପାଇଁ ଅନୁମତି ନ ଦିଏ ତେବେ ବିଜେଡି ସମାଲୋଚନା କରିବା ପାଇଁ ରାସ୍ତା ମିଳିଯିବ।

ନବୀନଙ୍କ ଏପରି ବିବୃତି ନେଇ ଆଜି ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। କାରଣ ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ନବୀନ ପତ୍ରେ ପତ୍ରେ ଯାଉଛନ୍ତି। ସେ ଏପରି କଥା କହୁଛନ୍ତି ଯେପରି ବିରୋଧୀ ତାହାକୁ ମୁକାବିଲା କରିବା ପାଇଁ କୌଣସି ରାସ୍ତା ଖୋଜି ବାହାର କରିପାରିବେ ନାହିଁ।

Related posts