ଟୁଇଟ୍ କରି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟର ଜବାବ ରଖିଲେ ପ୍ରଣବ ପ୍ରକାଶ

Published: Mar 6, 2023, 8:01 pm IST

ଭୁବନେଶ୍ଵର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ହୋଇଥିବା ବିଜେପିର ବିକ୍ଷୋଭ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବାରୁ ଏହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶ୍ରୀ ଦାସ କହିଛନ୍ତି ଯେ ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ। ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା। ଦେଖନ୍ତୁ ଏହି ଭିଡିଓ। ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ। ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ଦାସ ଆହୁରି କହିଛନ୍ତି, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ। ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ। ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ।

ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ। ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା। ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ। ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ।

Related posts