Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାର ଗାୟକ-ପକ୍ଷୀ: କବି ତପନ ପଟ୍ଟନାୟକ
ବିଶେଷ ଖବର

ଚିଲିକାର ଗାୟକ-ପକ୍ଷୀ: କବି ତପନ ପଟ୍ଟନାୟକ

March 15, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଡକ୍ଟର ସତ୍ୟ ଷଡ଼ଙ୍ଗୀ

କାବ୍ୟନାୟିକା ଚିଲିକା ଉପକଣ୍ଠ ବାଲୁଗାଁଠାରେ ତାଙ୍କର ଜନ୍ମ। ପିତା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ନାଟ୍ୟକାର ପଦ୍ମଚରଣ ପଟ୍ଟନାୟକ। ପିତାଙ୍କ ସହପାଠୀ ବନ୍ଧୁ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ତେଣୁ ଶୈଶବରୁ ସାହିତ୍ୟର ଶ୍ରୀଅକ୍ଷର ଶିଖିଥିଲେ ସେ ଆପଣା ଘରୁ। ତାଙ୍କର ହେତୁ ହେଲାବେଳକୁ ବାଲୁଗାଁରେ ଗୋଟିଏ ସାହିତ୍ୟିକ ଆନ୍ଦୋଳନ ସକ୍ରିୟ ଥିଲା।

ସେତେବେଳର ପ୍ରତିଭାବାନ୍ ଯୁବସାହିତ୍ୟିକ, ଯଥା – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦେବେନ୍ଦ୍ର କୁମାର ମାନସିଂହ, ହୁସେନ୍ ରବିଗାନ୍ଧୀ, ନବୀନ ସୁବୁଦ୍ଧି, ପଞ୍ଚାନନ ଦାଶ ପ୍ରଭୃତି ଥିଲେ ଏହି ଗୋଷ୍ଠୀର ସତୀର୍ଥ। ଏମାନଙ୍କ ସମବାୟରେ ଓଡ଼ିିଶାର ସାହିତ୍ୟିକ ବାତାବରଣରେ ଉଷ୍ମତା ଖେଳାଇ ପ୍ରକାଶ ପାଉଥିଲା ଆଧୁନିକତାର ପ୍ରତିବାଦୀ କାବ୍ୟ ଇସ୍ତାହାର ‘ବେଳା’ ଓ ‘ଆଭା’ ପତ୍ରିକା। ଆହୁରି ମଧ୍ୟ ଅଗ୍ରଜ କବି ନୀଳାଦ୍ରି ଭୂଷଣ ହରିଚନ୍ଦନ ସାଧନା-ମଗ୍ନ ଥିଲେ ଠିକ୍ ଏତିକିବେଳେ। ଏପରି ଏକ ଅପ୍ରତିହତ କାବ୍ୟିକ ବାତାବରଣ ସହ ଆଉ ଗୋଟିଏ ଆନ୍ତରିକ ଉଚ୍ଛ୍ୱାସର ପ୍ରେରଣା ଥିଲା ତାଙ୍କ କଲମରୁ କବିତା ଝରିବାର ଅନ୍ୟତମ ଯୁକ୍ତିସିଦ୍ଧ କାରଣ।

କବିଟିଏ ଜନ୍ମନେଲା ତପନ ପଟ୍ଟନାୟକ ନାଁରେ, ଯିଏ ନିଜସ୍ୱ ରୀତିରେ ସୃଷ୍ଟିକଲା ଗୋଟିଏ ସୁରଭିତ କାବ୍ୟ ଉପବନ। କାବ୍ୟତାରା, ସୀମା ଓ ସ୍ମାରକୀ, ସ୍ରୋତସ୍ୱତୀ, ମୁଠାଏ ତାରା, ବିନିମୟ, ଢେଉଢେଉ ଅନ୍ଧାର, ଶୂନ୍ୟ ଧାନକ୍ଷେତ, ଫେରିବାର ମୂର୍ଚ୍ଛନାରେ, ଋତୁର ବାସ୍ନାରେ, ଆରଜନ୍ମ, ମଗ୍ନମୌନ, ଅନିନ୍ଦିତା ଓ ଅନ୍ୟାନ୍ୟ କବିତା, ଅରଣ୍ୟ ଗହନ ପଥ, ଦୁଃଖ ଗୋଟିଏ ଗାଁ’ର ନାଁ, ପ୍ରଦକ୍ଷିଣ ପ୍ରତିପ୍ରସ୍ଥ, ଅପହଞ୍ଚ ପ୍ରଭୃତି ସେହି ସୁରମ୍ୟ ଉଦ୍ୟାନର ଗୋଟିଏ ଗୋଟିଏ ପୁଷ୍ପିତ ପାଦପ।

କବି ତପନ ପଟ୍ଟନାୟକଙ୍କ କାବ୍ୟ ପୁରୁଷ ଜୀବନର ପ୍ରତିପ୍ରସ୍ତ ପ୍ରଦକ୍ଷିଣ କରିବାରେ ଅଭିଳାଷ ରଖେ। ପ୍ରଣୟ ଆବେଗରୁ ଯଦିଓ ତାଙ୍କ କାବ୍ୟଯାତ୍ରାର ପ୍ରାରମ୍ଭ ତେବେ ତେବେ ପୂର୍ବବର୍ତ୍ତୀ କାବ୍ୟଧାରାର ପ୍ରଭାବଶାଳୀ ମୃତ୍ୟୁଚେତନା ତାଙ୍କୁ ବେଳେବେଳେ ଆଚ୍ଛନ୍ନ କରିଦିଏ। ତା ସହ ନିଃସଙ୍ଗତା, ଅସହାୟତା, ବିଷଣ୍ଣତାବୋଧ ଏସବୁ ଉପୁଚି ପଡ଼େ ତାଙ୍କ କବିତାର ପଙ୍କ୍ତିମାନଙ୍କରୁୁ। ପୁଣି କେବେ ତାଙ୍କ କବିତା ଅଭ୍ୟନ୍ତରରୁ ବିଦ୍ରୋହର ସମାୟିକ ସ୍ୱର ଶୁଭେ–

ଏବେ ମାଟି ଆଁ କରିଚି/କହୁଚି, ମୋର ଭୋକ ମେଣ୍ଟିବା ପାଇଁ/

ଶୋଷ ମେଣ୍ଟିବା ପାଇଁ / କେଇ ବୁନ୍ଦା ରକ୍ତ ବି ମତେ ଦେ। (ସମୟ ସରୁଚି)

ଓଡ଼ିଆ କବିତାର ବିକାଶ କଳ୍ପେ ତପସ୍ୟାମଗ୍ନ ତପନଙ୍କ କବିତାରେ ଶତାବ୍ଦୀ ଶେଷର ପରିବର୍ତ୍ତିତ ସ୍ଥିତି ଓ ପରିବେଶର ପ୍ରଭାବ ଫଳରେ ଯେଉଁ ନୂତନ ଆୟତନଟି ଯୁକ୍ତ ହୋଇଛି ତାହା ତାଙ୍କ ନିଜସ୍ୱ ଓ ପୂର୍ବବର୍ତ୍ତୀ ଚେତନଠାରୁ ପୃଥକ୍ । ମୃତ୍ୟୁଚେତନା ଭଳି ବିଷାଦ ବନ୍ଧନରୁ ଓହରି କବି ଗୋଟିଏ ନୂଆ ସମ୍ଭବନା ଓ ଆଶାବାଦରେ ଉପନୀତ ହୋଇଛନ୍ତି । ପ୍ରେମ ଓ ଜନ୍ମାନ୍ତରବାଦର ସମନ୍ୱୟରେ ଗୋଟିଏ ଚମକ୍ରାର କାବ୍ୟ ଆବେଗ ସୃଷ୍ଟି ହୋଇଛି ତାଙ୍କ କବିତାର ଅଙ୍ଗନରେ । କେତୋଟି ସ୍ୱାଦୁକର ଉଦାହରଣ ଏଠାରେ ଉଦ୍ଧୃତ କରାଯାଇପାରେ –

କେମିତି କେଜାଣି ସମୟ ସରିଲା/ କେଉଁଠି ପଡ଼ିଲି ଶୋଇ/

ଉଠିଲାବେଳକୁ ତୁମେ କେଉଁଆଡ଼େ/ କେମିତି ଯାଇଚ ହଜି

ବାରମ୍ବାର ମୁଁ ଜନ୍ମ ନେଉଚି/ ତୁମକୁ ହିଁ ଖୋଜି ଖୋଜି।

ପ୍ରଦକ୍ଷିଣ ପ୍ରତିପ୍ରସ୍ତ (୨୦୧୦), ଅପହଞ୍ଚ (୨୦୧୭) ପ୍ରଭୃତି ସଙ୍କଳନରେ କବି ବ୍ୟକ୍ତିତ୍ୱର ସଂପ୍ରସାରଣ ଦୃଶ୍ୟ ଆଉ ପ୍ରକାରେ ଦେଖିବାକୁ ମିଳେ । ମନେପଡ଼େ କବିଙ୍କ ସ୍ୱୀକାରୋକ୍ତି : “ଦୈନନ୍ଦିନ ସ୍ଥିତିରେ ସାମାଜିକତା ଆମର ଯେମିତି, ଯାହା ହେଉଛି ହୋଇଯାଉ ଯାହା ନହୋଇଛି ପଡ଼ିରହୁ, ସାଧାରଣ ତଳସ୍ତରର ମଣିଷଙ୍କ କଥା ଭାବୁଛି କିଏ?” ସେହି ଅପହଞ୍ଚରେ ପହଞ୍ଚିବାପାଇଁ କବି ଚେଷ୍ଟା କରିଛନ୍ତି, ଯେମିତିକି-

ଗଉରା ଲେମ୍ବୁ ବିକାଳି କିଏ ଯେ/ ଅପାଙ୍କ୍ତେୟ, ଅପୋଗଣ୍ଡ/

କୋଉ ନିପଟ ମଫସଲର/ ମୂର୍ଖ ମଣିଷଟିଏ/

ଏତେ ବଡ଼ ବାବୁଭାଇଆ ସମାଜରେ/ ତାର ଗୁରୁତ୍ୱ ବା କଣ?/

ତା ହିସାବ କାହିଁକି ରଖିବ ବା କିଏ?/

ଅଥଚ ପ୍ରତି ପାଞ୍ଚବର୍ଷରେ ଥରେ/ କେହି କେହି ତାର ହିସାବ ରଖନ୍ତି।

ତପନ ପଟ୍ଟନାୟକଙ୍କ କବିତାରେ ଚିଲିକା ଗୋଟିଏ ବିଶେଷ ଅଂଶ । କବି ନିଜେ ବୋଧହୁଏ ସେହି ସତ୍ତା ଯିଏ “ଚିଲିକାର ଧୋବଲା ଚଢ଼େଇ ପରି/ ନୀଳହ୍ରଦ ଏପାରିରେ/ କିଏ ଜଣେ ଚାହିଁବସିଥାଏ।” ଚିଲିକା ତାଙ୍କ କବିତାରେ ଜୀବନର ଉଦ୍ଭାସ। ତାକୁ କଣ ଏତେ ସହଜରେ ବୁଝିହୁଏ? “ଚିଲିକାର ରୂପ/ ନାନା ରଙ୍ଗ ଓ ବେରଙ୍ଗ/ ଜୀବନର ବହୁକଥା/ ଅବୁଝା ଅସ୍ପଷ୍ଟ ରହେ/ ହଂସରାଳି ଗୀତ ଗାଇଗାଇ/ ଫେରିଯାଏ/ ମାମୁ ଭଣଜାର/ ଉତ୍ତୁଙ୍ଗ ଶିଖର ଦେଇ / ମାନସରୋବରରେ/ ଅପୂର୍ବ ରୂପବତୀ କନ୍ୟା ହେବା ପାଇଁ।” ‘ବଧୂଲି ଫୁଲ’ କବିତାର ବର୍ଣ୍ଣନା ଶୈଳୀକୁ ଟିକେ ଆଖି ପକାଇନେବା –

କାଲି ତ ଦେଖିଥିଲି ମୁକ୍ତ ଖରାବେଳେ/ ପବନ ମୁଠାଏ ବି ବାସ୍ନାଫୁଲ ପରି

ବର୍ଷି ଯାଉଥିଲା ଚିଲିକା ଉପରେ ତ/ ଇଲାକା ବାସୁଥିଲା ଦିଗବିଦିଗ ଧରି।

‘ଛୋଟ ମୋର ଗାଁଟି’ରେ ଜୀବନଚିତା ଜଳିବା ଆଶା ଭଳି ତପନ ମଧ୍ୟ ଚିଲିକା କୂଳରେ ‘ଛୋଟ ଶିଖାଟିଏ’ ହେବା ପାଇଁ ଯେ ଚାହାନ୍ତି ସେତିକି ନୁହେଁ, ବରଂ ତାଙ୍କର ଇଚ୍ଛା –

ତୋର ସ୍ପର୍ଶ ପାଇବାକୁ/ ଆତ୍ମିକତା ବୁଝିବାକୁ/

ଆର ଜନ୍ମେ ଚିଲିକା ଲୋ/ ଡଙ୍ଗାଟିଏ ହେବି।

ଆମ ଗହଣରୁ ବିଦାୟ ନେବା ପୂର୍ବରୁ କବି ତପନ ପଟ୍ଟନାୟକ

ବିସ୍ତୃତ ଏ ପୃଥିବୀକୁ କବିତାର ପ୍ରିୟ ଧାଡ଼ିଟିଏ

ଦେଇଗଲା, ପ୍ରାଣଭରା ସ୍ନେହସିକ୍ତ ମୃଦୁ ଆଲିଙ୍ଗନ

କହିଗଲା ମଣିଷକୁ, ପୃଥିବୀରେ ଆଉ କିଛି ନାହିଁ

ଖାଲି ସତ ଭଲ ପାଇବାର ଏଇ ସ୍ନିଗ୍ଧ ଆବେଦନ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ

ମୋ – ୯୪୩୮୩୬୦୫୧୬

ଚିଲିକା ଡକ୍ଟର ସତ୍ୟ ଷଡ଼ଙ୍ଗୀ ତପନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.