ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲା ଜର୍ମାନୀ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

Published: Mar 30, 2023, 11:22 am IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ପ୍ରଶ୍ନର ଉତ୍ତରରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ଵାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି କରାଯାଇଥିବ।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମର ଜ୍ଞାନ ଅନୁଯାୟୀ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାର ବିକଳ୍ପ ରହିଛି। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ କିମ୍ବା ତାଙ୍କ ପକ୍ଷ ଶୁଣିବା ସମୟରେ ନ୍ୟାୟିକ ସ୍ଵାଧୀନତା ଏବଂ ତାଙ୍କର (ରାହୁଲଙ୍କ) ମୌଳିକ ଅଧିକାରର ଯତ୍ନ ନିଆଯିବ।

ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ପରେ ଏପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ତାଙ୍କ ସଂସଦ ସଦସ୍ୟତା ରଦ୍ଦ କିମ୍ବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହି ଦେଶରେ କେହି ସୁପ୍ରିମକୋର୍ଟଙ୍କ ଉପରେ ନାହାଁନ୍ତି ଏବଂ ଏଥିପାଇଁ ନ୍ୟାୟିକ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଅଛି।

Related posts