ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ସାମିଲ ହେଲା ନୂଆପଡ଼ା, କେନ୍ଦ୍ରର ଅନୁମୋଦନ

Published: May 19, 2023, 5:50 pm IST

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନ୍ୟାସନାଲ୍‌ ମିଶନ ଅଫ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଏହି ମର୍ମରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।

ଚଢ଼ା କମିଟି-୨୦୦୬ ଏବଂ ରେଥିୟମ୍‌ କମିଟି-୨୦୦୭ର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ ନିମନ୍ତେ ୨୩ ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ କେନ୍ଦ୍ର ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା।

ମୃତ୍ତିକା ଓ ପରିବେଶ ଅନୁକୂଳକୁ ଦୃଷ୍ଟିରେ ରଖି ଏବଂ ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଯୋଗୁଁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି।

୨୦୨୩-୨୪ ବର୍ଷ ପାଇଁ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ କାର୍ଯ୍ୟକ୍ରମ ନିମନ୍ତେ ଆଗ୍ରହୀ ଅଏଲ୍‌ ପାମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ଜିଲ୍ଲା ଆବଣ୍ଟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯାଉଥିବା ପରିପ୍ରେକ୍ଷୀରେ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ଉକ୍ତ ୨୩ଟି ଜିଲ୍ଲାକୁ ଆବଣ୍ଟନ ନିମନ୍ତେ ଆଗ୍ରହୀ କମ୍ପାନୀଗୁଡ଼ିକ ତରଫରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ଏବଂ ରାଜ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୧୦ଟି ଅଏଲ୍‌ ପାମ୍‌ କମ୍ପାନୀଙ୍କ ନାମ ତାଲିକା ଚୂଡ଼ାନ୍ତ କରାଯାଇଛି।

Related posts