ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନବମ ବାର୍ଷିକ ଅନ୍ତର୍ଜାତୀୟ ଯୋଗ ଦିବସ

Published: Jun 22, 2023, 7:13 am IST

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ, ୨୦୨୩ରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଥିବା ନର୍ଥ ଲନ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌ ପାଇଁ ଯୋଗ’ ରଖାଯାଇଛି। ‘‘ବସୁଧୈବ କୁଟୁମ୍ବକମ୍‌’’ ବା ‘‘ଏକ ପୃଥିବୀ-ଏକ ପରିବାର – ଏକ ଭବିଷ୍ୟତ।’’

ଏହି କାର୍ଯ୍ୟକ୍ରମରେ ୧୩୫ରୁ ଅଧିକ ଦେଶର ହଜାର ହଜାର ଲୋକ ଅତି ଆଗ୍ରହର ସହିତ ସାମିଲ ହୋଇ ଯୋଗ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏଠାରେ ଆୟୋଜିତ ଗୋଟିଏ ଯୋଗ ଅଧିବେଶନରେ ସର୍ବାଧିକ ସଂଖ୍ୟକ ଦେଶର ଲୋକମାନେ ଅଂଶଗ୍ରହଣ କରିବା ଦ୍ୱାରା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମିଳିତ ଜାତସସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୭୭ତମ ମିଳିତ ଜାତିସଂଘ ମହାସଭାର ଅଧ୍ୟକ୍ଷ ସାବା କୋରୋସୀ, ନ୍ୟୁୟର୍କ ସିଟୀର ମେୟର ଏରିକ୍‌ ଆଡାମ୍ସ, ମିଳିତ ଜାତିସଂଘର ଉପମହାସଚିବ ଏବଂ ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଗୋଷ୍ଠୀର ଅଧ୍ୟକ୍ଷ ସୁଶ୍ରୀ ଅମିନା ଜେ. ମହମ୍ମଦଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରିଥିଲେ। ସେହିପରି ସମାଜର ସବୁ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ – କୂଟନୀତିଜ୍ଞ, ଅଧିକାରୀ, ଶିକ୍ଷାବିତ୍‌, ସ୍ୱାସ୍ଥ୍ୟ ପେସାଦାର, ପ୍ରଯୁକ୍ତିବିତ୍‌, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ବ୍ୟକ୍ତିବିଶେଷ, କଳାକାର, ଆଧ୍ୟାତ୍ମିକ ଗୁରୁ ଏବଂ ଯୋଗ ସାଧକମାନେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଯାହାକୁ ଡିସେମ୍ବର ୨୦୨୨ରେ ଭାରତର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମୟରେ ଉଦଘାଟନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନର୍ଥ ଲନ୍‌ ଠାରେ ଥିବା ପିସ୍‌ କିପିଂ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related posts