ଆଗରୁ ଯାଉଥିଲେ, ଏବେ ଦୌଡିଲେ ଭି କେ ପାଣ୍ଡିଆନ, ବିରୋଧୀଙ୍କ ମୁଣ୍ଡ ଖରାପ, ଦିଶୁନି ବୁଦ୍ଧି

Published: Jul 10, 2023, 12:04 pm IST
pandian

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ 5ଟି ସଚିବଙ୍କୁ ଟାର୍ଗେଟ କଲେ। ଏହାପରଠାରୁ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବଢିବାରେ ଲାଗିଛି। କହିବାକୁ ଗଲେ ସେ ଆଗରୁ ଯାଉଥିଲେ ଏବେ ପୁରା ଦୌଡୁଛନ୍ତି। ତାଙ୍କର ଗସ୍ତରେ କୌଣସି ବିରାମ କେହି ଲଗାଇପାରୁ ନାହିଁ। ଲାଗୁଛି  କୌଣସି ତାକତ୍ ତାଙ୍କ ଗସ୍ତକୁ ରୋକିପାରିବ ନାହିଁ।

ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର କିଛିଦିନ ପରେ ପାଣ୍ଡିଆନ ଗଲେ ବରଗଡ। ସେହି ଜିଲ୍ଲାର ସେ ଲଗାତର ତିନିଦିନ ଧରି ଗସ୍ତ କରିଥିଲେ। କରାଯାଇଥିଲା ବିପୁଳ ସ୍ବାଗତ। ସେହିପରି ଏବେ ସେ ଅନୁଗୁଳ ଜିଲ୍ଲା ଗସ୍ତରେ ବାହାରିଛନ୍ତି। ସେଠାରେ ମଧ୍ୟ ତାଙ୍କୁ ସ୍ବାଗତ କରାଯିବ। ଫୁଲ ଫିଙ୍ଗାଯିବ। ସେଠାରେ ମଧ୍ୟ ସେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ, ଘୋଷଣା କରିବେ। ଲୋକଙ୍କୁ ସମ୍ବୋଧନ ମଧ୍ୟ କରିବେ।

କେବଳ ଏହି ଦୁଇ ଦିନ ନୁହେଁ, ଆଗାମୀ ଦିନରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ପୁରା ପ୍ରସ୍ତୁତ ହୋଇ ରହିଛି। ସେ ଆହୁରି କେତେକ ଜିଲ୍ଲା ଗସ୍ତ କରିବେ। ଯାହା ଯାଇ ଥାଆନ୍ତେ କି ନାହିଁ, ଅପରାଜିତା ଏବଂ ବିଜୟଙ୍କ ଟାର୍ଗେଟ ପରେ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆହୁରି ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ସେମାନଙ୍କୁ ପାନେ ଦେବା ପାଇଁ ପାଣ୍ଡିଆନଙ୍କ ଗସ୍ତକୁ ଜାଣିଶୁଣି ତୀବ୍ର କରାଯାଇଛି।

ଏହାପରେ ଏବେ କଣ କରିବେ ଅପରାଜିତା ଷଡଙ୍ଗୀ ଏବଂ ବିଜୟ ପଟ୍ଟନାୟକ। କାରଣ ସେମାନେ ଯାହା କରିବାର କଥା ତାହା କରିସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିବା କଥା, ତାହା କରିସାରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏମାନଙ୍କ ଅଭିଯୋଗକୁ ଗ୍ରହଣ କରି ଚିଠି ମଧ୍ୟ କରିସାରିଛନ୍ତି। ହେଲେ ଫଳାଫଳ ଶୂନ। ବଂର ପାଣ୍ଡିଆନଙ୍କ ଗସ୍ତ ଧୂମଧାମରେ ହେବାରେ ଲାଗିଛି।

ସେଥିପାଇଁ ବିଜେପି ନେତା ତଥା ଖୋଦ ଅପରାଜିତା ଷଡଙ୍ଗୀ ମଧ୍ୟ ଜାଣିଦେବା ଉଚିତ ଯେ, କେନ୍ଦ୍ର କୌଣସି ପ୍ରକାରରେ ନବୀନ ପଟ୍ଟନାୟକଙ୍କୁ ଅସନ୍ତୁଷ୍ଠ କରିବାକୁ ଚାହୁଁ ନାହିଁ। ତାଙ୍କର ପତିୟାରାରେ କେନ୍ଦ୍ର ହାତ ମାରିବାକୁ ଚାହୁଁ ନାହିଁ। ଯଦି କେନ୍ଦ୍ରର ଚିଠି ପାଣ୍ଡିଆନଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ସମ୍ଭାବନା ଥାଆନ୍ତା ତେବେ ସେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଦେଇଥାଆନ୍ତେ। ହେଲେ ସେଥିରେ ବିରାମ ଲାଗୁ ନାହିଁ।

ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ସେହି ଚିଠିରୁ ସ୍ପଷ୍ଟ ଯେ, ତାହା କେବଳ ଥିଲା ମନବୁଝା ନକଲ। ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ।

Related posts