କଂଗ୍ରେସ ଟିକେଟ ନ ଦେଲେ କଣ କରିବେ ବିଧାୟକ ମହମ୍ମଦ ମୋକିମ, କଲେ ଖୋଲାସା

Published: Aug 2, 2023, 12:30 pm IST
କଂଗ୍ରେସ ଟିକେଟ

ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏହାପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ଯଦି କଂଗ୍ରେସ ନିଲମ୍ବନ ଆଦେଶ ନ ହଟାଏ ତେବେ କଟକର ଏହି ଟାଣୁଆ କଂଗ୍ରେସ ନେତା କଣ କରିବେ। ସେ ଲଢେଇ କରିବେ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନବାଚୀ।

ତେବେ ମୋକିମ ନିଲମ୍ବିତ ହୋଇଥିଲେ ମଧ୍ୟ ତାଙ୍କ ମନ କିନ୍ତୁ କଂଗ୍ରେସରେ ରହିଛି। ଏବେବି କଂଗ୍ରେସରୁ ଟିକେଟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ଯଦି କୌଣସି କାରଣରୁ କଂଗ୍ରେସ ଟିକେଟ ନ ଦିଏ ତେବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ। ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଖୋଲାସା କରିଛନ୍ତି ମହମ୍ମଦ ମୋକିମ। ସେତିକି ନୁହେଁ ସେ କଟକ ବାରବାଟୀରୁ ନିଶ୍ଚିତ ଜିତିବେ ଏବଂ ନୂଆ ବିଧାୟକ ହୋଇ ପୁଣି ଥରେ କଂଗ୍ରେସରେ ମିଶିବେ ବୋଲି ସେ କହିଛନ୍ତି।

ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଲଢେଇ କରି ଆପଣ ସ୍ବାଧୀନ ପ୍ରାର୍ଥୀ ହୋଇ ଜିତିବା ପରେ ଆପଣଙ୍କୁ ଆଉ କଂଗ୍ରେସ ଗ୍ରହଣ କରିବ ନାହିଁ। ପୁଣି କଂଗ୍ରେସକୁ କେମିତି ଯିବେ ବୋଲି ପ୍ରଶ୍ନର ଉତ୍ତରେ ସେ କହିଥିଲେ ଅପେକ୍ଷା କରନ୍ତୁ। ସମୟ ବହୁତ ଅଛି କେଉଁ ପାଣି କୁଆଡେ ବହୁଛି ତାହା ଏବେ କହିବା ଠିକ ହେବ ନାହିଁ ବୋଲି ମୋକିମ କହିଥିଲେ।

କଂଗ୍ରେସ ଟିକେଟ ନ ଦେଲେ ସେ ବିଜେଡି କିମ୍ବା ବିଜେପିରୁ କାହିଁକି ଲଢେଇ ନ କରିବେ ବୋଲି ପ୍ରଶ୍ନର ଉତ୍ତରେ ସେ ରୋକଠୋକ ମନା କରିଦେଇଛନ୍ତି। ସେ କୌଣସି ଦଳକୁ ଯିବେ ନାହିଁ, କେବଳ କଂଗ୍ରେସରେ ହିଁ ରହିବେ। ଯଦି ଦଳ ମୋତେ ନ ଚାହିଁବ ତେବେ ମୁଁ ସ୍ବାଧୀନ ଭାବେ ରାଜନୀତି କରିବି ସିନା ଦଳ ଡିଆଁ କାମ କରିବି ନାହିଁ। ଏ ନେଇ ମୁଁ କୌଣସି ଦଳ ସହିତ କୌଣସି ପ୍ରକାରର ଯୋଗସୂତ୍ରରେ ନାହିଁ।

ଆପଣ କଂଗ୍ରେସ ସଭାପତି ହେବା ପାଇଁ ବେଶ ଲବି କରିଥିଲେ। ହେଲେ ତାହା ହେଲା ନାହିଁ। ସେଥିପାଇଁ ଆପଣ ଅସନ୍ତୁଷ୍ଠ ହୋଇ ଦଳକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ଶରତ ପଟ୍ଟନାୟକ ସଭାପତି ହେବା ପୂର୍ବରୁ ମୋତେ ସଭାପତି କରାଯାଉ ବୋଲି ଅନେକ ଦିଲ୍ଲୀରେ ଦାବୀ କରିଥିଲେ। ହେଲେ ଶରତବାବୁ ସଭାପତି ହେବା ପରେ ମଧ୍ୟ ମୁଁ ଦଳରେ ଅଛି କାମ କରୁଛି। ଯଦି ଏହାକୁ କେହି କଣ ଭିନ୍ନ ଅର୍ଥରେ ଭାବୁଥିବା ତେବେ ମୋରି କିଛି କହିବାର ନାହିଁ ବୋଲି ମୋକିମ କହିଥିଲେ।

Related posts