ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ

Published: Oct 10, 2023, 5:52 pm IST
ହାଇସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖିନ କରୁଥିବା ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର, ଅକାଂକ୍ଷୀ ପାଠ୍ୟକ୍ରମ ଅଧିନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍‌, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ପର୍ଯ୍ୟାଲୋଚନା କରାଯାଇଥିଲା ।

ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣା ବେକ୍ଷଣ ଆଦି ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମାଗଣା ସାଇକେଲ ବାବଦ ଅର୍ଥରାଶିର ବଣ୍ଟନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପୂର୍ବହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ପରେ ଏହି ବୈଠକ ଆୟୋଜିତ ହୋଇଥିବା ହାଇସ୍କୁଲ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପରିଦର୍ଶନ କରି ମିଳିତ ଭାବରେ ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏହି ବୈଠକ ଆୟୋଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Related posts