Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ ରେ ଗଣଶିକ୍ଷା ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଓସେପା ଅଫିସରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଭିଯୋଗ ପ୍ରକୋଷ୍ଠରେ ସାତ ଦଫା ଦାବି ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା। ଯଦି ଆଜି ସମାଧାନ ନ ହେବ ଆସନ୍ତା ୧୫ରୁ ଘେରାଓ କରିବାକୁ ନିଷ୍ପତି ନେଇଥିଲା।

ପୂର୍ବରୁ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ, ସି ବି ଏସ ଇ ର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ, ଏନ ସି ଇ ଆର ଟି ଭୁବନେଶ୍ୱରଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଆଲୋଚନାରେ ଭଗନେଇ ୭ ଦଫା ଦାବି ଉପସ୍ଥାପନା କରିଥିଲେ।

ପ୍ରଥମ ଦାବୀରେ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଦ୍ଧାରଣ ଓ ସ୍କୁଲକୁ ନିୟମ ଅନୁସାରେ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ ଫିସ ସ୍ଥିରୀକୃତ କରିବା ଉପରେ ସରକାର ପୂର୍ବରୁ କରିଥିବା ସ୍କୁଲ ଫିସ ନିର୍ଦ୍ଧାରଣ କମିଟିର ସୁପାରିଶକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହୋଇଥିଲେ।

ଦ୍ଵିତୀୟ ଦାବୀ ଅନୁଯାଇ କୋଭିଡ ମହାମାରୀ ସମୟରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲ ଫିସ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ରିପୋର୍ଟକୁ ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି ପାଇଁ ରାଜି ହୋଇଥିଲେ।

ତୃତୀୟ ଦାବୀରେ ପ୍ରାଇଭେଟ ସ୍କୁଲରେ ସବୁ ଶ୍ରେଣୀରେ ଏନସିଇଆରଟି ବହି ବ୍ୟବହାର ଓ ସ୍କୁଲ ବ୍ୟାଗ ଓଜନ ନିୟମର କଡାକଡି ଲାଗୁ ପାଇଁ ଥିବା ଆଲୋଚନା ରେ ସିବିଏସଇ ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସଙ୍କ ଦ୍ଵନ୍ଦ୍ଵତ୍ମାକ ମନ୍ତବ୍ୟ ଓ ସୁପାରିଶ ଯୋଗୁଁ ଆଲୋଚନା ରେ ଅସୁବିଧା ସୃଷ୍ଟି ହେତୁ ପରବର୍ତ୍ତୀ ସମୟରେ ବିଶେଷ ତର୍ଜମା ହୋଇ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ଚତୁର୍ଥ ଦାବିରେ ଶିକ୍ଷା ଅଧିକାର ଆଇନରେ ୨୫% ସିଟରେ ମାଗଣାରେ ପଢ଼ୁଥିବା ସବୁ ପିଲାଙ୍କୁ ନିୟମ ଅନୁଯାଇ ମାଗଣାରେ ସ୍କୁଲ ଡ୍ରେସ, ବହି ଓ ଜୋତା ଆଦି ପ୍ରଦାନ ପାଇଁ ତୁରନ୍ତ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆଦେଶ ଦିଆଯାଇଥିଲା।

ଶିକ୍ଷା ଅଧୁକାର ଆଇନରେ ମାଗଣାରେ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପଢ଼ା ଯାଉଛି ହେଲେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେହି ପିଲାମାନଙ୍କୁ ଦିଲ୍ଲୀ, ଛତିଶଗଡ, ରାଜସ୍ତାନ ଭଳି ମାଗଣା ପଢାଇବାକୁ ବ୍ୟବସ୍ଥା କରିବାକୁ ଦାବୀ ଉପରେ ସରକାରଙ୍କ ସହିତ ଆର୍ଥିକ କମିଟିର ପରାମର୍ଶ ନେଇ ପଦକ୍ଷେପ ନେବାକୁ ରାଜି ହୋଇଥିଲେ।

ପଞ୍ଚମ ଦାବୀ ଅନୁଯାଇ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ତତ୍ପର ହେବାକୁ କୁହାଯାଇଥିଲା।

ଷଷ୍ଠ ଦାବୀ ଅନୁଯାୟୀ ଯେଉଁ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବ ସେହି ସ୍କୁଲର ସ୍ପେଶାଲ ଅଡିଟ କରାଯାଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସପ୍ତମ ଦାବୀ ଅନୁଯାୟୀ ଦଶମରୁ ଏକାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେଉଥିବା ସବୁ ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କେ ପି ମହାପାତ୍ର କମିଟିର ସୁପାରିଶ ଆଧାରରେ କ୍ଲାସ ପ୍ରମୋସନ ନିୟମ ଅନୁସାରେ ସେହି ସ୍କୁଲ ରେ ଆଡ଼ମିସନ କରି ପାଠ ପଢାଇବାକୁ ସବୁ ପ୍ରାଇଭେଟ ସ୍କୁଲ ଅନୁପାଳନ କରିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ମାନଙ୍କର ଦୌରାତ୍ମ୍ୟ ବହୁ ପରିମାଣରେ ବଢ଼ି ଯାଇଛି ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି। ଅନେକ ପିଲା ଡମୀ ସ୍କୁଲ ରେ ପଢୁ ଛନ୍ତି। ଏମାନେ ଶିକ୍ଷାକୁ ଏକ ଚିଟ ଫଣ୍ଡ ରେ ପରିଣତ କରିଦେଇଛନ୍ତି। ତେଣୁ କୋଚିଂ ସେଣ୍ଟର ଗୁଡିକ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ହେଲେ ଆଜି ପର୍ଯ୍ୟନ୍ତ ଆଲୋଚନା ଅନୁଯାୟୀ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ସାତଦଫା ଦାବୀରେ ଗଣଶିକ୍ଷା ସଚିବଙ୍କ ବାସଭବନ ସମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଛି।

ଆଜି ଓସେପା କାର୍ଯ୍ୟାଳୟର ଅଭିଯୋଗ ଶୁଣାଣିରେ ମହାସଂଘର ଏକ ପ୍ରତିନିଧି ଦଳ ସଚିବଙ୍କୁ ଭେଟି ଦାବୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବାକୁ ଯାଇଥିଲେ ହେଲେ ସଚିବ ପ୍ରାୟତଃ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହୁଥିବାରୁ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମହାସଂଘ କହିଛି। ଯଦି ଆସନ୍ତା ୧୩ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା ୧୫ ତାରିଖ ଦିନ ୧୧ ଟା ସମୟରେ ଗଣଶିକ୍ଷା ସଚିବ ଆଶ୍ବଥୀ ଏସଙ୍କ ସରକାରୀ ବାସଭବନ ସମ୍ମୁଖରେ ମହାସଂଘ ଦାବୀ ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସିବ।

ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟାକ୍ଷ ଅଶୋକ ପଟ୍ଟନାୟକ, ଶିଶିର ସାହୁ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ ପ୍ରଭୃତି ଯୋଗଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖିନ କରୁଥିବା ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର, ଅକାଂକ୍ଷୀ ପାଠ୍ୟକ୍ରମ ଅଧିନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍‌, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ପର୍ଯ୍ୟାଲୋଚନା କରାଯାଇଥିଲା ।

ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣା ବେକ୍ଷଣ ଆଦି ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମାଗଣା ସାଇକେଲ ବାବଦ ଅର୍ଥରାଶିର ବଣ୍ଟନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପୂର୍ବହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ପରେ ଏହି ବୈଠକ ଆୟୋଜିତ ହୋଇଥିବା ହାଇସ୍କୁଲ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପରିଦର୍ଶନ କରି ମିଳିତ ଭାବରେ ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏହି ବୈଠକ ଆୟୋଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଅଧାରୁ ପାଠ ଛାଡିଥିବା ପିଲା ମୁକ୍ତ ବିଦ୍ୟାଳୟରେ କରିବେ ମାଗଣା ନାମଲେଖା,ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍‌ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍‌ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ।ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ।

ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି। ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁÂରେ ପରୀକ୍ଷା ମଧ୍ୟ ଦେବେ।

ଏସ୍‌ଆଇଓଏସ୍‌ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ, ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପମୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତି।

ଏହା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍ସେଲିଂ କରୁଛନ୍ତି। ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍‌ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି। ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍‌ଲେଟ୍‌ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷାର ବିକାଶ ଆଣିବା ପାଇଁ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି।

ଏହାକୁ ଆଉ ପାଦେ ଆଗକୁ ନେଇ ଆଜି ଦୁଇଟି ଜାତୀୟ ସ୍ତରୀୟ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ଆଜି ‘ମୋ ସ୍କୁଲ ଅଭିଯାନ’ ଏବଂ ଶିକ୍ଷାକ୍ଷେତ୍ରରେ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ତାହା ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପାଠପଢ଼ା ସହ ସେମାନେ ଖେଳକୁଦରେ ନିଜକୁ ଦକ୍ଷ ଭାବରେ ଗଢ଼ିତୋଳି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି।

‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ ଶିକ୍ଷାକୁ ଅଧିକ ସହଜ କରିବାକୁ ଆଜି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଏବଂ ଜାତୀୟ ସ୍ତରୀୟ ଖ୍ୟାତନାମା ସଂସ୍ଥା ‘ଖାନ୍‌ ଏକାଡେମୀ’ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାର ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଖାନ୍‌ ଏକାଡେମୀ’ ଉପାଦେୟ ଶିକ୍ଷଣ ଉପକରଣ ଯୋଗାଇଦେବ। ଏହା ସହ ଗଣିତ ଶିକ୍ଷକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଗ୍ରହଣ କରିଥିବା ଏକାଧିକ ବିକାଶମୂଳକ ପଦକ୍ଷେପକୁ ସଫଳ କରିବାରେ ଏହି ଦୁଇ ଚୁକ୍ତିନାମା ବିଶେଷ ଭାବରେ ସହାୟକ ହେବ।

ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ତଥା ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ମ୍ୟାଜିକ୍‌ବସ୍‌ ଫାଉଣ୍ଡେସନ୍‌ର ଶ୍ରୀ ଅଜୟ ରାସ୍ତୋଗୀ, ‘ଖାନ୍‌ ଏକାଡେମୀ’ର ପ୍ରତିନିଧି ଶୁଭ୍ରା ମିତଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର
ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା

ଗତ ଜୁନ୍‌ ୫ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗିତା ନିମନ୍ତେ ସିଙ୍ଗାପୁରଠାରେ ପ୍ରବାସୀ ଓଡ଼ିଶା ଦିବସ ପାଳନ ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କ ମଧ୍ୟରେ ଭାବବିନିମୟ ହୋଇପାରିବ। ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାରିବ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ଶାହା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରୁସ୍‌ ପୋ ଜିଓକ୍‌ ହୁଆଟ୍‌ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲିମ୍‌ ବୁନ୍‌ ତିଓଙ୍ଗ୍‌ ଉପସ୍ଥିତ ଥିଲେ ଏବଂ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଘରୋଇ ସ୍କୁଲ ବ୍ୟବସାୟ ବାଧା ପ୍ରାପ୍ତ ହେଉଥିବାରୁ ସ୍କୁଲ ଖୋଲୁଛନ୍ତି ସରକାର; ଅଭିଭାବକ ସଂଘ

ଭୁବନେଶ୍ବର: ରାଜ୍ୟରେ କାରୋନା ପୁଣି କାୟା ବିସ୍ତାର ଆରମ୍ଭ କରିବା ସମୟରେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀ ଗୁଡିକ ଖୋଲିବା ନିଷ୍ପତ୍ତି ସପକ୍ଷରେ ନାହିଁ ଅଭିଭାବକ ସଂଘ। ସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ ବା ଓପାଫ ଦାବି କରିଛି।

ବିଶେଷକରି ଘରୋଇ ସ୍କୁଲ ଗୁଡିକରେ ମାତ୍ରାଧିକ ପିଲାଙ୍କ ସମାଗମ ହେତୁ କାରୋନା ଗାଇଡଲାଇନ କୌଣସି ସ୍କୁଲ ପାଳନ କରିପାରିବେ ନାହିଁ। ଘରୋଇ ସ୍କୁଲ ଗୁଡିକର ନିରାପଦ ପ୍ରତି ସରକାରଙ୍କର କୌଣସି କଟକଣା ନଥିବାରୁ ସେଠାରେ ପିଲାମାନଙ୍କ ନିରାପଦ ଉପରେ ସନ୍ଦେହ ରହିଛି।

ସରକାରଙ୍କ ନିରାପଦ ସର୍ତ୍ତାନୁସାରେ NOC  ପ୍ରାୟତଃ ଆଜି ପର୍ଯ୍ୟନ୍ତ କୌଣସି ସ୍କୁଲ ହାସଲ କରି ନଥିବା ବେଳେ ଆଜି କୋଭିଡ ସର୍ତ୍ତାବଳୀକୁ କୌଣସି ସ୍କୁଲ ମାନିବ, ତାହା ବିଶ୍ଵାସ କରିପାରୁ ନାହାନ୍ତି କୌଣସି ଅଭିଭାବକ ।  କୋମଳମତି ଛାତ୍ର ଛାତ୍ରୀମାନେ କଦାପି କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବରେ ମାନି ପାରିବେ ନାହିଁ । ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲନ୍ତୁ ବୋଲି ସଂଘ ଦାବୀ କରିଛି।

ଏବେ ମଧ୍ୟ ଷଷ୍ଠ ରୁ ଦଶମ ଯାଏଁ ସବୁ ପିଲା ବିଦ୍ୟାଳୟ ଯିବା ପାଇଁ ବାପା ମା ରାଜି ହୋଇ ପାରୁ ନାହାଁନ୍ତି।  କୌଣସି ସ୍କୁଲର ପିଲାମାନେ ପ୍ରଭାବିତ ହେଲେ ତାହା ଚପାଇ ଦିଆଯାଉଥିବାର ନଜରକୁ ମଧ୍ୟ ଆସିଛି ।  ଫେବ୍ରୁଆରି ରେ ତୃତୀୟ ଲହରି ଆସୁଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି ।

ମାତ୍ର ଦୁଇଦିନ ତଳେ ଯେଉଁ ମନ୍ତ୍ରୀ କହିଲେ ଦଶମ ବୋର୍ଡ ପରୀକ୍ଷା ହୋଇ ପାରିବ କି ନାହିଁ ଠିକ୍ ନାହିଁ ,ସେହି ମନ୍ତ୍ରୀ ପୁଣି ଆଜି କେମିତି ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଲେ ବୋଲି ସଂଘ ପ୍ରଶ୍ନ କରିଛି।  କେତକ ପ୍ରଭାବୀ ଘରୋଇ ସ୍କୁଲ, ପିଲାମାନଙ୍କ ଠାରୁ ସହଜ ଉପାୟରେ ପଇସା ଆଦାୟ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଏହି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ବୋଲି ସଂଘ କହିଛି।

ପିଲାମାନେ କୋଭିଡ ସଂକ୍ରମଣର ତୀବ୍ର ବାହାକ ହୋଇପାରୁଥିବାରୁ, ଅନ୍ତତଃ ଏହି ପରିସ୍ଥିତିରେ ନୂଆ ସେସନ ପର୍ଯ୍ୟନ୍ତ ଅଭିଭାବକମାନେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ନ ଛାଡିବାକୁ ଓପାଫ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ କରିଛି।