ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଇନଗତ, ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ସୁପ୍ରିମକୋର୍ଟ

Published: Dec 11, 2023, 11:44 am IST

ନୂଆଦିଲ୍ଲୀ: ଆଜି ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି ବେଳେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ୧୬ ଦିନ ବିତର୍କ ପରେ ଅନୁଚ୍ଛେଦ ୩୭୦କୁ ସଂରକ୍ଷଣ ରଖିଥିଲେ। ଏହି ନିଷ୍ପତ୍ତି ଭାରତର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ବି.ଆର ଗଭଇ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦେଇଛନ୍ତି।

କୋର୍ଟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରାମଣି, ସଲିସିଟର ଜେନେରାଲ ତୁଷାର ମେହେତା, ବରିଷ୍ଠ ଓକିଲ ହରିଶ ସାଲଭେ, ରାକେଶ ଦ୍ୱିବେଦୀ, ଭି ଗିରି ଏବଂ ଅନ୍ୟମାନେ ଅନୁଚ୍ଛେଦ ୩୭୦ ରଦ୍ଦ କରିବାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏଥି ସହ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାୱନ, ଜାଫର ଶାହା, ଦୁଷ୍ୟନ୍ତ ଦବେ ଏବଂ ଅନ୍ୟ ବରିଷ୍ଠ ଓକିଲମାନେ ଆବେଦନକାରୀଙ୍କ ପକ୍ଷରୁ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ।

କୋର୍ଟ କ’ଣ କହିଛନ୍ତି?:

ମୁଖ୍ୟ ପ୍ରଶ୍ନ ଉପରେ ସିଜେଆଇ କହିଛନ୍ତି ଯେ, ସେହି ସମୟ ମଧ୍ୟରେ ରାଜ୍ୟରେ ଲାଗୁ ହୋଇଥିବା ରାଷ୍ଟ୍ରପତିଙ୍କ ନିୟମ ଉପରେ ଆମେ କୌଣସି ନିଷ୍ପତ୍ତି ନେଇ ନାହୁଁ। ପରିସ୍ଥିତି ଅନୁଯାୟୀ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯାଇପାରେ। ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ କ୍ଷମତା ଅଛି। ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ, ସାମ୍ବିଧାନିକ ସ୍ଥିତି ହେଉଛି ଯେ ସେମାନଙ୍କୁ ଉପଯୁକ୍ତ ଭାବରେ ବ୍ୟବହାର କରାଯିବା ଉଚିତ୍। ରାଷ୍ଟ୍ରପତିଙ୍କ ଶାସନ କାଳରେ ରାଜ୍ୟ ସରକାରଙ୍କ ସ୍ଥାନରେ କେନ୍ଦ୍ର ନିଷ୍ପତ୍ତି ନେଇପାରେ। ରାଜ୍ୟ ବିଧାନସଭା ସ୍ଥାନରେ ସଂସଦ କାର୍ଯ୍ୟ କରିପାରିବ।

କୋର୍ଟ କହିଛନ୍ତି ଯେ, ଯେତେବେଳେ ରାଜ ହରି ସିଂ ଭାରତ ସହିତ ମିଶ୍ରଣ ଚୁକ୍ତି ସ୍ୱାକ୍ଷର କଲେ, ସେତେବେଳେ ଜମ୍ମୁ କାଶ୍ମୀରର ସାର୍ବଭୌମତ୍ଵ ସେଶ ହୋଇଯାଇଥିଲା। ଏହା ଭାରତ ଅଧୀନରେ ହେଲା। ଏଥିରୁ ସ୍ପଷ୍ଟ ଯେ ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜମ୍ମୁ କାଶ୍ମୀରର ସମ୍ବିଧାନଠାରୁ ଉଚ୍ଚରେ ଭାରତର ସମ୍ବିଧାନ ଅଟେ।

Related posts