ଗୋଡ ଟଣାଟଣି, ଗୋଷ୍ଠୀ ବିବାଦ ଓ ଆଭ୍ୟନ୍ତରୀଣ ଚକ୍ରାନ୍ତରେ ଆକ୍ରାନ୍ତ ଓଡିଶା କଂଗ୍ରେସ- ବିଜେଡି ଓ ବିଜେପି ବିରୋଧରେ ଲଢିବ କେମିତି?

Published: Dec 7, 2018, 4:40 am IST

ସମୀକ୍ଷା ବ୍ୟୁରୋ

କଂଗ୍ରେସ ଯଦି ଖଣିଚୋରଙ୍କ ଦ୍ଵାରା ପରିଚାଳିତ ହେବ, ତେବେ ତାର ଭବିଷ୍ୟତ ଯାହା ହେବ ସେକଥା ଶ୍ରୀ ରାହୁଲ ଗାନ୍ଧୀ ବୁଝିବେ- ଏ ବକ୍ତବ୍ୟ କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କର। କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀ ଜେନାଙ୍କୁ ଆଜି ବହିଷ୍କାର କରାଯିବା ପରେ ସେ ଖୋଲାଖୋଲି ଓଡିଶାର କଂଗ୍ରେସ ନେତୃତ୍ବକୁ ଖଣିଚୋର ବୋଲି କହିଛନ୍ତି। କଂଗ୍ରେସ ଭିତରେ ଚାଲି ଆସିଥିବା ନିରବଚ୍ଛିନ୍ନ ଅନ୍ତଃକନ୍ଦଳର ଏହା ଏକ ଛୋଟିଆ ଝଲକ ମାତ୍ର। ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ଭିତରେ ଆହୁରି ଅନେକ ଫାଟ ମେଲୁଛି ଓ ଦଳରୁ ଅନେକ ନେତା ତଥା ବିଧାୟକ ଏବେ ଡିଆଁ ମାରିବା ଲାଗି ସଜବାଜ ହେଉଛନ୍ତି ବୋଲି ଖବର ମିଳୁଛି। ଅନ୍ତତଃ ଚାରି ଜଣ କଂଗ୍ରେସ ବିଧାୟକ କୌଣସି ମୁହୂର୍ତ୍ତରେ ଦଳ ଛାଡି ପାରନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି। ଏମିତି ପରିସ୍ଥିତିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଗସ୍ତର କି ପ୍ରଭାବ ପଡିବ, ତାହା ଜଣା ପଡୁନାହିଁ। କଂଗ୍ରେସ ନିଜକୁ ସଂଗଠିତ କରି ବିଜେଡି ର ବିକଳ୍ପ ହୋଇପାରିବ ବୋଲି ଯେଉଁ ଆଶା କିଛି ଦିନ ତଳେ ଦେଖା ଯାଉଥିଲା, ସେ ଆଶା ଏବେ ମଉଳି ଯାଉଛି।

ଅନେକ ସମୟରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶାରେ କଂଗ୍ରେସ କି ପ୍ରକାର ଭୂମିକା ନେବ, ସେ ପ୍ରସଙ୍ଗକୁ ନେଇ କିଛି ସ୍ପଷ୍ଟ ରଣନୀତି ନେଇ ଆଗକୁ ବଢିଲା ଭଳି ମନେ ହେଉନାହିଁ। ଯଦିଓ ପ୍ରସାଦ ହରିଚନ୍ଦନଙ୍କ ତୁଳନାରେ ନିରଞ୍ଜନ ବାବୁ ଅଧିକ ସକ୍ରିୟ,ତଥାପି କଂଗ୍ରେସ ସଙ୍ଗଠନକୁ ସଜାଡିବାରେ ସେ ସଫଳ ହୋଇନାହାନ୍ତି। ଦଳ ଭିତରେ ଅନ୍ତର୍ଦ୍ଵନ୍ଦ୍ଵ ଏବେ ଆହୁରି ତୀବ୍ର ହୋଇଛି। ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେବା, ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ସହ ଗୋପନ ବୁଝାମଣାରେ ଅଛନ୍ତି ବୋଲି ପ୍ରଚାରିତ ହେବା, ବିଧାନସଭା ଭିତରେ ଦଳୀୟ ବିଧାୟକଙ୍କ ଭିତରେ ମନୋମାଳିନ୍ୟ ସ୍ପଷ୍ଟ ଜଣାପଡିବା ଓ ଅନେକ ସମୟରେ ବିଜେପି ଭାଷାରେ କଥାବାର୍ତ୍ତା କରିବା ଭଳି ପ୍ରସଙ୍ଗ କଂଗ୍ରେସର ଭାବମୂର୍ତ୍ତିକୁ ବିଗାଡି ଚାଲିଛି।

ବିଧାନସଭା ଅଧିବେଶନ ଚାଲିଥିବା ସମୟରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିବା ବେଳେ ଯୁବ କଂଗ୍ରେସ ଓ ଟିଭି ସପକ୍ଷରେ ରାସ୍ତାରେ ଆନ୍ଦୋଳନ କରୁଥିଲା। ଏଥିରୁ କଂଗ୍ରେସ ଭିତରେ ସାଙ୍ଗଠନିକ ତାଳମେଳ ଯେ ବିଲକୁଲ ନାହିଁ ସେକଥା ସ୍ପଷ୍ଟ ବାରି ହୋଇପଡୁଥିଲା। ଓ ଟିଭି ର ମାଲିକ ବୈଜୟନ୍ତ ପଣ୍ଡା ଦୀର୍ଘ ବର୍ଷ ଧରି କଂଗ୍ରେସକୁ ଓଡିଶାରେ ନିନ୍ଦିତ କରିଆସିଛନ୍ତି। ନିଜର ବିଭିନ୍ନ ଲେଖାରେ ବୈଜୟନ୍ତ କଂଗ୍ରେସର ତୀବ୍ର ସମାଲୋଚନା କରିବା ସହିତ ବିଜେପି ଓ ସଂଘ ପରିବାରର ସବୁ ନୀତିକୁ ଖୋଲା ସମର୍ଥନ ଦେଇ ଆସିଛନ୍ତି। ସଂଘ ପ୍ରତି ବୈଜୟନ୍ତଙ୍କ ସ୍ପଷ୍ଟ ଦୁର୍ବଳତା ସତ୍ତ୍ୱେ ଓଡିଶା କଂଗ୍ରେସ ଅନେକ ସମୟରେ ବୈଜୟନ୍ତଙ୍କ ସହିତ ନିଜକୁ ସହଯାତ୍ରୀ କରିବାର ନିଷ୍ପତ୍ତି ନେଇଛି। ଏପରିକି କାଳେ ବୈଜୟନ୍ତ କଂଗ୍ରେସକୁ ଆସିଯିବେ ବୋଲି ଭାବି ନିରଞ୍ଜନ ବାବୁ ତାଙ୍କୁ ଗୁଡାଏ ଟେକାଟେକି ମଧ୍ୟ କରିଛନ୍ତି। ଏହା କଂଗ୍ରେସ ମତାଦର୍ଶର ବିରୋଧୀ ବୋଲି ନିରଞ୍ଜନଙ୍କ ଭଳି ଅଭିଜ୍ଞ ନେତା ବୁଝି ନପାରିବା ଦୁର୍ଭାଗ୍ୟଜନକ ବୋଲି ଜେନ ପୁରୁଖା କଂଗ୍ରେସ କର୍ମୀ କହିଛନ୍ତି।

ଆଜି ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିରୁ ବାଦ ଦେଇ ହୁଏତ ନିରଞ୍ଜନ ଶିବିର ଉତଫୁଲ୍ଲିତ ମନେ କରୁଥାଇ ପାରନ୍ତି। ଶ୍ରୀକାନ୍ତଙ୍କ ଚକ୍ରାନ୍ତରୁ କଂଗ୍ରେସ ନିଜକୁ ମୁକୁଳାଇବା ଏତ ସହଜ ବ୍ୟାପାର ନୁହେଁ। ନିଜ ଖୋଲା ଚିଠିରେ ଶ୍ରୀକାନ୍ତ କଂଗ୍ରେସ ନେତୃତ୍ୱକୁ ଏକପ୍ରକାର ଉଚ୍ଚବର୍ଗଙ୍କ ପ୍ରତିନିଧି ଭାବରେ ଚିତ୍ରଣ କରିଛନ୍ତି। ଜାତିଗତ ରାଜନୀତି ଓ ଦଳିତ-ପଛୁଆ ବର୍ଗ କାର୍ଡ ଖେଳି ଶ୍ରୀକାନ୍ତ, ନିରଞ୍ଜନଙ୍କୁ ଏକପ୍ରକାର ଘାଏଲା କରି ସାରିଛନ୍ତି। ଏବେ କଂଗ୍ରେସ ପାଇଁ ଶ୍ରୀକାନ୍ତ ଘର ଭିତରର ବିଭୀଷଣ। ତାଙ୍କୁ ରଖିଲେ ଯେତିକି ଅସୁବିଧା, ବାହାର କଲେ ତାଠୁ ବେଶୀ ଅସୁବିଧା। ଶ୍ରୀକାନ୍ତଙ୍କୁ କେଉଁ ରଣନୀତିରେ କଂଗ୍ରେସ ନେତୃତ୍ୱ ଆୟତ୍ତ କରୁଛନ୍ତି, ତାରି ଉପରେ କଂଗ୍ରେସ ଭବିଷ୍ୟତ ନିର୍ଭର କରିବ।

ଓଡିଶା କଂଗ୍ରେସର ଆଉ ଏକ ବଡ ସମସ୍ୟା ହେଉଛି, ଗଣମାଧ୍ୟମରେ ଓ ସୋସିଆଲ ମିଡିଆ ରେ ଦଳର ଦୁର୍ବଳ ଉପସ୍ଥିତି। କଂଗ୍ରେସ ସୋସିଆଲ ମିଡିଆର ଜାତୀୟ ମୁଖ୍ୟ ଦିବ୍ୟ ସ୍ପନ୍ଦନା ଗୋଟେ ସମୟରେ ବିଜେପିର ତୀବ୍ର ମୁକାବିଲା କରି କଂଗ୍ରେସକୁ ବେଶ ଭଲ ସ୍ଥିତିକୁ ନେଇ ଆସିଛନ୍ତି। ସେଇ ତୁଳନାରେ ଓଡିଶା କଂଗ୍ରେସର ମିଡିଆ ପ୍ରଭାବ ଅତ୍ୟନ୍ତ କ୍ଷୀଣ। ଦଳ ଭିତରେ ମିଡିଆ ପରିଚାଳନାର କୌଣସି ଠୋସ ନୀତି ଥିବାଭଳି ଲାଗୁନାହିଁ। କେବଳ ପାରମ୍ପରିକ ରୀତିରେ କଂଗ୍ରେସ ନିଜର ଅସ୍ତିତ୍ଵ ବଜାୟ ରଖିଛି ମାତ୍ର। ଏଥିରୁ ମୁକୁଳି କଂଗ୍ରେସ ଯେ ଦମ୍ଭର ସହିତ ୨୦୧୯ ନିର୍ବାଚନ ଲଢିପାରିବ,  ସେ ସମ୍ଭାବନା ଦେଖା ଯାଉନାହିଁ।

Related posts