ବିଜେଡି ଫେରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ବାଲେଶ୍ବର ଲୋକସଭା ପ୍ରାର୍ଥି ହେବା ନେଇ ଚର୍ଚ୍ଚା !!!

Published: Apr 6, 2024, 5:54 pm IST

ଭୁବନେଶ୍ବର: ସବୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି। କେଉଁ କାରଣ ପାଇଁ ବିଜେଡି ସେଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ରଘୁ ମହାନ୍ତି କୁଆଡେ ଘର ବାହୁଡା କରିବେ। ଅର୍ଥାତ ସେ ପୁଣି ବିଜେଡି ଫେରିବେ। ଏହାପରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି।

ବିଜେଡିରୁ ଲଗାତର ବାଲେଶ୍ବର ବସ୍ତାରୁ ପାଞ୍ଚଥର ବିଧାୟକ ହୋଇଥିବା ରଘୁ ମହାନ୍ତିଙ୍କ ଦଳରେ ଏକଡା ବଡ ଦବଦବା ରହିଥିଲା। ହେଲେ ପୁଅବୋହୂଙ୍କ ବିବାଦ ପାଇଁ ସେ ଜେଲ ଯିବା ପରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପରେ ସେ ବିଜେପିରେ ସାମିଲ ହୋଇ ଗତଥର ଟିକେଟ ପାଇଥିଲେ ମଧ୍ୟ ହାରିଯାଥିଲେ।

ଏଥର ରଘୁ ମହାନ୍ତିଙ୍କୁ ବିଜେପି କୌଣସି ସ୍ଥାନ ପାଇଁ ଟିକେଟ ଦେଇ ନାହିଁ। ଏପଟେ ବିଜେଡି ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଫଳରେ ରଘୁନାଥ ପୁଣି ବିଜେଡିକୁ ଫେରି ବାଲେଶ୍ବର ରାଜନୀତିରେ ସକ୍ରିୟ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗତଥର ବାଲେଶ୍ବର ଏମପି ପ୍ରାର୍ଥୀ ଥିବା ରବିନ୍ଦ୍ର ଜେନାଙ୍କୁ ବିଜେଡି ଏଥର ଟିକେଟ ଦେଇ ନାହିଁ। ବରଂ ତାଙ୍କ ଧର୍ମପତ୍ନୀ ସୁଭାଶିନୀ ଜେନାଙ୍କୁ ବସ୍ତାର ବିଧାୟକ ପ୍ରାର୍ଥୀ କରିଛି।

ସେଥିପାଇଁ ବାଲେଶ୍ବର ରାଜନୀତିରେ ବର୍ତ୍ତମାନ ରଘୁନାଥ ଫାକ୍ଟର ବଡ ଚର୍ଚ୍ଚାର ପରିସରକୁ ଆସିଛି। ଅନ୍ୟଏକ ସୁତ୍ର ଅନୁସାରେ କୁଆଡେ ରଘୁନାଥ ସାଂସଦ ପ୍ରାର୍ଥୀ ହେବା ଅପେକ୍ଷା ବସ୍ତାରୁ ଲଢେଇ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଦଳ ତାଙ୍କ କଥାକୁ ବିଚାର କରେ ତେବେ ସୁଭାଶିନୀଙ୍କୁ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ କରି ରଘୁନାଥଙ୍କୁ ବସ୍ତା ବିଧାୟକ ପ୍ରାର୍ଥି କରାଯିବ ବୋଲି ଚର୍ଚ୍ଚା ଚାଲିଛି।

Related posts