କେଦାର ମିଶ୍ର
କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ କଂଗ୍ରେସ ସେଠାରେ କ୍ରମଶଃ ଦୁର୍ବଳ ହୋଇ ଅତି ଗୁରୁତ୍ଵହୀନ ସ୍ଥାନକୁ ଖସି ଆସିଲା। ତେବେ ଉତ୍ତର ଭାରତରେ ସୋସିଆଲିଷ୍ଟ ଓ କେବେ କେବେ ସ୍ଵତନ୍ତ୍ର ପାର୍ଟି କଂଗ୍ରେସକୁ କିଛିଟା ବିରୋଧ କରୁଥିଲେ।
୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ଅଣକଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ ଆସିଲା ଓ ସବୁ କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ନେଇ ୧୯୭୭ରେ ଦେଶର ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ୧୯୭୫ ରୁ କଂଗ୍ରେସ ବିରୋଧୀ ଶକ୍ତିମାନେ ନିଜର ସାମର୍ଥ୍ୟ ବଢାଇବାର ଅଭିଯାନ ଆରମ୍ଭ କରିଥିଲେ ଓ ତାର ପରିଣତି ସ୍ୱରୂପ ୪୪ ବର୍ଷ ପରେ ଆଜି କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି। ଅଣ କଂଗ୍ରେସ ରାଜନୀତିର ଆଉ ଏକ ଦାର୍ଶନିକ ପୃଷ୍ଠଭୂମି ମଧ୍ୟ ରହିଛି। ଧର୍ମନିରପେକ୍ଷ ଓ ସମାଜବାଦୀ ଚରିତ୍ର ବହନ କରୁଥିବା ବିରୋଧୀ ଶକ୍ତି ଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାବେଳେ ହିନ୍ଦୁତ୍ଵ ରାଜନୀତିର ଶକ୍ତି ବୃଦ୍ଧି ଘଟିଛି। ପଚାଶରୁ ସତୁରୀ ଦଶକ ପର୍ୟନ୍ତ କଂଗ୍ରେସର ଯେଉଁ ସର୍ବଗ୍ରାସି ଚରିତ୍ର ରହିଥିଲା, ତାହା ଆଜିର ଶାସକ ଦଳ ବିଜେପିକୁ ସଂକ୍ରମିତ ହୋଇଛି। ଏବେ ବିଜେପି ଦେହରେ ଜନସଙ୍ଘ ବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପରିଚୟ ରଖିଥିଲେ ମଧ୍ୟ, ଏହାର ମାନସିକ କଂଗ୍ରେସୀକରଣ ହୋଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯେଉଁ ଏକଛତ୍ରବାଦୀ ଚରିତ୍ର ରହିଥିଲା, ତାହା ଆଜି ନରେନ୍ଦ୍ର ମୋଦୀଙ୍କ ବିଜେପିକୁ ମାଡିସାରିଛି।
ନବେ ଦଶକରେ କଂଗ୍ରେସର ବର୍ଚ୍ଚସ୍ଵ ଭାଙ୍ଗିବାକୁ ଯାଇ ବିଭିନ୍ନ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ ନିଜର ପ୍ରାଧାନ୍ୟ ବିସ୍ତାର କାଲେ। ଆନ୍ଧ୍ରପ୍ରଦେଶରେ ସିନେ ତାରକା ଏନ.ଟି.ରାମାରାଓଙ୍କ ସଫଳତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ ସଂଯୁକ୍ତ ଜନତା ଦଳ,ତାମିଲନାଡୁରେ ଏଆଇଡିଏମକେ ଓ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଓ ୱାଇଏସଆର, କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତାଦଳ, ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ ଓ ଓଡିଶାରେ ବିଜୁ ଜନତା ଦଳର ସଫଳ ନେତୃତ୍ଵ ପ୍ରତିଷ୍ଠା କରିଥିଲା। ଅଶି ରୁ ୨୦୧୪ ପର୍ୟନ୍ତ ଆଞ୍ଚଳିକ ଦଳମାନେ ଜାତୀୟ ରାଜନୀତିର ମୁଖ୍ୟ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢିଲା ପରେ ଏହା ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ ଖତମ କରିଦେବାର ସୁଚିନ୍ତିତ ରଣ କୌଶଳ ଆରମ୍ଭ କରି ସେଥିରୁ ଅନେକଙ୍କୁ ମାଟିରେ ମିଶାଇ ସାରିଥିବା ବେଳେ ଆଉ କିଛି ଏବେ ବିଜେପିର ଳୋଲୁପ ନଜରରେ ରହିଛନ୍ତି। ସେଥିରୁ ଓଡିଶାରେ ବିଜୁ ଜନତା ଦଳ ଅନ୍ୟତମ ବୋଲି କୁହାଯାଉଛି।
ଗତ ଦୁଇଟି ନିର୍ବାଚନରେ ଯେଉଁ ଦୁଇ ତିନିଟି ଆଞ୍ଚଳିକ ଶକ୍ତିକୁ ସାମ୍ନା କରିବାରେ ବିଜେପି ଅସମର୍ଥ ହୋଇଛି ସେଥିରୁ ବିଜୁ ଜନତା ଦଳ ଅନ୍ୟତମ। ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ମାତ ଦେବାକୁ ଗତ ୬ ବର୍ଷ ଧରି ପ୍ରବଳ ଉଦ୍ୟମ କରିଆସୁଥିବା ବିଜେପି ଏବେ ବିଜେଡି ସହିତ ସନ୍ଧି କରିବା ଆରମ୍ଭ କରିଛି। ଏହାର କାରଣ କଣ? ବିଜେଡ଼ିକୁ ବିଜେପିର ସହଯୋଗ ପଛରେ ତଥାକଥିତ ସହଯୋଗୀ ସଙ୍ଘୀୟ ବିଚାର ରହିଛି ନା ଏହା ବିଜେପିର “ସର୍ବଦଳ ଗିଳା” ଅଭିଯାନର ଏକ ଅଂଶ ବିଶେଷ ତାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନବୀନ ଥିବା ଯାଏ ଓଡିଶାରେ ବିଜେପିର ଭବିଷ୍ୟତ ଉଜ୍ଜଳ ନୁହେଁ, ଏକଥା ଗତ ଦୁଇଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି।ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ରହିଥିବାରୁ କିଣାବିକା ଓ ଭଙ୍ଗାଗଢା ରାଜନୀତି କରିବା ଭଳି ଅନୁକୂଳ ସ୍ଥିତି ବିଜେପି ପାଖରେ ନାହିଁ। ଅଗତ୍ୟା ବିଜେଡି ସହିତ ସନ୍ଧି କରି ବିଜେଡ଼ିକୁ ଅକ୍ତିଆର କରିବାର ଏକ ଦୂରଗାମୀ ଲକ୍ଷ୍ୟ ବିଜେପି ପାଖରେ ରହିଛି।
ବିଜେଡି ଭିତରେ ନବୀନଙ୍କ ପରବର୍ତ୍ତୀ ନେତୃତ୍ଵ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଯୋଜନା ନାହିଁ। ତେଣୁ ତାକୁ ବିଜେପି ଏକ ସୁଯୋଗ ବୋଲି ଭାବୁଛି। ନବୀନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ବିଶେଷ ବିରୋଧର ସମ୍ଭାବନା ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥିବା ଓ ବିରୋଧୀ ଦଳଙ୍କର ଘର ଉଜାଡିଦେବାରେ ଦକ୍ଷତା ହାସଲ କରିଥିବା ବିଜେପି ର ବିଜେଡି ପ୍ରତି ଏ ଯେଉଁ ଅଭିନବ ପ୍ରେମ ଏଥିରେ ମା ର ମମତା ଅଛି ନା ପୁତନା ର ବିଷ ଭରି ରହିଛି, ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ।