ମିଶିଲା ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

Published: Mar 21, 2025, 6:21 pm IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର 16ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ 7ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି।

ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ ।

ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ । ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ ।

ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେଲେ:

(କ) ହିତାଧିକାରୀ ମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା ।
(ଖ) AB PMJAY କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଠାରୁ କେନ୍ଦ୍ରୀୟ ଅଂଶଧନ ପାଇବେ ।

ସେହିପରି, ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସର ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ପରି ଚାଲୁରହିବ ।

Related posts