ନୂଆପଡାରେ ପ୍ରଚାର ଜୋରଦାର: ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ପାଇଁ ଦମଦାର ପ୍ରଚାର କରିଛନ୍ତି। ଦ୍ବିତୀୟ ଥର ପାଇଁ ନବୀନ ନୂଆପଡା ଗସ୍ତ କରି ସେ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।ନବୀନ ପ୍ରଥମେ ଏକ ବିରାଟ ରୋଡ ସୋ ରେ ଯାଇ ଲୋକଙ୍କୁ ହାତ ହଲାଇ ସମର୍ଥନ ମାଗିଥିଲେ। ଏହି ସମୟରେ ଉଭୟ ପାର୍ଶ୍ବରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।
ନବୀନ ପ୍ରଥମେ ଖରିଆର ରୋଡ୍ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚି ସେଠାରୁ ଏକ ରୋଡ୍ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯାଇଥିଲେ। ସେଠାର ପରକୋଡଠାରେ ଏକ ସଭାରେ ସେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ପ୍ରଚାର ବେଳେ ନବୀନ ଜୟ ଢୋଲକିଆଙ୍କୁ ବେଇମାନ ବୋଲି କହିଥିଲେ। ହେଲେ ଏଥର ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସେ ଜନସମାଗମକୁ ପ୍ରଶ୍ନ କରିଥିଲେ ଯେ, ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି? ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିଛି କି ବୋଲି ପଚାରିଥିଲେ ନବୀନ। କେବେ ମିଳିବ ସମସ୍ତଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ ? ଯୁବକଙ୍କୁ ଚାକିରି ଓ ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି ? କଟନି ଛଟନି ବନ୍ଦ ହେଲା କି ?ଏପରି ପ୍ରଶ୍ନରେ ଲୋକେ ଜୋରରେ ନାହିଁ ବୋଲି ଉତ୍ତର ରଖିଥିଲେ।
ସେହିପରି ନବୀନ କହିଥିଲେ ଯେ, ଆପଣମାନଙ୍କୁ ମିଳିଛି କେବଳ ଧୋକା ଧୋକା ଆଉ ଡବଲ ଧୋକା। ବିଏସକେଓ୍ବାଇରେ ସମସ୍ତଙ୍କୁ ସୁବିଧା ମିଳୁଥିଲା କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ସରକାର ଭୋଟ ଚୋରି କରିକି ସରକାର କରିପାରିବେ, ପ୍ରାର୍ଥୀ ବି ଚୋରି କରିପାରିବେ କିନ୍ତୁ ଭୋଟ ପାଇବେ ନାହିଁ। ଆପଣମାନେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦିଅନ୍ତୁ ବୋଲି ନବୀନ କହିଥିଲେ।
ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର ଜୋରଦାର ହୋଇଛି। ନବୀନ ଏଥିରେ ଦୁଇ ଥର ଗସ୍ତ କରିଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି ଥରେ ନୂଆପଡା ଗସ୍ତ କରିବେ। ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର କରି ଫେରିଯାଇଛନ୍ତି। ସେହିପରି କଂଗ୍ରେସ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମଧ୍ୟ ଶନିବାର ଦିନ ପ୍ରଚାରକୁ ଆସିବେ। ଆସନ୍ତା ଏଗାର ତାରିଖରେ ଭୋଟ ଗ୍ରହଣ ହେବ।


