ଭୁବନେଶ୍ବର: ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସହାୟତା ତୁରନ୍ତ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଓ ପରିବାରଙ୍କୁ ଗ୍ରାଚୁଇଟସ୍ ରିଲିଫ୍ (Gratuitous Relief) ଯୋଗାଇ ଦିଆଯିବ ଏବଂ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ।
ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ (SDRF) ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ।
ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟମ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା (Ex-gratia) ପ୍ରଦାନ କରାଯିବ।
ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪,୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ହିସାବରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ତୁରନ୍ତ ରିଲିଫ୍ ଓ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ କରୁଛି। ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ଚବିଶ ଘଣ୍ଟିଆ ସମୀକ୍ଷା କରୁଥିବା ବେଳେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଜାରି ରହିବ।
ଚଳିତ ବନ୍ୟାରେ ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍, ୧୫ଟି ପୌରାଞ୍ଚଳ, ୬୫୬ଟି ଗ୍ରାମ ପଞ୍ଚାୟତ ଏବଂ ୧୪୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୮ ଲକ୍ଷ ୬୩ ହଜାର ୯୦୯ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ, ପୂର୍ବ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୫୨୯ଟି ରିଲିଫ୍ ଶିବିର ଓ ୩୧ଟି ପଶୁ ଶିବିର କାର୍ଯ୍ୟକ୍ଷମ ରହିଛି।
ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପ୍ରାୟ ୪୧ କ୍ୱିଣ୍ଟାଲ ଚାଉଳ, ୧୧୧୫ କ୍ୱିଣ୍ଟାଲ ଚୁଡ଼ା, ୪୯୬ କ୍ୱିଣ୍ଟାଲ ଗୁଡ଼, ୩୮୬୯ଟି ପଲିଥିନ୍ ସିଟ୍ ସହ ବିଭିନ୍ନ ଜରୁରୀ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ସେହିପରି ପଶୁପାଳକମାନଙ୍କୁ ସହାୟତା ଦେବା ପାଇଁ ୧୮୧୬ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦ଟି ODRAF ଦଳ, ୭ଟି NDRF ଦଳ ଓ ୧୭୨ଟି ଅଗ୍ନିଶମ ବାହିନୀ ଦଳ, ଅର୍ଥାତ୍ ସର୍ବମୋଟ ୧୯୯ଟି ଉଦ୍ଧାରକାରୀ ଦଳ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିରନ୍ତର କାର୍ଯ୍ୟରତ ରହିଛନ୍ତି।
ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫୬୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ପ୍ରାୟ ୩୩,୪୫୮.୩୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି।
ବର୍ତ୍ତମାନ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରିରହିଛି। ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପଶୁଚିକିତ୍ସା, ପଲିଥିନ୍ ସିଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ନିରନ୍ତର ଭାବେ ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ଅତ୍ୟଧିକ ପ୍ରଭାବିତ ଜିଲ୍ଲାମାନଙ୍କୁ ୨୬ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା।


