Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ସହାୟତା ଘୋଷଣା; ୧୨୮ କୋଟି ଟଙ୍କାର ପ୍ୟାକେଜକୁ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ଅଗଷ୍ଟ ମାସର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪, ୨୩୫ ଟି ବାସଗୃହ, ୧୨୩୬ ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି। ୧, ୨୬, ୧୬୨ ହେକ୍ଟର ଚାଷ ଜମି ଶତକଡା ୩୩ ଭାଗରୁ ଉର୍ଦ୍ଧ୍ୱ ଫସଲ ହାନୀ ହୋଇଅଛି।

ଜିଲ୍ଲାପାଳ ମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର‌୍ୟ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷି ଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟପୋଖରୀ, ମତ୍ସ୍ୟଜାଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮ କୋଟି ୫୮ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି।

ସେହିପରି ଜଳବନ୍ଦୀ ଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲାପାଳମାନଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି।

ଇତି ମଧ୍ୟରେ ଜଳସଂପଦ ବିଭାଗ, ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ ଙ୍କଠାରୁ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ରିପୋର୍ଟ ହସ୍ତଗତ ହୋଇଅଛି । ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ ୫୨୭୭.୬୯ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୨୦୧୯.୪୪ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୪୨୫୪.୭୦ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୬୦୭.୭୨ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୫୦୩.୩୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି।

ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ ୪୩୫୩.୯୨ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୧୩୬୭.୨୫ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪୧୪.୩୭ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୮୨.୪୬ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୪୯୭.୫୧ ଲକ୍ଷ ଟଙ୍କା ବିପର‌୍ୟ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଅଛି। ଏହି ଭଳି ସର୍ବମୋଟ ୮୭୧୫.୫୧ ଲକ୍ଷ ଟଙ୍କା ଉକ୍ତ ବିଭାଗମାନଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନଃରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବନ୍ୟା କ୍ଷତିଗସ୍ତଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ତିନିଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା, ଜାଣନ୍ତୁ କଣ ଅଛି

ଭୁବନେଶ୍ବର, ନିକଟରେ ହୋଇଥିବା ବନ୍ୟାରେ ଚାଷୀ, ବୁଣାକାର ଏବଂ ଅନ୍ୟମାନଙ୍କ ଜୀବନ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଏଥିରେ ଚାଷୀମାନଙ୍କୁ ପ୍ରାୟ 300 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜରେ ଯାହା ରହିଛି ତାହା ହେଲା

1-ବନ୍ୟାରେ 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ 6800 ଟଙ୍କାରୁ 18000 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ

2-ଡାଲି ଜାତୀୟ ଫସଲ ଚାଷୀଙ୍କୁ ମିଳିବ 20 ହଜାର ଟଙ୍କାର ମିନି କିଟ୍

3-50 ପ୍ରତିଶତ ରିହାତିରେ ଦୁଇ ହଜାର ପମ୍ପ ସେଟ୍  ଯୋଗାଇ ଦିଆଯିବ

4-ପାଞ୍ଚ ହଜାର ଶକ୍ତି ଚାଳିତ ସ୍ପ୍ରେୟାର 50 ପ୍ରତିଶତ ରିହାତିରେ ପ୍ରଦାନ

5-ପ୍ରଭାବିତ ଅଞ୍ଚଳ ଚାଷୀଙ୍କୁ 10 କୋଟି ଟଙ୍କା ବିଭିନ୍ନ ସବସିଡ ବାବଦକୁ ପ୍ରଦାନ

6-ଏକ ଲକ୍ଷ ଚାଷିଙ୍କୁ ପରିବା କିଟ୍ ପ୍ରଦାନ

7-ବନ୍ୟାରେ ଦୁଧିଆଳି ଗାଈ କିମ୍ବା ମଇଁଷ ମରିଥିଲେ 30000 ଟଙ୍କା, ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ 20000 ଟଙ୍କା ଦେବାକୁ ଘୋଷଣା

8-ମାଛ ଚାଷୀଙ୍କୁ ହେକ୍ଟର ପିଛା 12 ହଜାର 2ଶହ ଟଙ୍କାର ସହାୟତା ଘୋଷଣା

9-ବୁଣିକାରାମାନେ ଯନ୍ତ୍ରାଂଶ କିଣିବା ପାଇଁ 4 ହଜାର ଟଙ୍କା ଏବଂ କଞ୍ଚାମାଳ ପାଇଁ 4 ହଜାର ଟଙ୍କା ପାଇବେ

10-ବନ୍ୟା କମିବା ପରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ନରେଗା ରେ ତୁରନ୍ତ କାମ ଯୋଗାଇବା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟା ସହାୟତା ଘୋଷଣା : କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି।

ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ବନ୍ୟାଜନିତ  ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିମ୍ନୋକ୍ତ ଜରୁରୀ ସହାୟତା ଘୋଷଣା କରିଛନ୍ତି।

(୧) ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

(୨) ଗୁରୁତର ଭାବରେ କ୍ଷତିଗ୍ରସ୍ତ ଓ ଜଳମଗ୍ନ ଗ୍ରାମର ପରିବାରବର୍ଗଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ।

(୩) ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ।

(୪) SDRF ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।

(୫) SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ।

(୬)SDRF ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ।

(୭) କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ।

(୮) କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ।

ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ SDRF ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି। ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ  ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।