Categories
ବିଶେଷ ଖବର ରାଜ୍ୟ ଖବର

ଫୁଲୁଛି ମହାନଦୀ, ସଂଧ୍ୟାକୁ ପଶିବ ୯ ଲକ୍ଷ କ୍ୟୁସେକ ଜଳ, ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର: ଆଜି ପ୍ରାୟତଃ ବର୍ଷାର ପରିମାଣ କମ ଥିବାରୁ ବିଭିନ୍ନ ନଦୀର ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ହେଲେ ମହାନଦୀର ଉପରି ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀ ଫୁଲିବାରେ ଲାଗିଛି। ଗତକାଲି ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି, ହେଲେ ବରମୁଳରେ ପାଣି କମିଥିବାର ଜଣାପଡିଛି। ତେବେ ବର୍ତମାନ ମହାନଦୀର ମୁଣ୍ଡୁଳିଠାରେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି। ଏହା ବଢ଼ି ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡୁଳି ଠାରେ ପ୍ରବାହିତ ହେବ। ମହାନଦୀ ପାଇଁ ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ।

ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି। ତେବେ ବର୍ତ୍ତମାନ ସୁଦ୍ଧା କିଛି ବଡ଼ ଅଘଟଣ ହୋଇନି ବୋଲି ଜଳ ସଂପଦ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁରଠାରେ ବଢିବାକୁ ଲାଗିଛି। ହେଲେ ବିପଦ ସଂକେତ ତଳେ ଅଛି। କାଣୀ ନଦୀରେ ସାମାନ୍ୟ ଘାଇ ହୋଇଥିବାରୁ ତାକୁ ବଦଳା ଦିଆଯିବ ବୋଲି ଜଳସଂପଦ ବିଭାଗ କହିଛି।

ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନି। ତେବେ ବର୍ତ୍ତମାନର ସ୍ଥିତି ଯାହା ଏବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଅନୁମାନ କରାଯାଇଛି। ଏହା ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସରକାର ଅନୁମାନ କରିଛନ୍ତି। ଏସଆରସି ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି। ଆଜି ସକାଳ ୬ଟାରେ ଏସଆରସି ବୈଠକ ନେଇଥିଲେ। ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି। ଆଜି ରାତିଟା ହେଉଛି ଗୁରୁତ୍ୱପୂର୍ଣ୍ଣ। କାରଣ ରାତିରେ ବନ୍ୟା ଜଳ ପ୍ରଭାହିତ ହେବ।

ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରଭାହିତ ହେବ। ତେଣୁ ବରିଷ୍ଠ ଅଧିକାରୀମାନଙ୍କୁ ସେଠାକୁ ପଠାଯାଇଛି।  ବଂଶଧାରାରେ କିଛି ବିପଦ ନାହିଁ। ବରମୁଳ ଠାରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଂଚଳର ଅଧିକ ପ୍ରଭାବିତ ହୋଇଛି।

ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି। ସେଠାରେ ୯୦ ରୁ ୧୦୦ ମିମି ବର୍ଷା ହୋଇଥିବାର ଜଣାପଡିଛି। ସୁନ୍ଦରଗଡ଼ର ଇବ ଓ ଭେଡେନରେ ପ୍ରଚୁର ବର୍ଷା ହୋଇଛି। ହେଲେ ହୀରାକୁଦରେ ଜଳସ୍ତର କମ ଅଛି। ଛତିଶଗଡ଼ ଗେଟ ଖୋଲି ଦେଇଛି। ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ ବୋଲି ଅନୁମାନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ବନ୍ୟାରେ କେତେ ଘର ଭାଙ୍ଗିଛି, କେତେ ଚାଷ ଜମି ଉଜୁଡିଛି, ଜାଣନ୍ତୁ ପୁରା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ଗତ ଅଗଷ୍ଟ ମାସର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪, ୨୩୫ ଟି ବାସଗୃହ, ୧୨୩୬ ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି। ୧, ୨୬, ୧୬୨ ହେକ୍ଟର ଚାଷ ଜମି ଶତକଡା ୩୩ ଭାଗରୁ ଉର୍ଦ୍ଧ୍ୱ ଫସଲ ହାନୀ ହୋଇଅଛି।

ଜିଲ୍ଲାପାଳ ମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର‌୍ୟ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷି ଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟପୋଖରୀ, ମତ୍ସ୍ୟଜାଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮ କୋଟି ୫୮ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ଏପରି କଥା

ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ। ହୀରାକୁଦ ବନ୍ଧର ଉପର ଓ ତଳ ଅଂଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା। ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ।

ସାଧାରଣ ମଣିଷପଣିଆ ଭୁଲିଯାଇଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିଛନ୍ତି। ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପଂହଚି ନାହାନ୍ତି। ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକିଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ। କିନ୍ତୁ ବର୍ତମାନ ସୁଦ୍ଧା ପ୍ରକୃତ କ୍ଷୟକ୍ଷତି ଆକଳନ କରିବାକୁ ପ୍ରଶାସନ ପହଂଚିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରାଯାଇଛି।

ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ଅତୀତରେ ଘଟିଯାଇଥିବା ଫନୀ, ହୁଡ୍ ହୁଡ୍‌, ୟଶ ବାତ୍ୟା ସହାୟତା ଅର୍ଥକୁ ରାଜ୍ୟ ସରକାର କାହିଁକି ଦେଇନାହାନ୍ତି ? ସାଧାରଣ ଲୋକଙ୍କ ଜୀବନ ନେବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା? କେନ୍ଦ୍ର ଆବାସ ଯୋଜନାକୁ କାହିଁକି ରାଜ୍ୟ ସରକାର ବାଟମାଣା କରୁଛନ୍ତି ? କାହିଁକି ବନ୍ୟା ପୀଡିତଙ୍କ ପ୍ରତି ରାଜ୍ୟ ସରକାର କଞ୍ଜୁସି କରୁଛନ୍ତି ? ଏହା ଦ୍ୱାରା ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ବୋଲି କହିବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଋଣ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଦାବି କରିଛନ୍ତି।

ପ୍ରତ୍ୟେକ ବର୍ଷ ବନ୍ଦ ମରାମତି ଲାଗି ରାଜ୍ୟ ସରକାର ମିଛ ବିଲ୍ ପ୍ରସ୍ତୁତ କରି ଖର୍ଚ୍ଚ ଦେଖାଉଛନ୍ତି। କୌଣସି ନଦୀବନ୍ଦ କି ପୋଲର ମରାମତି ପାଇଁ କୌଣସି ଜାଗାରେ ମୁଠାଏ ମାଟି ରାଜ୍ୟ ସରକାର ପକାଇ ନଥିବାର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ସମୟରେ ସ୍ପଷ୍ଟ ଜଣାପଡିଥିଲା। ରାଜ୍ୟ ସରକାରଙ୍କ ବନ୍ୟା ନିୟନ୍ତ୍ରଣ ଲାଗି ଯୋଜନା ପ୍ରସ୍ତୁତ କରିନାହାନ୍ତି। ନଦୀ ସଂଯୋଗୀକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିରୋଧ କରୁଛନ୍ତି ? ଓଡ଼ିଶାରେ କାହିଁକି ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରୁନାହାନ୍ତି ଏହାର ଜବାବ ରଖିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।

ଚଳିତ ବନ୍ୟା ରାଜ୍ୟ ସରକାରଙ୍କ ଅପାରଗତା, ଦାୟୀତ୍ୱହୀନତା, ସମ୍ବେଦନହୀନତା ଆଦିକୁ ପଦାରେ ପକାଇଛି ଏବଂ ଚାର୍ଜସିଟ୍‌କୁ ନେଇ ଲୋକଙ୍କ ପାଖକୁ ବିଜେପି ଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଓ ପୂର୍ବତମ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉତ୍ତର ଓଡିଶାରେ ପ୍ରବଳ ବର୍ଷା, ବନ୍ୟା ଘେରରେ ବାଲେଶ୍ୱର ଜିଲ୍ଲା, ୨୨୩୮ ଟି ଗ୍ରାମ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍‌ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି।

ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି। ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି। ସୁବର୍ଣ୍ଣରେଖା ଜାମଶୋଳାଘାଟଠାରେ ୫୩.୩୪ ମିଟର ଉଚ୍ଚରେ ରହିଛି। ଏହା କ୍ରମଶଃ ବୃଦ୍ଧି ପାଉଛି।

ଆଜି ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୮ ହଜାର ୪୫୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୧୭୧ କ୍ୟìସେକ୍‌ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୩ ଲକ୍ଷ ୬୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବଡମୂଳଠାରେ ୫ ଲକ୍ଷ ୭୬ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିଠାରେ ୮ ଲକ୍ଷ ୬ ହଜାର କ୍ୟìସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ ହ୍ରାସ ପାଉଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୩ ଟି ଜିଲ୍ଲାର ୭୩ ଟି ବ୍ଲକ ୬୦୯ ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୮ ଟି ଗ୍ରାମ ପ୍ରଭାବିତ ହୋଇଛି। ରାଜ୍ୟର ୭୬୮ ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୬୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ୩୨୪ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ।

ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ଟି ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲାଯାଇଥିବାବେଳେ, ୧୧୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୃତୟନ ହୋଇଛି। ୪୨ହଜାର ୨୭୪ ଟି ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ୨୫୩ ଟି ହାଲୋଜିନ୍‌ ବଟିକା ବଣ୍ଟାଯାଇଛି। ଏହି ସମୟରେ ୭୩୦୦ ସାଧାରଣ ରୋଗର ଚିକିତ୍ସା ହୋଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି।

ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୮ ହଜାରରରୁ ଊଦ୍ଧ୍ୱର୍ ପଶୁଙ୍କୁ ଚିକିତ୍ସା କରାଯାଇଅଛି। ୧୦ ଟି ଜିଲ୍ଲାକୁ ୮୬୪.୦୬ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଅଛି।

ବନ୍ୟାଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୯୩ ହଜାର ୨୦୦ ପାଣି ବୋତଲ ଓ ୧୨ ଲକ୍ଷ ୨୯ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି। ଏହା ସହ ୨୦୩ ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୪ ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ୍‌, ୧୭ ଟି ଓଡ୍ରାଫ୍‌, ୫୫ ଟି ଅତିରିକ୍ତ ଫାୟର ସର୍ଭିସ୍‌ ଟିମ୍‌ ମୃତୟନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡରାଇଲାଣି ସୁବର୍ଣ୍ଣରେଖା ଓ ବୈତରଣ ନଦୀ, ଆସନ୍ତା ଦୁଇଦିନ ବଡ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଆଜି ପୂର୍ବାହ୍ଣରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,ସୁବର୍ଣ୍ଣରେଖା ଜଳସେଚନ ଡିଭିଜନର ମୁଖ୍ୟଯନ୍ତୀ,ବାଲେଶ୍ୱର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ,ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନ ଉପସ୍ଥିତ ଥିଲେ।

ବନ୍ୟା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିବା ନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଆଲୋଚନା ଅନୁସାରେ ଆଜି ସକାଳ ସୁଦ୍ଧା ଝାଡଖଣ୍ଡର ଗାଲୁଡିହ ଜଳଭଣ୍ଡାରରୁ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ଓଡିଶାରେ ସୁବର୍ଣ୍ଣରେଖା ନଦୀରେ ଆଜି ସଂଧ୍ୟାରୁ ଆସନ୍ତା କାଲି ୧୦ ଟା ଭିତରେ ଜଳସ୍ତର ବୃଦ୍ଧି ପାଇବ ଓ ସେଥି ଯୋଗୁଁ ବଡ ଧରଣର ବନ୍ୟାର ସମ୍ଭାବନା ରହିଛି। ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଂଚଳ ପ୍ରଭାବିତ ହେବ।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ନଦୀବନ୍ଧ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ସତର୍କ ରହି ନିୟମିତ ତଦାରଖ କରନ୍ତୁ। ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗର ଅଧିକାରୀ, କ୍ଷେତ୍ର ସ୍ତରରେ ଥିବା ଯନ୍ତ୍ରୀ ଓ କର୍ମଚାରୀ ଭାବେ ଅଧିକ ଚଳ ଚଞ୍ଚଳ ରହି ବନ୍ୟା ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ନଦୀଗୁଡିକରେ ବିଭିନ୍ନ ସମୟରେ ଜଳସ୍ତର ଓ ଜଳପ୍ରବାହ ସଂପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ ମନ୍ତ୍ରୀବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ସବୁ ସମୟରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରାଯାଉଛି। ବନ୍ୟା ମୁକାବିଲା ପାଇଁ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ତଥା ଯନ୍ତ୍ରୀମାନଙ୍କୁ ପଠାଯାଇଛି ଓ ସେମାନେ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ଅନୁଧ୍ୟାନ କରି ବନ୍ୟା ପରିଚାଳନା କରୁଛନ୍ତି।