Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଶ୍ମୀରରେ ଯଦି ସବୁକିଛି ସ୍ଵାଭାବିକ ଅଛି, ତାହେଲେ ବିରୋଧୀ ଦଳ ଓ ଗଣମାଧ୍ୟମ ଉପରେ ଏ ପ୍ରତିବନ୍ଧକ କାହିଁକି?
ବିଶେଷ ଖବର

କଶ୍ମୀରରେ ଯଦି ସବୁକିଛି ସ୍ଵାଭାବିକ ଅଛି, ତାହେଲେ ବିରୋଧୀ ଦଳ ଓ ଗଣମାଧ୍ୟମ ଉପରେ ଏ ପ୍ରତିବନ୍ଧକ କାହିଁକି?

August 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମ ସରକାର ଓ ସରକାରୀ ପୋଷା ଗଣମାଧ୍ୟମ କହିଚାଲିଛନ୍ତି, କାଶ୍ମୀରରେ ସବୁକିଛି ସହଜ ଓ ସ୍ଵାଭାବିକ ଚାଲିଛି। ତେବେ ସେ ସ୍ଵାଭାବିକ ଅବସ୍ଥାଟି କଣ? ଗଣତନ୍ତ୍ରରେ ସ୍ଵାଭାବିକ ବ୍ୟବସ୍ଥା କହିଲେ ଆମେ ବୁଝୁ, ମୁକ୍ତ ଓ ଅବାଧ ବିଚରଣ, ସମାନ ରାଜନୈତିକ ଓ ସାମାଜିକ ଅଧିକାର ଓ ମତ ପ୍ରକାଶର ପୂର୍ଣ୍ଣ ସ୍ଵାଧୀନତା। କଶ୍ମୀରର ତାହା ଅଛି କି? କଶ୍ମୀରର ତଥାକଥିତ ବିକାଶ ଲାଗି ମୋଦୀ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାଙ୍କୁ କଶ୍ମୀରବାସୀ କେମିତି ଗ୍ରହଣ କରିଛନ୍ତି, ସେକଥା ଜାଣିବାର ଅଧିକାର ଆମର ନାହିଁ କି? ଧାରା ୩୭୦ ଉଚ୍ଛେଦ ହେଲାପରେ ଯେଉଁମାନେ ବାସ୍ତବରେ ଆଜି ହିଁ କଶ୍ମୀର ସହ ଭାରତର ମିଶ୍ରଣ ହେଲା ବୋଲି ତାଳି ମାରୁଥିଲେ, ସେମାନେ କହିବେ କି, ଗତ ୨୦ ଦିନ ଭିତରେ କଶ୍ମୀରକୁ ପ୍ରବେଶ କରିବାର ଅଧିକାର କାହାକୁ ଦିଆଯାଉନାହିଁ କାହିଁକି? ଏପରିକି ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଶ୍ରୀନଗର ବିମାନ ବନ୍ଦରରୁ ଫେରେଇ ଦିଆଯାଉଛି କାହିଁକି?

ସରକାରୀ ଭକ୍ତମାନେ କହୁଛନ୍ତି, ରାହୁଲ ଗାନ୍ଧୀ ଓ ବିରୋଧୀ ନେତାମାନେ ସେଠିକି ଯାଉଛନ୍ତି କାହିଁକି? ଆଜ୍ଞା, ଏ ଦେଶ କଣ କେବଳ ସରକାରୀ ଦଳ ଓ ତାଙ୍କ ଭକ୍ତମାନଙ୍କର ଦେଶ? ଏଠି ଗଣତନ୍ତ୍ର ଅଛି ଟି? ସମ୍ବିଧାନ ଅନୁସାରେ ଦେଶ ଶାସିତ ହେଉଛି ଟି? ସମ୍ବିଧାନରେ କେଉଁଠି ଲେଖା ହୋଇଛି କି ସରକାରୀ ଦଳ ଗୋଟେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜନୈତିକ ଦଳମାନଙ୍କୁ ପ୍ରବେଶ ଅଧିକାର ଦେବେ ନାହିଁ? କଶ୍ମୀରର  ସବୁ ପ୍ରମୁଖ ରାଜନେତା ଏବେ ବନ୍ଦୀ। ବାହାରର କୌଣସି ନେତା ସେଠିକି ଯାଇପାରିବେ ନାହିଁ। ତାହେଲେ ସେଠାରେ କଣ ସାମରିକ ଶାସନ ଚାଲିଛି? କିଛିଦିନ ତଳେ କଶ୍ମୀରର ରାଜ୍ୟପାଳ (ଏବେ ତାଙ୍କ ପଦବୀ କଣ କାହାକୁ ଜଣାନାହିଁ) କହିଲେ, ରାହୁଲ ଗାନ୍ଧୀ ଯେତେବେଳେ କଶ୍ମୀର ଆସିବାକୁ ଚାହିଁବେ ସେ ତାଙ୍କୁ ହେଲିକପ୍ଟର ପଠେଇ ନେଇଆସିବେ। ଗତକାଲି ରାହୁଲ ନିଜେ ଶ୍ରୀନଗରରେ ପହଞ୍ଚିଲା ପରେ ତାଙ୍କୁ ବିମାନ ବନ୍ଦର ବାହାରକୁ ଛଡାଗଲା ନାହିଁ କାହିଁକି? ରାଜ୍ୟପାଳ ତାଙ୍କ କଥା ରଖିଲେ ନାହିଁ କାହିଁକି?

ଇତି ମଧ୍ୟରେ ଗତ ୨୩ ଅଗଷ୍ଟ ଦିନ ଆମେରିକାର ପ୍ରଖ୍ୟାତ ସଂବାଦପତ୍ର “ଦି ନ୍ୟୁୟର୍କ ଟାଇମ୍ସ” ଯେଉଁ ରିପୋର୍ଟ ଟି ପ୍ରକାଶ କରିଛି, ସେଥିରେ ସବୁକିଛି ବଡ ଅସ୍ଵାଭାବିକ ଓ ଅସହଜ ଲାଗୁଛି। ଅବଶ୍ୟ ବିବିସି, ୱାଶିଂଟନ ପୋଷ୍ଟ, ଗାର୍ଡିଏନ, ନ୍ୟୁୟର୍କ ଟାଇମ୍ସ, ଅଲ ଜଜୀରା ଭଳି ଆନ୍ତର୍ଜାତିକ ଗଣମାଧ୍ୟମକୁ ବିଶ୍ଵାସ ନ କରିବାକୁ ଆମକୁ କୁହାଯାଇଛି। ତେବେ ଆମର ଦେଶୀ ଗଣମାଧ୍ୟମ ଏ ବିଷୟରେ କିଛି କହୁଛି କି? ଆମର ଟିଭି ଚ୍ୟାନେଲ ଗୁଡିକ ନିଜ ନ୍ୟୁଜ ରୁମରେ ବସି “କଶ୍ମୀର ମେ ହୈ ଅମନ ଚୈନ, ଫିର ଭି ରାହୁଲ କ୍ୟୁ ହୈ ବେଚୈନ” ଭଳି ବିଚିତ୍ର ବିତର୍କ କରୁଛନ୍ତି। କଶ୍ମୀରର ଶ୍ରୀନଗର ଓ ଜମ୍ମୁ ରୁ କେବେ କେବେ କେମିତି ଖାଲି ସଡକର ଦୃଶ୍ୟ ଦେଖାଇ ଆମକୁ କୁହାଯାଉଛି, ଦେଖନ୍ତୁ, କଶ୍ମୀର କେତେ ଶାନ୍ତ ଓ ସ୍ଵାଭାବିକ ଲାଗୁଛି।

ଯେ କୌଣସି ଗଣମାଧ୍ୟମର ରିପୋର୍ଟ ଦେଖିଲେ ଲାଗୁଛି, କଶ୍ମୀର ଶ୍ମଶାନ ପରି ଶାନ୍ତ ମାନେ ହେଉଛି। ୨୦ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୟୟ ରହିଥିବା ସତୁରୀ ଲକ୍ଷ ଜନତା ଏବେ ଆମ ଲାଗି ଅନାବଶ୍ୟକ ମଣିଷମାତ୍ର। ସେମାନେ ବନ୍ଧୁକ ମୂନରେ ଶାସିତ ହେବାକୁ ବାଧ୍ୟ ବୋଲି ଅଦ୍ଭୁତ ଯୁକ୍ତି କରାଯାଉଛି। ତେବେ ବନ୍ଧୁକ ମୂନକୁ ବେଖାତିର କରି କଶ୍ମୀରରେ ପ୍ରତିବାଦ ଓ ପଥରମାଡ ଅବ୍ୟାହତ ରହିଛି। “ଦେୟାର ଇଜ ଓନ୍ଲି ୱାନ ସୋଲୁସନ, ଗନ ସୋଲୁସନ” ବୋଲି କଶ୍ମୀର ର ଯୁବକ ମାନେ ରାସ୍ତାରେ ଖୋଲାଖୋଲି ଚିତ୍କାର କରୁଥିବାର ଭିଡିଓ ନ୍ୟୁୟର୍କ ଟାଇମ୍ସ ରେ ଆମେ ଦେଖିଛୁ। ତଥାପି ଆମକୁ କୁହାଯାଉଛି, ଚୁପ ରୁହନ୍ତୁ, ସବୁକିଛି ଠିକ ଚାଲିଛି।

ବିରୋଧୀ ଦଳଙ୍କୁ ଗାଳି କରୁଥିବା ଓ ବିରୋଧୀ ଦଳର ଉପସ୍ଥିତିକୁ କଶ୍ମୀରରେ ବିରୋଧ କରୁଥିବା ଲୋକେ ଆମ ଦେଶରେ ଗଣତନ୍ତ୍ରର ସବୁଠୁ ବଡ ହତ୍ୟାକାରୀ। ଦେଶପ୍ରେମ ନାଁରେ ଏବେ ଗଣତନ୍ତ୍ରର ଶବଯାତ୍ରା ବାହାର କରୁଥିବା ଲୋକଙ୍କୁ ଆମେ କହିବାକୁ ଚାହୁଁଛୁ ଯେ, କଶ୍ମୀର ସେତେବେଳେ ଭାରତର ଅଭିନ୍ନ ଅଙ୍ଗ ହେବ, ଯେତେବେଳେ କଶ୍ମୀର ବାସୀ ଓ ଆମ ଭିତରେ ସମାନ ଅଧିକାର ବଣ୍ଟନ ହେବ। ସେମାନଙ୍କୁ ବନ୍ଧୁକ ମୂନରେ ବନ୍ଦୀ କରି ତାଙ୍କର ବିକାଶ କରୁଛୁ ବୋଲି କହିବା କେବଳ ମହାମିଛ ମାତ୍ର।

ଯଦି କଶ୍ମୀର ରେ ସବୁକିଛି ସହଜ ଓ ସ୍ଵାଭାବିକ ଅଛି ତାହେଲେ, ସବୁ ରାଜନୈତିକ ଦଳର ନେତା ସେଠିକି ଯାଇ ଶାନ୍ତି ଫେରାଇ ଆଣନ୍ତୁ। ଦେଶର ସବୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାରୁ ରିପୋର୍ଟ କରିବାର ସୁଯୋଗ ଦିଆଯାଉ। ଏପରିକି ଧାରା ୩୭୦ ଉଚ୍ଛେଦ ପରେ ଯେଉଁମାନେ ସେଠାରେ ଜମି କିଣିବାକୁ ଲାଳ ଗଡାଉ ଥିଲେ, ସେମାନଙ୍କୁ ମଧ୍ୟ ସେଠିକି ଯିବାକୁ ଦିଆଯାଉ।  କଶ୍ମୀରକୁ ପୂରା ଭାରତରୁ ବିଚ୍ଛିନ୍ନ କରି ସେଠାରେ ସବୁ ଠିକ ଚାଲିଛି ବୋଲି କହିବାର ଏ ଛଳନା କୁ ଏବେ ବିରୋଧ କରିବାର ସମୟ ଆସି ଯାଇଛି। ଯଦି କଶ୍ମୀର, ଶାନ୍ତ ଓ ସ୍ଵାଭାବିକ ଅଛି, ଏବେ ସାରାଦେଶର ନାରା ହେଉ- କଶ୍ମୀର ଚଲୋ!!

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.