Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ
ବିଶେଷ ଖବର

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଭାଶାଳୀ ଶିଳ୍ପୀ, ବନ୍ଧ ନୃତ୍ୟର ଦକ୍ଷ ପରିବେଷିକା ଏବଂ ଶକ୍ତିଶାଳୀ ଅଭିନୟ ପାଇଁ ପରିଚିତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକରେ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ଗୁରୁବାର ରାତି ପ୍ରାୟ ୨ଟା୩୦ ମିନିଟ୍‌ରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। ପରେ ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିଲା। ୧୯୫୭ ମସିହା ସେପ୍ଟେମ୍ବର ୨୫ରେ ପୁରୀରେ ଜନ୍ମଗ୍ରହଣ କରିଥିବା ବିଜୟଲକ୍ଷ୍ମୀ ମହାନ୍ତି ଶିଶୁକାଳରୁ ନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ପିତା ନବକିଶୋର ମହାନ୍ତି ଓ ମାତା ଚାରୁବାଳା ମହାନ୍ତିଙ୍କ କନ୍ୟା ବିଜୟଲକ୍ଷ୍ମୀ ଅଳ୍ପ ବୟସରୁ ନୃତ୍ୟସାଧନା ଆରମ୍ଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ସେ ପ୍ରଥମେ ଗୁରୁ ସୁଧାକର ସାହୁଙ୍କଠାରୁ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶୀର ବିଶିଷ୍ଟ ଗୁରୁ ଡ. ଦେବପ୍ରସାଦ ଦାସଙ୍କଠାରୁ ନୃତ୍ୟଶିକ୍ଷା ଗ୍ରହଣ କରିଥିଲେ।

ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟଧାରାରେ ସେ ନିଜର କଳାସାଧନାକୁ ସମୃଦ୍ଧ କରିଥିଲେ। ବନ୍ଧ ନୃତ୍ୟ ତାଙ୍କ ନୃତ୍ୟ ପରିବେଷଣର ଏକ ପ୍ରମୁଖ ବୈଶିଷ୍ଟ୍ୟ ଥିଲା। ଜଟିଳ ଶାରୀରିକ ଭଙ୍ଗୀ, ଲୟବୋଧ ଓ ନୃତ୍ୟକୌଶଳର ସମନ୍ୱୟରେ ବନ୍ଧ ନୃତ୍ୟକୁ ସେ ଅତ୍ୟନ୍ତ ଦକ୍ଷତାର ସହ ପରିବେଷଣ କରୁଥିଲେ। ସେହିପରି ତାଙ୍କର ଅଭିନୟ ଥିଲା ଅତ୍ୟନ୍ତ ଶକ୍ତିଶାଳୀ ଓ ଭାବପୂର୍ଣ୍ଣ। ମୁଖାଭିନୟ, ହସ୍ତମୁଦ୍ରା ଓ ଶରୀରୀ ଭାଷା ମାଧ୍ୟମରେ ଭାବକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ସେ ବିଶେଷ ଦକ୍ଷତା ଅର୍ଜନ କରିଥିଲେ। ନୃତ୍ୟ ସହିତ ଶିକ୍ଷାକ୍ଷେତ୍ରରେ ମଧ୍ୟ ବିଜୟଲକ୍ଷ୍ମୀଙ୍କ ଅବଦାନ ରହିଥିଲା। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶିକ୍ଷା ଓ କଳା ଦୁଇଟି କ୍ଷେତ୍ରରେ ସେ ନିଜର ପ୍ରତିଭାର ପରିଚୟ ଦେଇଥିଲେ।
ତାଙ୍କ କଳାସାଧନା କେବଳ ଓଡ଼ିଶା କିମ୍ବା ଭାରତ ମଧ୍ୟରେ ସୀମିତ ରହିନଥିଲା। ICCRର ସାଂସ୍କୃତିକ ପ୍ରତିନିଧି ଭାବେ ସେ ବିଦେଶର ବିଭିନ୍ନ ଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାଠମାଣ୍ଡୁ, ପ୍ୟାରିସ୍‌, ହଙ୍ଗେରୀ, ବୁଲଗେରିଆ, ଫ୍ରାନ୍ସ, ଏଡିନବର୍ଗ ଓ ବ୍ରିଟେନ୍‌,ୟୁକେ ଆଦି ସ୍ଥାନରେ ତାଙ୍କ ନୃତ୍ୟ ପରିବେଷଣ ଓଡ଼ିଶୀର ଆନ୍ତର୍ଜାତିକ ପରିଚିତିକୁ ଆହୁରି ସମୃଦ୍ଧ କରିଥିଲା। ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ୨୦୦୯-୧୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ। ଏଥିସହିତ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସେ ବିଭିନ୍ନ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ। ଦୀର୍ଘ କଳାଜୀବନରେ ବିଜୟଲକ୍ଷ୍ମୀ ମହାନ୍ତି ଓଡ଼ିଶୀ ନୃତ୍ୟର ଏକ ନିଆରା ଅଧ୍ୟାୟ ରଚନା କରିଥିଲେ। ବିଶେଷକରି ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟଧାରା, ବନ୍ଧ ନୃତ୍ୟ ଓ ଅଭିନୟ କ୍ଷେତ୍ରରେ ତାଙ୍କ ସାଧନା ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ।
ତାଙ୍କ ସ୍ୱାମୀ ଡ. ରାମକାନ୍ତ ସାହୁ ମଧ୍ୟ ପରଲୋକ ଗତ। ତାଙ୍କ ବିୟୋଗରେ ପରିବାରବର୍ଗ, ଶିଷ୍ୟ-ଶିଷ୍ୟା, ସହକଳାକାର ଏବଂ ଅସଂଖ୍ୟ କଳାପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜୟଲକ୍ଷ୍ମୀ ମହାନ୍ତି ଚାଲିଗଲେ, କିନ୍ତୁ ତାଙ୍କ ପାଦର ଘୁଙ୍ଗୁରର ନାଦ, ବନ୍ଧ ନୃତ୍ୟର ଅନନ୍ୟ ଭଙ୍ଗୀ ଓ ଅଭିନୟର ଭାବ ଓଡ଼ିଶୀ ନୃତ୍ୟ ଇତିହାସରେ ଚିରଦିନ ଜୀବନ୍ତ ରହିବ।

An Irreparable Void in the World of Odissi Dance: Renowned Dancer Vijayalakshmi Mohanty Passes Away
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026
Latest News

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.