ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ପ୍ରସିଦ୍ଧ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ସାମ୍ନାକୁ ଆସିଛି ଯୌନ ଉତ୍ପୀଡ଼ନର ସଙ୍ଗୀନ ଅଭିଯୋଗ। ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ନିକଟରେ ଏହି ଅଭିଯୋଗ ଦାଖଲ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତା ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଫେସର ଜଣଙ୍କ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନିଜ ବାସଭବନକୁ ଡାକି ଅସଦାଚରଣ କରିଥିଲେ। ଏହାସହ ଶ୍ରେଣୀଗୃହରେ ମଧ୍ୟ ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଗତ ମେ’ ମାସରେ ଏହି ଅଭିଯୋଗ କରାଯାଇଥିବା ବେଳେ ବର୍ତ୍ତମାନ ଆଇସିସି ଏହାର ତଦନ୍ତ କରୁଛି। ତେବେ ଏହି ସମ୍ପର୍କରେ ଜେଏନ୍ୟୁ ପ୍ରଶାସନ କିମ୍ବା କୁଳପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ।
ଅନ୍ୟପଟେ ଏହି ଘଟଣାକୁ ନେଇ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଜେଏନୟୁଏସୟୁ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଛାତ୍ର ସଂସଦ ଅଭିଯୋଗ କରିଛି ଯେ, କେତେକ ପ୍ରଫେସର ବିନା କୌଣସି ଆବଶ୍ୟକତାରେ ଗବେଷକ ଓ ଛାତ୍ରୀମାନଙ୍କୁ ରାତି ଅଧ ଯାଏଁ ଲାବୋରେଟରୀରେ ରହିବାକୁ ବାଧ୍ୟ କରୁଛନ୍ତି। ୟୁଜିସି ନିୟମାବଳୀ ଅନୁଯାୟୀ ଲାବ୍ ସମୟସୀମା ନିର୍ଦ୍ଧାରଣ କରିବା ସହ ରିସର୍ଚ୍ଚ ସ୍କୋଲାରମାନଙ୍କୁ ନିଜ ସୁବିଧା ଅନୁସାରେ କାମ କରିବାର ସ୍ୱାଧୀନତା ଦେବାକୁ ଦାବି କରାଯାଇଛି। ଜେଏନ୍ୟୁଏସ୍ୟୁ ପକ୍ଷରୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ପଠାଯାଇଥିବା ଇମେଲ୍ରେ ଦର୍ଶାଯାଇଛି ଯେ, ବିଜ୍ଞାନ ଲାବୋରେଟରୀଗୁଡ଼ିକରେ ଆବଶ୍ୟକ ସୁରକ୍ଷା ଉପକରଣ ନାହିଁ। ଗ୍ଲୋଭସ ନଥାଇ ଛାତ୍ରଛାତ୍ରୀଙ୍କୁ ‘ମରକ୍ୟୁରୀ’ (ପାରଦ) ଭଳି ବିପଜ୍ଜନକ ରସାୟନ ବ୍ୟବହାର କରିବାକୁ କୁହାଯାଉଛି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହା ସହିତ କେତେକ ପ୍ରଫେସର ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା, ମାନସିକ ଚାପ ପକାଇବା ଏବଂ ଭୟଭୀତ କରାଉଥିବା ଅଭିଯୋଗ ହୋଇଛି। ପ୍ରଫେସରମାନଙ୍କ ପାଇଁ ଜେଣ୍ଡର ଏବଂ ଜାତି-ସଂବେଦନଶୀଳତା ୱାର୍କସପ୍ କରିବାକୁ ଛାତ୍ର ସଂସଦ ଦାବି କରିଛି।
ଜେଏନ୍ୟୁରେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ନୂଆ ନୁହେଁ। ଏହାପୂର୍ବରୁ ଅପ୍ରେଲ ୨୦୨୫ରେ ବିଶ୍ୱବିଦ୍ୟାଳୟର ଏକଜିକ୍ୟୁଟିଭ୍ କାଉନ୍ସିଲ୍ ଶାସନ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ସ୍ୱର୍ଣ୍ଣ ସିଂଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା। ଜାପାନୀ ଦୂତାବାସର ଜଣେ ମହିଳା ଅଧିକାରୀଙ୍କ ଅଭିଯୋଗ ଏବଂ ଆଇସିସି ତଦନ୍ତ ଆଧାରରେ ପ୍ରଫେସର ସ୍ୱର୍ଣ୍ଣ ସିଂଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।


