ରାୟପୁର: ଛତିଶଗଡ଼ର ବହୁଚର୍ଚ୍ଚିତ ୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଜଗଦଲପୁର ସ୍ଥିତ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତ ଘଟଣାର ୧୩ ବର୍ଷ ପରେ ୧୦ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ମୋଟ ୧୧ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବିଚାରପ୍ରକ୍ରିୟା ଚାଲିଥିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଦଣ୍ଡିତ ୧୦ ଜଣ ଦୋଷୀଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ରହିଛନ୍ତି। ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ପ୍ରମିଳା ମୋଡିୟାମ୍ ଓରଫ୍ ଜ୍ୟୋତି, ଚୈତୁ ଲେକାମ୍ ଓରଫ୍ ମୁନ୍ନା, ସୁମିତା ଓରଫ୍ ପୁନେମ୍ ମୋଡିୟାମ୍, ମୁକ୍କା ମାଣ୍ଡଭି, କୋସା କାୱାସୀ ଓରଫ୍ କୋସାରାମ୍, ଆୟତା ମାର୍କାମ୍, ମଡକାମୀ ଦେବା, ଜୋଗା ମଡକାମୀ, ବଞ୍ଜାମୀ ସନ୍ନା ଓରଫ୍ ଚାମରୁ ଏବଂ ମହାଦେବ ନାଗ।
୨୦୧୩ ମସିହା ମେ’ ୨୫ ତାରିଖରେ କଂଗ୍ରେସର ‘ପରିବର୍ତ୍ତନ ଯାତ୍ରା’ କନଭୟ ବସ୍ତର ଜିଲ୍ଲାର ଦର୍ଭା ଥାନା ଅନ୍ତର୍ଗତ ଝିରମ୍ ଘାଟି ଜାତୀୟ ରାଜପଥ ଦେଇ ଫେରୁଥିଲା। ଏହି ସମୟରେ ମାଓବାଦୀମାନେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଆମ୍ବୁସ୍ ବିଛାଇବା ସହ ଅନ୍ଧାଧୁନ୍ଧ ଗୁଳିବର୍ଷା କରିଥିଲେ। ଏହି ଭୟଙ୍କର ନରସଂହାରରେ ଛତିଶଗଡ଼ର ତତ୍କାଳୀନ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦୀନେଶ, ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା ଓ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ସମେତ ୨୯ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ କେତେକ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ମଧ୍ୟ ସାମିଲ ଥିଲେ।


