ଭୁବନେଶ୍ୱର: ଜନସ୍ୱାସ୍ଥ୍ୟର ସୁରକ୍ଷା ସହିତ ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନଠାରୁ ଲୋକସେବା ଭବନ ପରିସର ମଧ୍ୟରେ ଧୂମପାନ କରିବା, ଯେକୌଣସି ପ୍ରକାର ତମାଖୁ ସେବନ କରିବା ଏବଂ ତମାଖୁ ଖାଇ ଛେପ ପକାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିୟମ ଅମାନ୍ୟ କଲେ ଏହାକୁ ଆଇନଗତ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ଜୋରଦାର କରାଯାଉଛି। ଆଗାମୀ ପିଢ଼ିକୁ ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ଦେବା ପାଇଁ ଏଭଳି ପଦକ୍ଷେପ ନିରନ୍ତର ଜାରି ରହିବ।


