ଭୁବନେଶ୍ବର: ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରି ଏକ ସମୃଦ୍ଧ ଓ ସଶକ୍ତ ସମାଜ ଗଠନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ୪୪ ଦିନ ବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନର ବିଧିବଦ୍ଧ ଶୁଭାରମ୍ଭ କରାଯାଇଛି। କୋମଳମତି ଶିଶୁମାନଙ୍କ ଶୈଶବକୁ ସୁରକ୍ଷିତ ରଖିବା ସହ ସେମାନଙ୍କୁ ଶିକ୍ଷା ଓ ଶ୍ରେଷ୍ଠ ଭବିଷ୍ୟତ ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ମହତ୍ତ୍ୱପୂର୍ଣ୍ଣ ତଥା ଯୁଗାନ୍ତକାରୀ ଅଭିଯାନରେ ରାଜ୍ୟର ପ୍ରତ୍ୟେକ ନାଗରିକ, ପଞ୍ଚାୟତ ପ୍ରତିନିଧି, ସାମାଜିକ ସଂଗଠନ ଓ ଆବାଳବୃଦ୍ଧବନିତା ସାମିଲ ହୋଇ ଏକ ଶିଶୁ ଶ୍ରମ ମୁକ୍ତ ତଥା ବିକଶିତ ଓଡ଼ିଶା ଗଠନରେ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଭାବପୂର୍ଣ୍ଣ ଆହ୍ୱାନ ଜଣାଇଛନ୍ତି। ଗ୍ରାମାଞ୍ଚଳରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।
ଏହି ୪୪ ଦିନିଆ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଗାଁ ଓ ପଞ୍ଚାୟତରେ ଶିଶୁମାନଙ୍କ ଅଧିକାର, ସେମାନଙ୍କ ପାଠପଢ଼ାର ଆବଶ୍ୟକତା ଏବଂ ଶିଶୁ ଶ୍ରମିକ ପ୍ରଥାର କୁପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଶିଶୁମାନଙ୍କ ହାତରେ କାମ ବଦଳରେ କଲମ ଧରାଇବା ଏବଂ ସେମାନଙ୍କୁ ସ୍କୁଲମୁଖୀ କରିବା ପାଇଁ ଏହି ଅଭିଯାନ ବିଶେଷ ସାହାଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ସମଗ୍ର ରାଜ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ଉତ୍ସାହ ପ୍ରକାଶ ପାଇଛି।


