ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ଜମି ଓ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ କଟକସ୍ଥିତ ରାଜସ୍ୱ ପର୍ଷଦ (ବୋର୍ଡ ଅଫ୍ ରେଭେନ୍ୟୁ) ପକ୍ଷରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ପ୍ରଦାନ କରାଯାଇଛି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ (ଓ.ଏସ୍.ଏସ୍.) କେସ୍ ନଂ. ୬୫୮/୨୦୨୨ରେ ମାମଲାର ଶୁଣାଣି କରି ରାଜସ୍ୱ ପର୍ଷଦ, ମହାପ୍ରଭୁଙ୍କ ନାମରେ ପୁରୀର ତାଳବଣିଆ/କୁଣ୍ଢେଇବେଣ୍ଟ ସାହି ମୌଜାରେ ଥିବା ଏକ ମୂଲ୍ୟବାନ ଜମି ସମ୍ବନ୍ଧୀୟ ରିଭିଜନ ପିଟିସନକୁ ଖାରଜ କରିଦେଇଛନ୍ତି। ରାଜସ୍ୱ ବୋର୍ଡ ନିଜ ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ସମ୍ପତ୍ତି ମୂଳତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି ଭାବେ ରେକର୍ଡଭୁକ୍ତ ଥିଲା। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ପରବର୍ତ୍ତୀ ସମସ୍ତ କାରବାରଗୁଡ଼ିକ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ର ଧାରା ୧୬(୨) ଅନୁଯାୟୀ ଆବଶ୍ୟକୀୟ ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ ନେଇଥିବାର କୌଣସି ବୈଧ ପ୍ରମାଣ ନାହିଁ। ତେଣୁ ବୋର୍ଡ ପକ୍ଷରୁ ଏହି ବିବାଦୀୟ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଆଦେଶ ଏବଂ ଆବେଦନକାରୀଙ୍କ ନାମରେ ଥିବା ନଟ୍-ଫାଇନାଲ୍ ରେକର୍ଡ ଅଫ୍ ରାଇଟ୍ସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।
ଏହି ସ୍ୱତନ୍ତ୍ର ରାୟ ପ୍ରକାଶ ପାଇବା ପରେ ବିବାଦୀୟ ଭୂ-ସମ୍ପତ୍ତି ପୁନର୍ବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିଜସ୍ୱ ସମ୍ପତ୍ତିରେ ସାମିଲ ହେବାକୁ ଯାଉଛି। ରାଜସ୍ୱ ବୋର୍ଡ ଉକ୍ତ ଜମିକୁ ଅମୃତମଣୋହି ସମ୍ପତ୍ତି ଭାବେ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ମନ୍ଦିର ପରିଚାଳନା କମିଟି’ଙ୍କ ନାମରେ ସମ୍ପୂର୍ଣ୍ଣ ରେକର୍ଡଭୂକ୍ତ କରିବା ପାଇଁ ବନ୍ଦୋବସ୍ତ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମ୍ପୃକ୍ତ ସାବିକ ଖାତାରେ ଥିବା ଅବଶିଷ୍ଟ ଅନ୍ୟ ସମସ୍ତ ସମ୍ପତ୍ତିକୁ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଅନ୍ତର୍ଭୁକ୍ତ କରିବା ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଅନ୍ୟପଟେ ରାଜସ୍ୱ ବୋର୍ଡଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ସ୍ୱାଗତ କରିବା ସହ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ତତ୍ପର ଓ ପ୍ରତିବଦ୍ଧ ରହିଆସିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଏବଂ ସରକାରୀ ରେକର୍ଡରେ ଆବଶ୍ୟକ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ସୂଚାରୁ ତତ୍ତ୍ୱାବଧାନରେ ପୁରୀ ତହସିଲଦାରଙ୍କ ଦ୍ୱାରା ଆଇନଗତ ରେକର୍ଡ ସଂଶୋଧନ କାର୍ଯ୍ୟ କରାଯିବ। ମହାପ୍ରଭୁଙ୍କ କୌଣସି ବି ସମ୍ପତ୍ତିର ବେଆଇନ ହସ୍ତାନ୍ତର, ବେଆଇନ ଦଖଲ, ଜମି ମାଫିଆଙ୍କ ଦ୍ୱାରା ହଡ଼ପ ଚେଷ୍ଟା କିମ୍ବା ଅନ୍ୟ କୌଣସି ଅନିୟମିତତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତ୍ୟେକଟି ଜମିର ସୁରକ୍ଷା ଓ ବେଆଇନ କବ୍ଜାରୁ ପୁନରୁଦ୍ଧାର ପାଇଁ ଆଇନ ଅନୁଯାୟୀ ସମସ୍ତ ଦୃଢ଼ ଓ ଆବଶ୍ୟକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।


