ଭୁବନେଶ୍ବର: ଛାତ୍ରନେତାମାନେ ସେବା ମନୋଭାବ ରଖନ୍ତୁ। ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ସହ ରାଜ୍ୟର ବିକାଶରେ ଭାଗୀଦାର ହୁଅନ୍ତୁ। ଗଣତନ୍ତ୍ରର ପ୍ରକୃତ ଶକ୍ତି ହେଉଛନ୍ତି ଯୁବବର୍ଗ। କିନ୍ତୁ, ଦୁଃଖର କଥା, ପୂର୍ବର ସରକାର ୨୦୧୭ ମସିହାଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଇଥିଲେ। ୮-୯ ବର୍ଷ ଧରି ଓଡ଼ିଶାରେ କଲେଜ ନିର୍ବାଚନ ହେଉ ନଥିଲା । ଆମ ସରକାରଙ୍କର ଏହା ଏକ ନିର୍ବାଚନ ପ୍ରତିଶ୍ରୁତି ଥିଲା, ଆମେ ତାକୁ ପୂରଣ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିକଟରେ ଶେଷ ହୋଇଥିବା ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଫଳତାକୁ ନେଇ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବିଜୟୀ ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିନନ୍ଦନ ଜଣାବା ସହ କହିଛନ୍ତି ଯେ ଏହି ବିଜୟ କେବଳ ନିର୍ବାଚନୀ ସଫଳତା ନୁହେଁ, ବରଂ ଯୁବପିଢ଼ିଙ୍କ ଆତ୍ମବିଶ୍ୱାସ, ସେବା ମନୋଭାବ ଓ ସକାରାତ୍ମକ ପରିବର୍ତ୍ତନର ପ୍ରତୀକ।ଏହି ବିଜୟ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏହା ହେଉଛି ମୋଦୀଜୀଙ୍କ ନେତୃତ୍ୱ ପ୍ରତି ଓଡ଼ିଶାର ଯୁବଶକ୍ତିର ବିଶ୍ୱାସ ଓ ଭରସାର ବିଜୟ। ଓଡ଼ିଶାର ଯୁବପିଢ଼ି ଆଜି ନକାରାତ୍ମକ ରାଜନୀତି କିମ୍ବା ଭ୍ରାନ୍ତ ପ୍ରଚାରଠାରୁ ଦୂରେଇ ରହି, ସେବା, ରାଷ୍ଟ୍ରଭକ୍ତି ଏବଂ ସକରାତ୍ମକ ପରିବର୍ତ୍ତନର ମାର୍ଗକୁ ଆପଣାଉଥିବା ପ୍ରମାଣ କରି ଦେଖାଇଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୭ ମସିହାରୁ ରାଜ୍ୟରେ ବନ୍ଦ ରହିଥିବା ଛାତ୍ରସଂସଦ ନିର୍ବାଚନ ପୁନର୍ବାର ଆରମ୍ଭ କରିବା ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ୨୦୨୪ ଡିସେମ୍ବରରେ କଟକରେ ଅନୁଷ୍ଠିତ ଏବିଭିପିର ରାଜ୍ୟସ୍ତରୀୟ ସମ୍ମିଳନୀରେ ସାରା ଓଡିଶାର ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଉପରେ ଭରସା ରଖି ନିର୍ବାଚନ କରାଯାଇଥିବାବେଳେ ଏହା ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବାରୁ ସମଗ୍ର ଛାତ୍ରସମାଜକୁ ମୁଖମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ସୁଗମ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କେଜିରୁ ପିଜି’ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା, ନବମ ଓ ଦଶମ ଶ୍ରେଣୀରେ ମାଗଣା ପାଠ୍ୟପୁସ୍ତକ ବଣ୍ଟନ, କନ୍ୟା ସୁମଙ୍ଗଳ ଯୋଜନା ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଭୁବନେଶ୍ୱର ଓ କଟକ ଭଳି ସହରରେ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ସରକାର ସୁଲଭ ମୂଲ୍ୟରେ ହଷ୍ଟେଲ ନିର୍ମାଣ କରିବେ। ଏଥିରେ ରିଡିଂ ରୁମ୍, ମେସ୍ ଓ ‘ଆମ ବସ୍’ ସେବାର ସୁବିଧା ରହିବ। ଏହାସହ ୟୁପିଏସସି ପରୀକ୍ଷା ପାଇଁ କୋଚିଂ ସୁବିଧା ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ଛାତ୍ରନେତାମାନେ କେବଳ ରାଜନୀତିରେ ସୀମିତ ନ ରହି ସାଧାରଣ ଛାତ୍ରଛାତ୍ରୀଙ୍କ ସମସ୍ୟା, କ୍ରୀଡ଼ା, ସାଂସ୍କୃତିକ ବିକାଶ ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ୟାମ୍ପସଗୁଡ଼ିକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବା ସହ ‘ଡ୍ରଗ୍ସ ଓ ଆଲକହଲକୁ ନା’ ବାର୍ତ୍ତାକୁ ଯୁବସମାଜ ମଧ୍ୟରେ ପ୍ରସାର କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମର ସଦୁପଯୋଗ କରିବା, ଅପପ୍ରଚାରର ଜବାବ ସକାରାତ୍ମକ ବାର୍ତ୍ତା ମାଧ୍ୟମରେ ଦେବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି। ଶେଷରେ ବିଜୟୀ ଛାତ୍ରନେତାମାନଙ୍କୁ ଅହଂକାର ନୁହେଁ, ବରଂ ଅଧିକ ପରିଶ୍ରମ ଓ ସେବା ମନୋଭାବ ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ‘ଜ୍ଞାନ, ଶୀଳ, ଏକତା’ ଆଦର୍ଶକୁ ଅନୁସରଣ କରି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଯୋଗଦାନ ଦେବାକୁ ଆହ୍ୱାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ , ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।


