Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହା ରେ ଦୁର୍ଭାଗା ଦେଶ, ଯେଉଁଠି ଧର୍ଷଣ ଅଭିଯୁକ୍ତ ବି ଗୃହମନ୍ତ୍ରୀ ଚଉକିରେ ବସିପାରେ!!
ବିଶେଷ ଖବର

ହା ରେ ଦୁର୍ଭାଗା ଦେଶ, ଯେଉଁଠି ଧର୍ଷଣ ଅଭିଯୁକ୍ତ ବି ଗୃହମନ୍ତ୍ରୀ ଚଉକିରେ ବସିପାରେ!!

September 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଭାରତର ଗୃହମନ୍ତ୍ରୀ, ଯେଉଁ ଚଉକି ରେ ଦିନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଭଳି ମହାନ ସ୍ଵାଧୀନତା ସଂଗ୍ରାମୀ ବସିଥିଲେ, ସେ ଚଉକିରେ ଚିନ୍ମୟାନନ୍ଦ ଭଳି ଜଣେ ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଲିପ୍ତ ମଧ୍ୟ ବସିପାରିଲା। ଏଇଟା ଦେଶର ଦୁର୍ଭାଗ୍ୟ ନା ଆମର ଜନଜୀବନରେ ବିବେକର ଆତ୍ମହତ୍ୟା, ସେକଥା କେହି ଆଜି ପଚାରିବେ ନାହିଁ। ଚିନ୍ମୟାନନ୍ଦ ଆଜି ସୁପ୍ରିମକୋର୍ଟ ଦ୍ଵାରା ଗଠିତ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଦ୍ଵାରା ଗିରଫ ହେବା ପରେ, ଏହି ଘଟଣାରେ ନ୍ୟାୟ ପାଇବା ଲାଗି ସଂଘର୍ଷ କରୁଥିବା ଅଭିଯୋଗକାରିଣୀଙ୍କୁ ସାମାନ୍ୟ ନ୍ୟାୟ ମିଳିଛି। ତେବେ ଏ ସଙ୍ଘର୍ଷର ଏହା ଆରମ୍ଭ ମାତ୍ର। ପ୍ରାୟ ୬ମାସ ର ସଂଘର୍ଷ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଇ ଏ ଘଟଣାରେ ପୋଲିସ କାର୍ୟାନୁଷ୍ଠାନ  ଆରମ୍ଭ ହୋଇଛି। ଯୌନ ଶୋଷଣ ଓ ଧର୍ଷଣ ଭଳି ଅପରାଧରେ ନ୍ୟାୟ ପାଇବାକୁ ହେଲେ ଆମ ଦେଶରେ ସୁପ୍ରିମ କୋର୍ଟ କୁ ଯିବାକୁ ପଡୁଛି। ପୋଲିସ ଓ ନିମ୍ନ ଅଦାଲତରେ ନ୍ୟାୟ ପ୍ରକ୍ରିୟାର ବାସ୍ତବ ସ୍ଥିତି କଣ, ଏହା ତାର ଏକ ଜ୍ଵଳନ୍ତ ପ୍ରମାଣ।

ଚିନ୍ମୟାନନ୍ଦ କିଏ? ଧର୍ଷଣ ଓ ଯୌନ ଶୋଷଣ ଭଳି ଅପରାଧରେ ସାମିଲ ଥିବା ଏ ବ୍ୟକ୍ତି ଦେଶର ଗୃହ ମନ୍ତ୍ରୀ ରହିଥିଲା କେମିତି? ଅଟଳ ବିହାରୀ ବାଜପାୟୀ ସରକାର ସମୟରେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହକାରୀ ମନ୍ତ୍ରୀ ଭାବରେ ଏ ପ୍ରକାର ଜଣେ ଅପରାଧୀ କାମ କରିବାର ସୁଯୋଗ ପାଇଥିଲା, ତାହାହିଁ ଇତିହାସର ସବୁଠୁ କଳଙ୍କିତ ପ୍ରଶ୍ନ। ନିଜକୁ ଭିନ୍ନ ମତାଦର୍ଶର ଦଳ ବୋଲି କହୁଥିବା ବିଜେପି କୁଲଦୀପ ସେଙ୍ଗର, ଚିନ୍ମୟାନନ୍ଦ ଓ କାଠୁଆ ଗଣଧର୍ଷଣ ର ଅପରାଧୀମାନଙ୍କୁ ସୁରକ୍ଷା ଦେଇଛି ନା ନାହିଁ? ଚିନ୍ମୟାନନ୍ଦ ରାମ ମନ୍ଦିର ଆଂଦୋଳନର ଜଣେ ପ୍ରମୁଖ ନେତା ଥିଲା ଓ ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଗୁରୁ ମହାନ୍ତ ଅବୈଦ୍ୟନାଥ ଙ୍କର ଘନିଷ୍ଠ ସହୋଯୋଗୀ ଥିଲା। ସେଥି ପାଇଁ ଚିନ୍ମୟାନନ୍ଦ ବିରୋଧରେ ଆପାତ ପ୍ରମାଣଯୋଗ୍ୟ ମାମଲା ରହିଥିଲେ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ତାକୁ ଛୁଇଁବାର ସାହସ କରୁନଥିଲା।

ଏ ଘଟଣାରେ ସବୁଠୁ ବଡ ଦୁଇଟି ପ୍ରଶ୍ନ ରହିଛି। ପ୍ରଥମ ପ୍ରଶ୍ନ ଜଣେ ଧର୍ଷଣକାରୀ ଓ ଯୌନ ଶୋଷଣକାରୀ ଗୃହମନ୍ତ୍ରୀ ଦାୟିତ୍ଵ ପାଇଥିଲା କେମିତି? ଦ୍ଵିତୀୟ ପ୍ରଶ୍ନ, ସୁପ୍ରିମ କୋର୍ଟ ନଗଲେ ଏ ଦେଶର ପୀଡ଼ିତାମାନଙ୍କୁ ନ୍ୟାୟ ମିଳିବ ନାହିଁ କି? ଯେଉଁ ମହିଳା ଜଣକ ଏହି ଘଟଣାରେ ନ୍ୟାୟ ପାଇବା ଲାଗି ସଂଘର୍ଷ କରୁଛନ୍ତି, ତାଙ୍କର ସାହସ ଓ ମନୋବଳକୁ ସଲାମ। ହେଲେ ସମସ୍ତେ ଏତେ ଲମ୍ବା ସଂଘର୍ଷ କରିପାରିବେ କି? ଦିଲ୍ଲୀ ଯାଏ ପହଞ୍ଚି କ୍ଷମତାଶାଳୀ ଓ ବିତ୍ତଶାଳୀ ଅପରାଧୀମାନଙ୍କୁ ଆଇନର ପଞ୍ଝାକୁ ଆଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ତାହାର ଅର୍ଥ କଣ, ଆମର ଆଇନ ବ୍ୟବସ୍ଥା ନାମକୁ ମାତ୍ର ରହିଛି ଓ ଏହାର କୌଣସି ସମ୍ମାନ ଥାନା ବା ନିମ୍ନ ଅଦାଲତରେ ମିଳିବ ନାହିଁ? ସୁପ୍ରିମ କୋର୍ଟଙ୍କ ଦୁଆର ଯାଏ ପହଞ୍ଚିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ।

ପ୍ରଥମ ପ୍ରଶ୍ନଟି ବେଶୀ ଗୁରୁତ୍ୱପୂର୍ଣ୍ଣ। ଚିନ୍ମୟାନନ୍ଦ ବିରୋଧରେ ରାଶି ରାଶି ପ୍ରମାଣ ରହିଥିବା ବେଳେ ତାକୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରୁ ନ ଥିଲା କାହିଁକି? ଏ ଲୋକ ଆଜି ମଧ୍ୟ ବିଜେପିରେ ରହିଛି କେମିତି? କେଉଁ ଆଧାରରେ ଓ ଯୋଗ୍ୟତା ବଳରେ ଏ ପ୍ରକାର ଲୋକ ବାଜପାୟୀ ଓ ଆଡଭାନୀ ଭଳି ନେତାଙ୍କ ପୃଷ୍ଠପୋଷକତା ପାଇଥିଲା? କାହିଁକି ଉତ୍ତର ପ୍ରଦେଶ ସରକାର ହାତକୁ ହାତ ବାନ୍ଧି ଏ ଲୋକ ପ୍ରତି ନିଜର ସମର୍ଥନ ଅବ୍ୟାହତ ରଖିଥିଲେ?

ଆମେ ଜାଣୁ, କୌଣସି ପ୍ରଶ୍ନର ଉତ୍ତର ଆମକୁ ମିଳିବ ନାହିଁ। ବିଜେପିର ବଡ ନେତାମାନେ ଧର୍ଷଣ ଓ ଯୌନ ଶୋଷଣ ଭଳି ଅପରାଧ କଲେ, ଜାତୀୟ ଗଣମାଧ୍ୟମର ପାଟି ଫିଟିବ ନାହିଁ। କିଛିଦିନ ତଳେ ଗୈରିକ ପୋଷାକ ଆଢୁଆଳରେ ଧର୍ଷଣ ହେଉଛି ବୋଲି କହିଥିବାରୁ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ବହୁତ ଗାଳି ଶୁଣିବାକୁ ପଡିଥିଲା। ଚିନ୍ମୟାନନ୍ଦ ଭଳି ଚରିତ୍ରକୁ ଦେଖିଲା ପରେ ଦିଗବିଜୟ ସିଂ ଯାହା କହିଥିଲେ ତାହା ମିଛ ନଥିଲା। ଆଜି ଚିନ୍ମୟାନନ୍ଦ ଗୃହ ମନ୍ତ୍ରୀ ଥିଲା କେମିତି ଓ ସେ ଆଜି ବି ବିଜେପିର ବଡ ନେତା ବୋଲାଇ ରହିଛି କେମିତି, ଏ ପ୍ରଶ୍ନ ଆମର ମୂକ ଗଣମାଧ୍ୟମ ପଚାରିପାରିବ କି?

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.