Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ
ବିଶେଷ ଖବର

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 6, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସଂପଦ ଦଳାଇ

ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ ନୃତ୍ୟଠାରୁ କିଛି କମ ନୁହେଁ। ସେଥିପାଇଁ ଗରବା ନୃତ୍ୟ ବର୍ତ୍ତମାନ ଗୁଜୁରାଟରୁ ଡେଇଁ ସାରା ଭାରତ ବର୍ଷରେ ଏକ ଲୋକପ୍ରିୟ ନୃତ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି। ଏପରିକି ବାହାର ଦେଶରେ ଥିବା ଗୁଜୁରାଟୀମାନେ ମଧ୍ୟ ଏହି ନୃତ୍ୟକୁ ସେଠାରେ ପ୍ରସାର କରାଇ ପାରିଛନ୍ତି। ନବରାତ୍ରୀ ବା ଦୁର୍ଗା ପୂଜା ଆସିଲେ ଭାରତର ସମସ୍ତ ରାଜ୍ୟରେ କେଉଁଠି ନା କେଉଁଠି ଏହି ଗରବା ଏବଂ ଦାଣ୍ଡିଆ ନୃତ୍ୟର ଆସର ଦେଖିବାକୁ ମିଳିଥାଏ।

ଗରବା ନୃତ୍ୟ କିପରି କରାଯାଇ ଥାଏ

ଏହି ନୃତ୍ୟ ପରିବେଷଣ ପୂର୍ବରୁ ଗୋଟିଏ ସ୍ଥାନରେ ଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରାଯାଇଥାଏ। ଏହାପରେ ସେଠାରେ ବାଦ୍ୟ ଶିଳ୍ପୀଙ୍କ ଦ୍ବାରା ବାଦ୍ୟ ପରିବେଷଣ କରାଯାଏ। ଏହାପରେ ନୃତ୍ୟଶିଳ୍ପୀମାନେ ବୃତ୍ତାକାର ଭାବେ ଘୁରି ଘୁରି ନୃତ୍ୟ ପରିବେଷଣ କରିଥାନ୍ତି। ଏହି ନୃତ୍ୟ ବହୁ ସମୟ ଧରି ପରିବେଷଣ କରାଯାଇଥାଏ। ସେଥିପାଇଁ ଏହାର ରିଦ୍ଦମି ବା ବାଦ୍ୟ ଶୈଳୀର ବେଗ ଧିର ହୋଇଥାଏ। ଏହି ଗରବା ନୃତ୍ୟଟି ହେଉଛି ଭାରତର ଏକ ପ୍ରସିଦ୍ଧ ଲୋକନୃତ୍ୟ । ଲୋକବାଦ୍ୟ ଏବଂ ଲୋକସଂଗୀତ ସମାହାର ହେଉଛି ଏହି ଗରବା ନୃତ୍ୟ। ଏଥିରେ ଯେଉଁ ବାଦ୍ୟ ବ୍ୟବହାର ହୋଇଥାଏ ତାହା ପାରଂପାରିକ ବାଦ୍ୟ। ଲୋକବାଦ୍ୟ ଭାବେ କେବଳ ଡ୍ରମ ବା ଢୋଲ ଏବଂ ହାରମୋନିୟମ ବ୍ୟବହାର କରାଯାଇଥାଏ।

ବର୍ତ୍ତମାନ ଅନେକ ଏଥିରେ ବିଭିନ୍ନ ଆଧୁନିକ ବାଦ୍ୟକୁ ସାମିଲ କରୁଥିଲେ ମଧ୍ୟ ପାରଂପାରିକ ବାଦ୍ୟର ମହକ ଅତୁଟ ରହିଛି। ଏହି ନୃତ୍ୟର ପରିବେଷଣ ସମୟ ହେଉଛି ରାତି। ଅର୍ଥାତ ମହିଳାମାନେ ରାତିରେ ଘରର ସମସ୍ତ କାମ ସାରିବା ପରେ ଏହି ନୃତ୍ୟ ଆରମ୍ଭ ହୋଇଥାଏ। ଗ୍ରାମର ବା ସହରର ଗୋଟିଏ ସ୍ଥାନରେ ସେଥିପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇ ଥାଏ। ସମସ୍ତେ ଆସିବା ପରେ ଆରମ୍ଭ ହୁଏ ଏହି ନୃତ୍ୟ। ଏଥିରେ ମହିଳା ଓ ପୁରୁଷମାନେ ଚକ୍ରାକାର ହୋଇ ନୃତ୍ୟ ପରିବେଷଣ କରିଥାନ୍ତି। ଗରବା ନୃତ୍ୟରେ ମହିଳା ନୃତ୍ୟଶିଳ୍ପୀମାନେ ହାତରେ କୌଣସି ଜିନିଷ ଧରି ନ ଥିବା ବେଳେ ପୁରୁଷମାନେ ହାତରେ ରଂଗୀନ ରୁମାଲ ଧରିଥାନ୍ତି। ଏଥିରେ ଯେଉଁ ଗୀତ ବୋଲା ଯାଇଥାଏ ତାହା ମା,ଅମ୍ବାଙ୍କ ନଅ ଟି ରୂପ ଉପରେ ଆଧାରିତ ହୋଇଥାଏ। ସେଥିପାଇଁ ଏହି ଗରବା ନୃତ୍ୟ ନବରାତ୍ରୀ ସମୟରେ ନଅ ଦିନ ପରିବେଷିତ ହୋଇଥାଏ।

ଗରବା ନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଏହାର ବେଶ ପୋଷାକ

ଏହି ଲୋକନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଏହାର ପୋଷାକ। ମୁଖ୍ୟତଃ ମହିଳାମାନେ ବା ଝିଅମାନେ ଯେଉଁ ପୋଷାକ ପିନ୍ଧନ୍ତି ତାହା ବେଶ୍ ଆକର୍ଷଣୀୟ। ଭାରତର ଅନ୍ୟ ନୃତ୍ୟ ଶୈଳୀ ପରି ଏହି ନୃତ୍ୟର ବେଶ ପୋଷାକ ଏହାର ଆକର୍ଷଣୀୟତାକୁ ବୃଦ୍ଧି କରାଇଥାଏ। ଏଥିରେ ମହିଳାମାନେ ସାଧାରଣତଃ ପାରଂପାରିକ ପୋଷାକ ପରିଧାନ କରିଥାନ୍ତି। ବିଭିନ୍ନ ଏମ୍ବ୍ରଡିଂ ଏବଂ ରଂଗୀନ ମଣିଯୁକ୍ତ ଥିବା ଘାଘରା ମହିଳାମାନେ ପିନ୍ଧିଥାନ୍ତି। ଏଥିସହିତ ସେମାନେ ମୁଣ୍ଡରେ ଏକ ଓଢଣୀ ମଧ୍ୟ ଦେଇଥାନ୍ତି। ସେହିପରି ମୁଣ୍ଡ ଓ ଦେହରେ ମହିଳାମାନେ ବିଭିନ୍ନ ରୂପା ତାରକସୀର ଅଳଙ୍କାର ପରିଧାନ କରିଥାନ୍ତି। ପୁରୁଷମାନେ ଏକ ରଂଗୀନ କୁର୍ତ୍ତା ବା ସାର୍ଟ ସହିତ ଏକ ଟ୍ରାଉଜର ପିନ୍ଧିଥାନ୍ତି। ହେଲେ ଏମାନେ ହାତରେ ଏକ ପ୍ରିଣ୍ଟେଡ ରୁମାଲ ଧରିଥାନ୍ତି। ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳର ନୃତ୍ୟଶିଳ୍ପୀମାନେ ପୁରା ଟିପିକାଲ ଗୁଜୁରାଟି ପୋଷାକ ପିନ୍ଧି ନୃତ୍ୟ କରିଥାନ୍ତି।

ପ୍ରାଚୀନ ଯୁଗର ଗରବା ନୃତ୍ୟ ଶୈଳୀଟି ଥିଲା ବେଶ କଷ୍ଟଦାୟକ

ବର୍ତ୍ତମାନ ଯେଉଁ ଗରବା ନୃତ୍ୟ ପରିବେଷଣ କରାଯାଉଛି ତାହା ହେଉଛି ମୂଳ ଗରବା ନୃତ୍ୟର ଏକ ପରିବର୍ତ୍ତିତ ଶୈଳୀ। କାରଣ ପ୍ରାଚୀନ ଯୁଗରେ ଏହି ନୃତ୍ୟ ପରିବେଷଣ ବେଶ କଷ୍ଟ ଦାୟକ ଥିଲା। ଏଥିରେ ନାରୀମାନେ ପାରଂପାରିକ ବେଶ ପୋଷାକରେ ସଜ୍ଜିତ ହେଉଥିଲେ, ହେଲେ ମୁଣ୍ଡରେ ଏକ ମାଠିଆ ଧରି ସାବଧାନତାର ସହ ନୃତ୍ୟ କରିବାକୁ ପଡୁଥିଲା। ଏପରିକି ମାଠିଆ ଉପରେ ଏକ ପଇଡ ମଧ୍ୟ ରଖାଯାଉଥିଲା। ମାଠିଆଟି ଭାରୀ କରିବା ପାଇଁ ତା ଭିତରେ ବିଭିନ୍ନ କୋଳି ଏବଂ ରୂପା ମୁଦ୍ରା ଭର୍ତ୍ତି କରାଯାଉଥିଲା। ସେହି ମାଠିଆକୁ ମୁଣ୍ଡରେ ରଖି ନୃତ୍ୟଶିଳ୍ପୀମାନେ ଦେହର ସନ୍ତୁଳନ ରକ୍ଷା କରି ନୃତ୍ୟ କରୁଥିଲେ। ସେତେବେଳେ ସମସ୍ତେ ଏପରି ନୃତ୍ୟ କରିବା କାଠିକର ପାଠ ଥିଲା। ନୃତ୍ୟଶିଳ୍ପୀଙ୍କ ମୁଣ୍ଡରେ ଥିବା ମାଠିଆକୁ ଏକ ପବିତ୍ର କୁମ୍ଭ ବୋଲି ବିବେଚନା କରାଯାଉଥିଲା। ନୃତ୍ୟର ମଝିରେ ମଝିରେ ଶିଳ୍ପୀମାନେ ତାଳି ମାରି ଘୁରିଘୁରି ନୃତ୍ୟ ପରିବେଷ କରୁଥିଲେ। ସେଥିପାଇଁ ସେମାନେ ପୂର୍ବରୁ ବହୁଦିନ ଧରି ଅଭ୍ୟାସ କରିବାକୁ ପଡୁଥିଲା। ଅନେକ ସ୍ଥାନରେ ଏହି ନୃତ୍ୟ ଶୈଳୀ ଆହୁରି କଷ୍ଟଦାୟକ ମଧ୍ୟ ଥିଲା। କେତେକ ସ୍ଥାନରେ ନୃତ୍ୟଶିଳ୍ପୀମାନେ ମାଠିଆରେ କଣା କରି ତା ମଧ୍ୟରେ ଏକ ଦୀପ ଜଳାଇ ନୃତ୍ୟ ପରିବେଷଣ କରୁଥିଲେ। କେତେକ ଏକ ଟୁଲ ଉପରେ ଠିଆ ହୋଇ ମଧ୍ୟ ନୃତ୍ୟ କରୁଥିବାର ଜଣାପଡିଛି।

ଗରବା ନୃତ୍ୟ ବିଭିନ୍ନ ସମୟରେ ପରିବେଷଣ କରାଯାଉଥିଲେ ମଧ୍ୟ ନବରାତ୍ର ସମୟରେ ଯେପରି ଭାବେ ପରିବେଷଣ କରାଯାଉଛି ତାହା ସବୁଠୁ ଆକର୍ଷଣୀୟ। ଏହି ନୃତ୍ୟ ଶୈଳୀର ଗୀତଟି ସଂପୂର୍ଣ୍ଣ ଭାବେ ମାଆଙ୍କ ନଅଟି ରୂପ ଉପରେ ଆଧାରିତ ଥିବାରୁ ନବରାତ୍ର ପରଂପରା ସହିତ ଏହା କାହିଁ କେଉଁ କାଳରୁ ଜଡିତ ହୋଇ ରହିଆସିଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.