Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇଟି ଲେମ୍ବୁ ପାଖରେ ସୁରକ୍ଷିତ ଆମ ଦେଶର ମହାନ ଭବିଷ୍ୟତ; ରଫାଲ ବିମାନ ଓ ଲେମ୍ବୁର ସମ୍ପର୍କ !!
ବିଶେଷ ଖବର

ଦୁଇଟି ଲେମ୍ବୁ ପାଖରେ ସୁରକ୍ଷିତ ଆମ ଦେଶର ମହାନ ଭବିଷ୍ୟତ; ରଫାଲ ବିମାନ ଓ ଲେମ୍ବୁର ସମ୍ପର୍କ !!

October 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Rafel ready to come India

କେଦାର ମିଶ୍ର 

ରଫାଲ ଆସୁଛି। ରଫାଲ ଆସିବାର କଥା ଆଜିର ନୁହଁ, ଗତ କୋଡିଏ ବର୍ଷ ତଳର। ସେନାବାହିନୀରେ ନୂଆ ଓ ଅତ୍ୟାଧୁନିକ ଲଢୁଆ ବିମାନ ସାମିଲ ହେବାର ପ୍ରକ୍ରିୟା, ଏକ ନିୟମିତ ସାମରିକ ପ୍ରକ୍ରିୟା। ୧୯୬୧ରେ ପ୍ରଥମ ଲଢୁଆ ଜେଟ ବିମାନ ଭାବରେ ମିଗ-୨୧ ଆମେ ତତ୍କାଳୀନ ସୋଭିଏତ ଋଷିଆ ରୁ କିଣିଥିଲୁ। ୧୯୬୧ ରୁ ଆଜି ଯାଏ ବହୁମୂଖୀ ଲଢୁଆ ବିମାନ ଭାବରେ ମିଗ-୨୧, ମିଗ-୨୯,ସୁଖୋଇ ସୁ-୩୦, ତେଜସ, ମିରାଜ-୨୦୦୦ ଓ ରଫାଲ ଆମ ସେନା ବାହିନୀରେ ସାମିଲ ହୋଇଛି। ପ୍ରଥମରୁ ଆମେ ଋଷିଆ ରୁ ଲଢୁଆ ବିମାନ କିଣୁଥିବା ବେଳେ ମିରାଜ ଓ ରଫାଲ ଫ୍ରାନ୍ସ ରୁ କିଣିଛୁ। ନିରନ୍ତର ଓ ନିୟମିତ ପ୍ରକ୍ରିୟାରେ ସେନା ବାହିନୀରେ ଅସ୍ତ୍ର ଶସ୍ତ୍ର କିଣା ହୁଏ।ତେବେ ଯୁଦ୍ଧ ବିମାନ କିଣାକୁ ନେଇ ରାଜନୀତି ଗୋଟେ ନୂଆ କଥା। ଏପରିକି ଦେଶର ପ୍ରତିରକ୍ଷା ମନ୍ତ୍ରୀ ନୂଆ କାର କିଣିବାକୁ ଗଲା ଭଳି ରଫାଲ ଯୁଦ୍ଧ ବିମାନ କିଣିବାକୁ ପହଞ୍ଚିବା ଆଉ ଗୋଟେ ନୂଆ କଥା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ୟାରିସରେ ଲେମ୍ବୁ ଓ ଲଙ୍କା ସାଙ୍ଗରେ ଧରି ରଫାଲ କିଣିବାକୁ ପହଞ୍ଚିଛନ୍ତି, ଏହା ଆମ ସମୟର ଏକ ବଡ ଖବର। ରଫାଲ ବିମାନର ଚକ ଆଗରେ ଦୁଇଟି ଶାଗୁଆ ଲେମ୍ବୁ ଥୁଆ ହୋଇଥିବାର ଦୃଶ୍ୟ ଆମ ସମୟର ଏକ ବିଚିତ୍ର ସଙ୍କେତ ଦେଉଛି। ସବୁଠୁ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ଲଢୁଆ ବିମାନ କୁ ସୁରକ୍ଷା ଦେବେ ଦୁଇଟି ଭାରତୀୟ ଲେମ୍ବୁ, ଚମତ୍କାର!!

ଏଏନଆଇ ନାମକ ସମାଚାର ଏଜେନ୍ସି ଏହି ଲେମ୍ବୁ ପୂଜାର ଫଟୋ ଜାରି କରିଛି। କ୍ୟାମେରାର ଫୋକସ ରଫାଲ ଠୁ ବେଶୀ ଲେମ୍ବୁ ଉପରେ ରହିଛି। ଏହାର ଅର୍ଥ ହେଉଛି ଭାରତ ସରକାର ବିଶେଷ ଭାବରେ ଲେମ୍ବୁ ପୂଜାକୁ ନେଇ ଆଗ୍ରହୀ। ଆମେ ଭାରତୀୟମାନେ ସବୁ କଥାରେ ପୂଜା କରିବାକୁ ଭଲପାଉ। ବିଶେଷ କରି ନୂଆ ଗାଡି କିଣିଲେ ତାକୁ ପୂଜା କରି ଦୁଇଟି ଲେମ୍ବୁ ଉପରେ ପ୍ରଥମ ଚକ ଗଡାଇବାକୁ ଏକ ପରମ୍ପରା ବୋଲି ଭାବିଥାଉ। ତେବେ ଏ ପରମ୍ପରାର ଉତ୍ସ କଣ, ସେକଥା କାହାକୁ ଜଣାନାହିଁ। କର୍ମକାଣ୍ଡରେ ବା ପୁରୁଣା ବୈଦିକ ଲୋକାଚାରରେ ଏ ପ୍ରକାର ପୂଜା ଦେଖିବାକୁ ମିଳେ ନାଇଁ। କିଏ କାହିଁକି ଲେମ୍ବୁ ଉପରେ ନୂଆ ଚକ ଗଡାଇବାର ପରମ୍ପରା ଆରମ୍ଭ କଲା,ତାହା ଗବେଷଣାର ବିଷୟ। ଅନ୍ତତଃ ବହୁ ସ୍ଥାନରେ ଏ ପରମ୍ପରା କିଛି ବର୍ଷ ଆଗରୁ ନଥିଲା। ଖାଲି ଯେ ଲେମ୍ବୁ ଉପରେ ଚକ ଗଡିବ, ତା ନୁହଁ, ନଜର ପଡିବନି ବୋଲି ନୂଆ ଗାଡି ଆଗରେ କଞ୍ଚା ଲଙ୍କା ଓ ଲେମ୍ବୁର ମାଳ ଟିଏ ମଧ୍ୟ ଝୁଲା ହେବ। ଆଉ ଟିକେ ଭାରି ଯାନ ହୋଇଥିଲେ ତା ପଛରେ ଛିଣ୍ଡାଜୋତାର ଚିତ୍ର ବା ଛିଣ୍ଡା ଜୋତା ମଧ୍ୟ ରହିବ।  “ବୁରି ନଜର ବାଲେ ତେରା ମୁହଁ କାଲା” ଭଳି କିଛି ଆପ୍ତ ବାକ୍ୟ ମଧ୍ୟ ଲେଖାଯିବ। ଆମେ ଜାଣିନୁ ରଫାଲ ଆଗରେ ଲଙ୍କା ଓ ଲେମ୍ବୁର ମାଳ ଝୁଳୁଛି କି ନାଇଁ।(ଭାରତୀୟ ସେନାବାହିନୀର ଅତ୍ୟନ୍ତ ଦକ୍ଷ ଅଧିକାରୀ ରହିଥିବା ଲେଫ୍ଟନାଣ୍ଟ ଜେନେରାଲ ଏଚ.ଏଏସ.ପନାଗ ଏହାର ଏକ ପରିକଳ୍ପିତ ଛବି ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି।)  ରାଜନାଥ ସିଂ ସିନା ରଫାଲ କୁ ଦଶହରା ଦିନ କିଣିଲି ବୋଲି ଆମକୁ ଦେଖେଇଲେ, ହେଲେ ଦେଶରେ ଏହା ପହଞ୍ଚିବ ଫେବୃଆରୀ, ୨୦୨୧ ରେ। ତେବେ ଏହାକୁ ନେଇ ପୂଜା ପାଠର ଇଏ ଆରମ୍ଭ ମାତ୍ର।

ରଫାଲ ଆଗରେ ପୂଜା ପାଠକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। କେତେକଙ୍କ ମତରେ ଶସ୍ତ୍ର ପୂଜା ଭାରତର ବହୁ ପ୍ରାଚୀନ ପରମ୍ପରା। ତେଣୁ ଏହାକୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପାଳନ କରିଥାଏ। ନରେନ୍ଦ୍ର ମୋଦୀ ସରକାର ଯେହେତୁ ସଂଘ ଦ୍ଵାରା ନିୟନ୍ତ୍ରିତ ସରକାର, ତେଣୁ ସବୁ କଥାରେ ସଂଘ ପରମ୍ପରା ପୂରେଇବା ଏବେ ଏକ ସାଧାରଣ ଘଟନା ହୋଇଯାଇଛି। ତେବେ ପ୍ରଶ୍ନ ହେଉଛି ଶସ୍ତ୍ର ପୂଜା କାହାର ପରମ୍ପରା? ଏ ଦେଶର କୃଷକ, ଶ୍ରମିକ ବା ସାଧାରଣ ଲୋକ ଶସ୍ତ୍ର ପୂଜା କରନ୍ତି କି? ଆମ ଜାଣିବାରେ କ୍ଷତ୍ରିୟ ଓ କ୍ଷମତାଶାଳୀ ଲୋକେ ଶସ୍ତ୍ର ପୂଜା କରନ୍ତି। ଭାରତର ପୁରୁଣା ସାମନ୍ତ ରାଜା ଓ ବଳିରେ ପଶୁ ହାଣୁଥିବା ଲୋକ ଶସ୍ତ୍ର ପୂଜା କରନ୍ତି। ଏହା କ୍ଷମତା ପ୍ରଦର୍ଶନ ଓ ଲୋକଙ୍କ ମନରେ ଭୟ ଜନ୍ମାଇବାର ଏକ ଉପାୟ। ସେହି ଦୃଷ୍ଟିରୁ କେହି କେହି ଭାବି ପାରନ୍ତି ପାକିସ୍ତାନକୁ ଭୟ ଦେଖାଇବାକୁ ଏହା ଏକ ବାଟ ହୋଇପାରେ।

ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। ରଫାଲ ତିଆରି କରିଥିବା “ଦାସଲ୍ଟ” କମ୍ପାନୀରୁ ପାକିସ୍ତାନ ମଧ୍ୟ ମିରାଜ-୩ ଓ ମିରାଜ-୫ ବିମାନ କିଣିଛି। ଏବେ ଚୀନ ପାଖରୁ ପାକିସ୍ତାନ କିଛି ଲଢୁଆ ବିମାନ କିଣିବାର ଯୋଜନା କରୁଛି। ସେଠିକି ସେମାନେ ମଧ୍ୟ ମୌଲବୀ ନେଇ ତାବିଜ ବାନ୍ଧିବାକୁ ଯିବେ। ଆଧୁନିକ ବିଜ୍ଞାନ ର ଉପଯୋଗରେ ଏହି ସବୁ ସାମରିକ ଅସ୍ତ୍ର ଶସ୍ତ୍ର ଏବେ ଅନ୍ଧ ବିଶ୍ବାସର ଅସ୍ତ୍ର ପାଲଟି ଯାଉଛି। ଏହା ବୈଜ୍ଞାନିକ ଚେତନା ପ୍ରତି ସବୁଠୁ ବଡ ଉପହାସ। ରଫାଲ ଯୁଦ୍ଧ ବିମାନକୁ ନେଇ ଆସନ୍ତା ଚାରି ବର୍ଷ ଭାରତରେ ରାଜନୀତି ନିଶ୍ଚୟ ଚାଲିବ। ଏହାକୁ ନେଇ ଥରେ ନୁହଁ, ବାରମ୍ବାର ପୂଜା ପାର୍ବଣ ଆୟୋଜନ ହେବ ଓ ଆମ ଦେଶର ଢୋଲପିଟା ଗଣମାଧ୍ୟମ ଏହି ସବୁ ପୂଜା ପାଠର ପ୍ରଚାର କରି ଚାଲିବ।

 

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.