Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅକ୍ଷୟ ମହାନ୍ତିଙ୍କ ଅକ୍ଷୟ ଲେଖନୀରୁ ଏକ ଗପ ‘ତୁମ ଗୀତ’
ବିଶେଷ ଖବର

ଅକ୍ଷୟ ମହାନ୍ତିଙ୍କ ଅକ୍ଷୟ ଲେଖନୀରୁ ଏକ ଗପ ‘ତୁମ ଗୀତ’

October 12, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ସ୍ବର୍ଗତ ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ଶୈଳୀକାର ଭାବରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଆସନ୍ତୁ ପଢିବା ଖୋକା ଭାଇଙ୍କ ‘ନଗ୍ନ ମୋନାଲିସା’ ଗଳ୍ପ ସଂକଳନରୁ ଏହି ଗପଟିକୁ। 

ତୁମ ଗୀତ କେତେ ସହଜରେ ଛୁଇଁପାରେ ହୃଦୟକୁ। କେତେ ସହଜରେ ବଦଳେଇ ଦେଇପାର ମନର ଅବସ୍ଥା। ତୁମେ ଜାଣନା ତୁମ ଗୀତର ନାମ କେତେ।  ତୁମ ଗୀତକୁ ଭଲ ପାଇବାକୁ ଯାଇ ତୁମକୁ ଯେ କେତେ ଭଲ ପାଆନ୍ତି ସେ ଖବର ତୁମେ ରଖିନ। କାହିଁକି ରଖିନ ? ତା’ର କାରଣ ଖୋଜିବାକୁ ଯାଇ ଆଜି ମୁଁ ଏ ଗପ ଲେଖୁଛି। ହୁଏତ ଗପ ସରିଲାବେଳକୁ ଏ କେବଳ ଗୋଟେ ଗପ ନ ହୋଇ ମୋ ହୃଦୟକୁ କାହାଣୀ ହୋଇପାରେ। ଆଉ ହୃଦୟର କାହାଣୀ ଶୁଣିବାକୁ ଲୋକମାନଙ୍କର ସମବେଦନା ନାହିଁ।

ତୁମ ଗୀତ–ସତ ନା ମିଛ ? ତୁମେ ତ ଗୀତରେ ସତ କୁହ ନା ମିଛ କୁହ। ବେଳେବେଳେ ଲାଗେ ତୁମେ ସବୁ ସତ କଥା କହୁଛ। କିନ୍ତୁ ତୁମକୁ ଦେଖିଲେ ମନହୁଏ–ଏ ରକମ୍‌ ଚେହେରାର ଲୋକ ଏମିତି ଗୀତ ଗାଇ ପାରେନା। ତୁମ ଚେହେରା ତୁମ ଗୀତଠୁ ଭିନ୍ନ। ତୁମ ଆଖିର ନଜର ଭିତରେ ମୁଁ ଗୀତର ଭାବାର୍ଥ ଖୋଜି ପାଏନା। ତୁମର ଜିଭ ସତେ ଅବା ଗୋଟେ ବୋତଲ ଏସିଡ୍‌। ତୁମର ଓଠ ନିଷ୍ଠୁର। ଦେଖିଲେ ମନେହୁଏନା ଏଇପରି ଏକ ଲୋକର ଓଠରୁ ଏତେ ମିଠା ଗୀତ ବାହାରେ।

ତୁମକୁ ମୁଁ କେବେ ପାଇନାହିଁ! ତେଣୁ ମୁଁ ତୁମକୁ ହଜାଇ ନାହିଁ। କେବଳ ଦୁହିଁଙ୍କର ବୟସ ହଜିଯାଇଛି। କାହିଁକି ହଜିଗଲା–ତୁମ ଗୀତର କୋମଳତା ପାଇଁ ନା ତୁମ ଚେହେରାର ନିଷ୍ଠୁରତା ପାଇଁ? ଏ ପ୍ରଶ୍ନର ଉତ୍ତର ମୁଁ ସବୁଦିନେ ସଂଜ ବେଳେ ବସି ମୋ ଡ୍ରଇଂ ରୁମ୍‌ରେ ଖୋଜେ।

ବେଡ ରୁମ୍ ଥାଉ ଥାଉ କାହିଁକି ଡ୍ରଇଂରୁମ୍‌ରେ ଖୋଜେ ! କାରଣ ମୁଁ ତୁମକୁ କେବେ ମୋ ବେଡରୁମ୍‌ରେ ପାଇନାହିଁ। ତୁମକୁ ଅତି ପାଖରେ ପାଇଛି କେବଳ ମୋ ଡ୍ରଇଂ ରୁମ୍‌ରେ। ତେଣୁ ତୁମକୁ ଭାବିବା ଯେତେବେଳେ ଦରକାର ପଡେ ମୁଁ ଡ୍ରଇଂରୁମ୍‌କୁ ଚାଲିଆସେ। ସେଠି ମୋର ଫୋନ୍‌ ଅଛି। ସେଠି ମୋର ଫ୍ରିଜ ଅଛି ଏବଂ ସେଠି ତୁମ ଗୀତ ସବୁ ଅଛି ଯିଏ ମତେ ମନେପକେଇ ଦିଏ ତୁମ ନିଷ୍ଠୁର ଚେହେରା।

ତୁମ ଗୀତ କିନ୍ତୁ କହେ ଅନେକ କଥା–ଯାହାର ଅର୍ଥ ସମସ୍ତେ ବୁଝିପାରନ୍ତି ନାହିଁ। ମୁଁ ଗର୍ବ କରୁନି ଯେ ମୁଁ ବୁଝିପାରେ ବୋଲି। କିନ୍ତୁ ମୋତେ ଲାଗେ ମୁଁ ଅନ୍ୟମାନଙ୍କ ଅପେକ୍ଷା ବେଶୀ ବୁଝେ। ଏଇଟା ମୋର ଗର୍ବ, ଏଇଟା ମୋର ଅଭିମାନ ହୋଇପାରେ କିନ୍ତୁ ମୁଁ ଯେ ଖୁବ୍‌ ବୁଝେ ସେ କଥା କ’ଣ ତମେ ଜାଣ ନାହିଁ? ତମେ ସବୁ ଜାଣିଛ କିନ୍ତୁ ଜୀବନ ସାରା ତମେ କେବଳ ମୋ ଆଗରେ ଅଭିନୟ କରି  ଆସିଛ। ଅଭିନୟ ତ କେବଳ ତମେ କରିନ ତୁମର ଯେତେ ଚେଲା ଚାମଣ୍ଡା ଅଛନ୍ତି ସମସ୍ତଙ୍କୁ ଅଭିନୟ କରିବା ଶିଖେଇ ଦେଇଛ।

ତୁମ ଗୀତକୁ ମୁଁ ଭଲ ପାଏ। କିନ୍ତୁ ବେଳେବେଳେ ତୁମକୁ ମୁଁ ଘୃଣା କରେ। କାରଣ ତମେ ତମର ସମସ୍ତ ଚେଲାଚାମୁଣ୍ଡାଙ୍କୁ ଏପରି ତିଆରି କରିଛ ଯେଉଁମାନେ ପ୍ରତି ମୁହୂର୍ତ୍ତରେ ମତେ ତମ କଥା ମନେପକେଇ ଦିଅନ୍ତି। ଏମିତି ତମେ କାହିଁକି କର ? ତମେ ଚାହିଁଥିଲେ ମୁଁ ସବୁଦିନ ପାଇଁ ତୁମର ହୋଇ ରହିଥା’ନ୍ତି।  ତୁମେ ଚାହିଁଥିଲେ… ।

ବର୍ତ୍ତମାନ ମୁଁ ବିବାହିତା, ତୁମେ ବିବାହିତା। କିନ୍ତୁ ମୋ ବିବାହାର ଅନେକ ପୂର୍ବରୁ, ମୁଁ ତୁମକୁ ଚିଠି ଲେଖିଥିଲି କେତେ ସିନ୍‌ସିଅରିଟିଂ ଥିଲା ସେଥିରେ ! କେତେ ପ୍ରାଣ, କେତେ ଭଲପାଇବା ଥିଲା ସେଥିରେ। କିନ୍ତୁ ତୁମେ ଚିଠିର ଉତ୍ତର ଦେଲ ବନ୍ଧୁ ଭାବରେ। ଯେମିତି ତମର କିଛି ହେଇନି ।

କେବଳ ମୋର ସବୁ ଗଣ୍ଡଗୋଳ ହୋଇଯାଉଛି। ଏବଂ ସେ ସବୁ ଗଣ୍ଡଗୋଳକୁ ସୁଧାରିବା ପାଇଁ ପୃଥିବୀରେ ତମେ ମାତ୍ର ଜଣେ।

ମୁଁ ଲେଖିଥିଲି ଶିଳ୍ପୀ ଆକାଶରେ ମଙ୍ଗଳମହୁରୀ ଆଉ ତୁମ ଗୀତ ! (ହଁ, ସେତେବେଳେ ବାହାଘର ତିଥି ଅନେକ ଥିଲା ) ତୁମେ ଉତ୍ତର ଦେଲ–‘ଯାହା  ହେଉ ତମେ ତ ମତେ ପାଉଚ।’ ଧେତ୍‌-ଏମିତି ପାଇବା କ’ଣ  ପାଇବା ? ତୁମେ କ’ଣ ଏକ ମୃଗତୃଷ୍ଣା – ତୁମେ କ’ଣ ? ମୋ ହୃଦୟରେ ଆଘାତ ଲାଗିଲା। ମୋ ଘର ପାଖରେ ଜଣେ ଡାକ୍ତର ରହୁଥିଲେ। ସେ ଖୁବ୍‌ ସୁନ୍ଦର ଦେଖିବାକୁ। ଅନ୍ତତଃ ତୁମଠୁ ସୁନ୍ଦର। ମୁଁ ତାଙ୍କୁ ପ୍ରେମ କରିବାକୁ ଆରମ୍ଭ କଲି।

ଏମିତି ନୁହେଁ ଯେ ଏଇଟା ମୋର ପ୍ରଥମ ପ୍ରେମ। ଏମିତି ନୁହେଁ ଯେ ଏଇଟା ମୋର ଶେଷ ପ୍ରେମ ଯାହାପରେ ମତେ ବିବାହ କରିବାକୁ ପଡ଼ିବ। କିନ୍ତୁ ଗୋଟାଏ ଝୁଙ୍କରେ ମୁଁ ତାଙ୍କ ସହିତ ପ୍ରେମରେ ପଡ଼ିଗଲି। ତାଙ୍କର ପ୍ରେମର କିନ୍ତୁ ଅଲଗା ଅର୍ଥ। ସେ କବିତା ଲେଖନ୍ତି ନାହିଁ, ସେ ଗଳ୍ପ ଲେଖନ୍ତି ନାହିଁ ଏବଂ ସେ ଆଦୌ ଶିଳ୍ପୀ ନୁହଁନ୍ତି।

ଶିଳ୍ପୀ ନ ହୋଇଥିଲେ ମୋ ହୃଦୟର ଦୁର୍ବଳତାକୁ କେହି ଛୁଇଁ ପାରେନା। ତୁମ ସହିତ ଦେଖାହେବା ପରେ ପରେ ମୁଁ ଜଣେ ଭାଓଲିନ୍‌ ବାଦକଙ୍କ ପ୍ରେମରେ ପଡ଼ିଗଲି। ଏପରିକି ମୋ ବ୍ଲାଉଜ୍‌ରେ ଭାଓଲିନ୍‌ର ଚିତ୍ର ଏମ୍ବ୍ରାଡୋରି କରି ମୁଁ ପିନ୍ଧୁଥିଲି। କିନ୍ତୁ ସେ ବି ଥିଲେ ବିବାହିତ। ତେଣୁ ମୋର ନିରାଶ ଧୀରେ ଧୀରେ ବଢି ଚାଲିଲା। କାରଣ ଯେଉଁଠି ମୋର ଭଲ ପାଇବାର ସୁନାକଳସୀ ସେଠି ସମେସ୍ତ ବିବାହିତ।

କିନ୍ତୁ ମୁଁ ତୁମକୁ ଅବିବାହିତ ଅବସ୍ଥାରେ ପାଇଥିଲି। ଚାହିଁଥିଲେ ମୁଁ ତୁମକୁ ପ୍ରେମ ନିବେଦନ କରି ପାରିଥାଆନ୍ତି। ଚାହିଁଥିଲେ ମୁଁ ତୁମ ସାଙ୍ଗରେ ରିକ୍‌ସାରେ ବୁଲି ପାରିଥା’ନ୍ତି। ହେଲେ ତୁମର ସେତେବେଳେ ଜଣେ ପ୍ରେମିକା ଥିଲେ। ମୋର ବିଶ୍ବାସ ଥିଲା ସେ ପ୍ରେମିକା କେବେ ତୁମକୁ ବାହାହେବେ ନାହିଁ। ତଥାପି ମୋ ମନର ଡର ମତେ ଖାଇଲା। ମୁଁ କିଛି କରିପାରିଲି ନାହିଁ। କେବଳ ଏକ କୋମଳ ମୁହୂତ୍ତର୍ର ଅପେକ୍ଷାରେ ରହିଲି ।

ତା’ପରେ ଦିନେ ଶୁଣିଲି ତୁମେ ବାହା ହେଇଯାଉଛ। କୋଉ ଝିଅଟା ତୁମକୁ ବାହା ହେବାକୁ ରାଜି ହେଲା ? ମୁଁ ଗୋଟେ କବିତା ଲେଖି ପଠେଇଲି ତୁମ ପାଖକୁ । କବିତାଟାର ଲେଖିକା ବେନାମୀ। ତା’ ବି ତୁମେ ଚିହ୍ନିନେଲ ମତେ। କେତେ ସହଜରେ ତୁମେ ହୃଦୟକୁ ଛୁଇଁପାର !!! ଅଥଚ ତୁମକୁ ଯିଏ ହୃଦୟର ସହିତ ଚାହେଁ ତୁମେ ତାକୁ ଧରାଦିଅନା?

ତୁମର ଗୀତ କେବଳ ରହିଗଲା ମୋ ଅବିବାହିତା ଜୀବନର ଆଶ୍ରୟ। ମୁଁ ପ୍ରତି ଗୀତରେ ଖୋଜି ବସିଲି ମୋରି ସତ୍ତା। ବେଳେବେଳେ ଲାଗୁଥିଲା ଏସବୁ ଗୀତ ମୋର ଉଦ୍ଦେଶ୍ୟରେ ଏବଂ ବେଳେବଳେ ଲାଗୁଥିଲ- ନାଁ, ମୁଁ କିଛି ନୁହେଁ- ଏସବୁ ଗୀତ ତୁମ ପ୍ରେମିକା ଉଦ୍ଦେଶ୍ୟରେ ଯେ’ କି ଆମ ସାଙ୍ଗରେ କଲେଜରେ ପଢୁଥିଲା। କେତେ ବିଭ୍ରାନ୍ତିକର ତୁମ ଗୀତ ! କେତେବେଳେ ନିଜର କେତେବେଳେ ପରର!

ତା’ପରେ ଆସିଲା ମୋର ବିବାହର ପ୍ରସଙ୍ଗ। ମୁଁ କିଛି ଠିକ୍‌ କରିପାରୁନଥିଲି। ଏ ପାଖରେ ଅନେକ ଦିନ ଧରି ଗୋଟେ ଡାକ୍ତରଙ୍କୁ, ସେ ପାଖରେ ଶିବୁ ପୁଣି ସମସ୍ତଙ୍କ ଉପରେ ତମେ। ଯଦିଓ ମୁଁ ଜାଣିଥିଲି ଯେ, ମୁଁ ଜୀବନରେ କେବେହେଲେ ତୁମକୁ ବାହା ହୋଇପାରିବିନି। ମୁଁ ତୁମ ପାଖକୁ ଚିଠି ଲେଖିଲି ଯେ – ତୁମ ସହରରୁ ଗୋଟେ ବିବାହ ପ୍ରସ୍ତାବ ଆସିଛି। ଏମିତି କିଛି ଲୋଭନୀୟ ପ୍ରସ୍ତାବ ନୁହେଁ। କିନ୍ତୁ କେବଳ ତୁମ ସହରରେ ରହିବି ଏତିକି ମୋର ଲୋଭ। ତୁମ ସହରରେ ଉଡି ବୁଲୁଥିବ ତୁମ ନିଃଶ୍ବାସ ପ୍ରଶ୍ବାସ।

ତୁମେ ମତେ ଉପଦେଶ ଦେଲ–‘ସୁଅ ମୁହଁର ପତର ହୋଇଯାଅ ସୁଖରେ ରହିବ।‘ ଆଉ ମୁଁ ସୁଅ ମୁହଁର ପତର ହୋଇ ତୁମ ସହରରେ ପହୁଞ୍ଚିଲି କିନ୍ତୁ ତୁମ ଘରଠୁ ଅନେକ ଦୂରରେ। ପବନରେ ତମ ପ୍ରଶ୍ବାସର ଉଷ୍ମତା ନଥିଲା। ମୁଁ ସ୍ବାମୀଙ୍କୁ ପଟେଇଲି

‘ଚାଲ ନୂଆ ବାହା ହେଇେଛ। ଗୋଟେ ଜଏଣ୍ଟ ଫାମିଲିର ମଜ୍ଜା କଣ ଅଛି । ଆମେ ଗୋଟେ ଅଲଗା ଭଡ଼ା ଘରେ ରହିବା।‘ ସେ ବି ରାଜି ହେଲେ। ଭଡ଼ା ଘର ଖୋଜି ଖୋଜି ମୁଁ ତୁମ ଘର ପାଖକୁ ଚାଲିଆସିଲି। କିନ୍ତୁ ନିକଟତା କେତେ ଦୂର – ମୁଁ ତୁମ ଘର ପାଖରେ ରହି ବୁଝିଲି। ନା ତମେ ଆସ ନା ମୁଁ ତୁମ ପାଖକୁ ଯାଇପାରେ। ଘର ପାଖରେ ଘର କରିବା କ‘ଣ ଏକ ଅସୀମ ପ୍ରତୀକ୍ଷା !

ତୁମ ଗୀତ ପ୍ରତି ମୋର ଘୃଣା ଆସିଲା। ପ୍ରତିଜ୍ଞା କଲି ତୁମ ଗୀତ ଆଉ ଶୁଣିବିନି। କିନ୍ତୁ ନ ଶୁଣି ନ ପଢି କିଛି ଉପାୟ ଅଛି ? ଯିଏ ବି ଆସନ୍ତି ମୋ ଘରକୁ ମୋ ସାଙ୍ଗରେ ଦେଖା କରିବାକୁ କେବଳ ତୁମରି କଥା ମନେ ପକେଇ ଦିଅନ୍ତି। ମୋ ଜୀବନରେ ଅନୁଭବ କଲି ତୁମକୁ ଭୁଲିବାକୁ ଚେଷ୍ଟା କରିବା ମାନେ ତୁମକୁ ମନେପକାଇବା। ତୁମ ଗୀତକୁ ନ ଶୁଣିବା ମାନେ ସେଇ ଗୀତକୁ ଗୁଣୁଗୁଣୁ କରି ଗାଇବା। ବାଇବେଲ୍‌ର ସେଇ ସାପ ପରି ତୁମେ କ’ଣ ସବୁ ଗଛରେ ଗୁଡେଇ ହୋଇ ରହିଛ ? ତୁମେ କ’ଣ ସବୁ ନାରୀଙ୍କୁ ଜ୍ଞାନ ବୃକ୍ଷର ଫଳ ଖାଇବାକୁ ପ୍ରରୋଚନା ଦେବାପାଇଁ କୋତ ନେଇଛ ?

ତୁମ ଗୀତ ମୋଠୁ ଦୂରେଇ ଗଲା ଦିନେ ଅକସ୍ମାତ୍‌ ଗୋଟେ ଦୁର୍ଘଟଣାରେ। ମୁଁ ବୁଝିପାରିଲିନି ତୁମେ ମତେ ପ୍ରକୃତରେ ଏତେ ଦିନ ଯାଏ ଭଲ ପାଉଥିଲ ନାଁ ଘୃଣା କରୁଥିଲ ? ଯଦିଓ ମୁଁ ଭଲ ଭାବରେ ଜାଣିଛି ଯେ ଆଗେ ତୁମେ ତୁମକୁ ହିଁ ଭଲପାଅ। ତୁମେ ଅଲଗା ହୋଇଗଲ ମୋଠାରୁ ଯେଉଁଦିନ ମୁଁ ପଚାରିଲି – ରାନୀ ଦାସ୍‌ ସାଙ୍ଗରେ କୌଣସି ଦୈହିକ ସମ୍ପର୍କ ଅଛି ନା ନାହିଁ। ମୋର ସେଇଟା ଭୁଳ୍‌ ନୁହେଁ। ପ୍ରତ୍ୟେକ ନାରୀର ଗୁଣ – ସ୍ବକୀୟା ହେଉ, ପରକୀୟା ହେଉ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଈର୍ଷା ପରାୟଣ।

ତୁମେ ଯେଉଁ କଥା କହିଲ ତା’ ମୋ ହୃଦୟକୁ ବାଧିଲା। ତୁମେ ଦୁନିଆର ସବୁ ଝିଅ ସାଙ୍ଗରେ ସମ୍ପର୍କ ରଖି କ୍ଷତି ନାହିଁ କିନ୍ତୁ ମୋ ପାଖରୁ ତୁମେ କଟି ଯିବ କାହିଁକି ? କ’ଣ ଏଇ ରାନୀ ଦାସ ପାଇଁ ? ତୁମକୁ ହଜାର ଥର କହିଛି ତୁମେ ମତେ ‘ମାଇକିନିଆା ବୋଲି ସମ୍ବୋଧନ କରିବନି କିନ୍ତୁ ତୁମେ କହିଲ ‘ଯେଉଁ ମାଇକିନିଆର ସ୍ବାମୀ ଅଛି ଓ ଗୋଟେ ପ୍ରେମିକ ଅଛି ସେ ଦୁଇଜଣଙ୍କ ଭିତରୁ ଜଣକ ପାଇଁ ବେଶ୍ୟା।’

ତୁମ ଗୀତ ଓ ତୁମେ ମୋ’ଠୁ ଦୂରେଇ ଗଲ ଯେମିତିକା ସକାଳର ଉଡ଼ାଜାହାଜ ଦେଖୁ ଦେଖୁ ଉଭେଇ ଯାଏ। ତୁମକୁ ହରେଇ ମୁଁ କିନ୍ତୁ ଅତି ଅଦ୍ଭୁତ ହୋଇଗଲି। ହୁଏତ ମୁଁ ଚାହୁଁଥିଲି ମୋ ଦ୍ବିତୀୟ ସନ୍ତାନ ତୁମ ଔରସରୁ ହେଉ। କିନ୍ତୁ ତୁମେ ଏତେ ଦୂରରେ। ମୁଁ ମୋ ସ୍ବାମୀଙ୍କ ପାଖକୁ ଫେରି ଆସିଲି। ହଠାତ୍‌ ଶାଢୀ ଛାଡି ସାଲ୍ଓ୍ବାର କୁର୍ତ୍ତା ପିନ୍ଧିବାକୁ ଆରମ୍ଭ କଲି । ପୁଣି ଯେଉଁ ଜିନିଷଟାକୁ ତୁମେ ସବୁଠୁ ଘୃଣା କର ସେଇ ଲିପିଷ୍ଟିକ୍‌ ଲଗେଇବା ଆରମ୍ଭ କଲି। ମୁଁ ପୁଣି ମୁଡ୍‌ ହୋଇଗଲି। ତୁମ ଲାଗି ସନ୍ନ୍ୟାସିନୀ ହେବାର କୌଣସି ମାନେ ନାହିଁ । ବରଂ ମୁଁ ଆଉ ଗୋଟେ ସନ୍ତାନର ମାଆ ହୁଏ । କାହିଁକି ମୋର କ’ଣ ସ୍ବାମୀ ନାହାନ୍ତି ? – ସେ ଅଛନ୍ତି ଏବଂ ସେ ତୁମଠାରୁ ଯଥେଷ୍ଟ ସୁନ୍ଦର, ଯଥେଷ୍ଟ ଯୋଗ୍ୟ – ଏବଂ.. ।

ମୁଁ ଗର୍ଭବତୀ ହେଲି। କିନ୍ତୁ ଜାଣେନା ତୁମେ ଏ ଖବର ପାଇଲ କି ନାହିଁ। ବହୁତ ଇଚ୍ଛା ଥିଲା ରାନି ଦାସ୍‌ ହାତରେ ଏ ଖବର ତୁମକୁ ପଠେଇବାକୁ। କିନ୍ତୁ ସୁଯୋଗ ମିଳିଲାନି। ମୋ ସ୍ବାମୀଙ୍କ ସହିତ ମୁଁ ଅନେକ ଥର ଯାଇଛି ବାହାରେ ବୁଲିବାକୁ ଓ କେବଳ ସାଲ୍‌ଓ୍ବାର କମିଜ୍‌ ପିନ୍ଧି। କାରଣ ସେଥିରେ ମୋର ଉଦରର ସ୍ଫୀତି ପରିଷ୍କାର ଦେଖାଯିବ। କିନ୍ତୁ ତମେ ଦେଖଲନି।

ତୁମ ଗୀତ ପରି ପିଲାଟା ମୋ ପେଟରେ ବୁଲୁଥିଲା ଅହରହ। ତୁମେ କୁହ ପରା – ଗୋଟେ ଗୀତ ଲେଖିବା ପୂର୍ବରୁ ତମେ ଯେଉଁ ଗର୍ଭ ଯନ୍ତ୍ରଣା ପାଅ ? ମୁଁ ବି ଭାବୁଥିଲି ଏ ପିଲାଟି ଗୋଟେ ଝିଅ ଯାହାର ନାମ ଦେବି କବିତା –

ଠିକ୍‌ ସମୟରେ ମୁଁ ହସ୍ପିଟାଲ୍‌କୁ ଗଲି। ଠିକ୍‌ ସମୟରେ ପେନ୍‌ ହେଲା। ଠିକ୍‌ ସମୟରେ ଡେଲିଭରୀ ଟେବଲ୍ ଉପରେ ହାଉସ୍‌ ସର୍ଜନମାନେ ମୋ ପେଟରେ ଷ୍ଟେଥୋ ଲଗେଇ ପରୀକ୍ଷା କରୁଥିଲେ – କିନ୍ତୁ କିନ୍ତୁ – ଏ କ’ଣ ? ମୋତେ କାହିଁକି କଷ୍ଟ ହେଉନି ? ଡକ୍ଟର ଭଲ କରି ଦେଖ – ମତେ କାହିଁକି କଷ୍ଟ ହେଉନି – ମୁଁ ସେଇ କଷ୍ଟ ଖୋଜୁଛି ଯାହା ତୁମ ମନକୁ କଷ୍ଟ ଦେବ – ନା – ମୁଁ ବେହୋସ ହୋଇଗଲି।

ମୋ ହୋସ ଫେରି ଆସିଲା – ଏବଂ ପରେ ଶୁଣିଲି ଏକ ମୃତସନ୍ତାନ ଜନ୍ମ ନେଇଥିଲା – ବିକଳାଙ୍ଗ ପୁଅଟିଏ । ବାହାରୁ କୌଣସି ମାଇକ୍‌ରେ ଭାସି ଆସୁଥିଲା ତମ ଗୀତ ….।

ହାଏ, ହାଏ ନାରୀମାନଙ୍କର ପ୍ରେମରେ ଅସଫଳତାରେ ସେମାନେ ଲିପିଷ୍ଟିକ୍‌ ଲଗେଇ ପାରନ୍ତି –ସେମାନେ ପ୍ରସାଧାନ ବଦଳେଇ ଦେଇ ପାରନ୍ତି କିନ୍ତୁ ଅସଫଳତାର କାହାଣୀ କ’ଣ ଏକ ମୃତ ସନ୍ତାନର ଜନ୍ମ କାହାଣୀ !!!

ସୌଜନ୍ୟ : ଅକ୍ଷୟ ମହାନ୍ତିଙ୍କ ଗଳ୍ପ ସମଗ୍ର, ଅକ୍ଷୟ ମହାନ୍ତି ଟ୍ରଷ୍ଟ, କଟକ । 

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.