ସୁଧାଶ୍ରୀ ଦାଶ
କହିବା ଆଗରୁ ଦେଖିବା ଦରକାର। ଗତ ୧୧ ତାରିଖରେ ଓଡ଼ିଶା ସମାଜ, ୟୁଏଇ ପକ୍ଷରୁ ଦୁବାଇରେ ବାର୍ଷିକ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମୁଁ, ମୋ ପରିବାର ସହ ଏଥିରେ ଯୋଗ ଦେଇଥିଲି । ଅନ୍ୟ ଓଡ଼ିଆ ପରିବାରଙ୍କ ସହ ଦିନଟି ଖୁବ୍ ହସ ଖୁସିରେ ବିତିଥିଲା । ପ୍ରବାସରେ ରହି ଓଡ଼ିଆମାନଙ୍କ ସହ ଦିନଟିଏ ବିତେଇବାକୁ କାହାକୁ ବା ଭଲ ନ ଲାଗିବ । ତେବେ ଅତ୍ୟଧିକ ଖେଳକୁଦ ଯୋଗୁଁ ଶରୀରର ଯନ୍ତ୍ରଣା ଆରମ୍ଭ ହେଉଥାଏ । ସନ୍ଧ୍ୟା ସୁଦ୍ଧା ମୁଁ ପୂରା ଥକି ସାରିଥାଏ । ଠିକ୍ ଏହି ସମୟରେ ମୋର ଜଣେ ପରିଚିତ ପାଖରେ ଆସି ଛିଡା ହେଲେ ଓ ପଚାରିଲେ ‘ତୁମେ ମୋ ସହ ଦୁବାଇ ଷ୍ଟାଡ଼ିୟମ୍ ଯିବାକୁ ଚାହିଁବ କି ?’ ମୁଁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିବାରୁ ହଠାତ୍ ମନା କରିପାରିଲି ନାହିଁ ।
ତେବେ ଷ୍ଟାଡିୟମ୍ ଯିବାର କାରଣ ପଚାରିବାରୁ ସେ କହିଲେ, ‘ରାହୁଲ୍ ଗାନ୍ଧୀ ଆଜି ଦୁବାଇବାସୀଙ୍କୁ ସମ୍ବୋଧିତ କରିବେ । ମନରେ ଉତ୍କଣ୍ଠା ଜାଗ୍ରତ ହେଲା । ତେବେ, ଉତ୍କଣ୍ଠା, ଭାଷଣରୁ ଅଧିକ ସେହି ପରିବେଶ ଦେଖିବା ପାଇଁ ଥିଲା । ଯିବ ଆଗରୁ ଜଣେ ମୋତେ କହିଲେ, ‘ତତେ ଆଉ କେହି ମିଳିଲେନି ଯେ ତୁ ରାହୁଲ୍ ଗାନ୍ଧୀକୁ ଶୁଣିବାକୁ ଯାଉଛୁ !’ ସେହି ସମୟରେ ମୋ ମନର ଉତ୍କଣ୍ଠାକୁ ବୁଝାଇବାର ସୁଯୋଗକୁ ମୁଁ ହାତଛଡ଼ା କଲି ନାହିଁ । ମୁଁ କହିଲି, ‘ଅନେକ ଠକ ଓ ଭଣ୍ଡ ନେତାଙ୍କୁ ଶୁଣିଛି । ଆଉ ଜଣଙ୍କୁ ଶୁଣିବାରେ ଅସୁବିଧା କଣ ?
ତେବେ ମନ ଭିତରେ ଥିବା ସମସ୍ତ ଶଙ୍କା ଓ ଆଶଙ୍କା ଦୂରେଇଗଲା । ଯେତେବେଳେ ଆମ ଗାଡ଼ି ଷ୍ଟାଡିୟମ ଥୁ ୨ କିମି ଦୂରରୁ ଧୀମେଇ ଗଲା । ଲୋକ ପାଗଳଙ୍କ ପରି ଷ୍ଟାଡ଼ିୟମ୍ ଆକୁ ଧାଉଁଥା’ନ୍ତି । ରାସ୍ତକଡ଼ରେ କାର୍ ପାର୍କ କରି, ଛୋଟ ପିଲାଙ୍କ ହାତ ଧରି ଲୋକେ ଚାଲି ଚାଲି ଯିବାକୁ ପଛଉ ନଥା’ନ୍ତି । ମୁଁ ସେସବୁ ଦେଖିକି ଅବାକ୍ ହେଇଗଲି । ଯେତେ ଆଗକୁ ଯାଉଥାଏ । ଲୋକଙ୍କ ସେତେ ବେଶୀ ଭିଡ଼ ଦେଖୁଥାଏ । ହଜାର ହଜାର ସଂଖ୍ୟାରେ ଲୋକ ଯେମିତି ତାଙ୍କ ପ୍ରିୟ ନେତାଙ୍କୁ ଶୁଣିବାକୁ ଯାଉଥା’ନ୍ତି । ତେବେ ଆମ ଗାଡ଼ିରେ ଭିଭିଆଇପି ପାସ୍ ଥିବାରୁ ଆମେ ଶୀଘ୍ର ଷ୍ଟାଡ଼ିୟମ୍ରେ ପହଞ୍ଚିଗଲୁ ।
ଷ୍ଟାଡିୟମ୍ ପୂରା ସୈନ୍ୟ ଛାଉଣୀରେ ପରିଣତ ହୋଇସାରିଥିଲା । ଆଉ ଗାଡ଼ିରୁ ଓହ୍ଲେଇବା ମାତ୍ରେ ମୁଁ ଅବାକ୍ ହୋଇଯାଉଥିଲି । ଲୋକଙ୍କ ଉତ୍ସାହ ଓ ଆଶା ସ୍ପଷ୍ଟ ରୂପେ ବାରିହୋଇଯାଉଥିଲା । ମହିଳାମାନେ ଛୋଟ ଛୁଆଙ୍କୁ କୋଳରେ ଧରି ଷ୍ଟାଡ଼ିଅମ୍ ଭିତରକୁ ଯିବାର ଦୃଶ୍ୟ ମତେ ଅଭିଭୂତ କରୁଥିଲା । ମନ ଭିତରେ ଭାବୁଥିଲି, ଜଣେ ନେତାଙ୍କ ଉପରେ ଲୋକଙ୍କ ଏତେ ଭରସା ଥାଇପାରେ? ଷ୍ଟାଡ଼ିୟମ୍କୁ ପଶିଲା ମାତ୍ରେ ମୋ ଆଖି ଯେମିତି ଖୋଲା ରହିଗଲା । ୪୦,୦୦୦ ଲୋକଙ୍କ ସ୍ବର ମୋତେ ବଧିର କରୁଥିଲା । ମୁଁ ସତରେ ଅବାକ୍ ହୋଇ ସାରିଥିଲି । ମୁଁ ଖାଲି ମୁଣ୍ଡ ବୁଲେଇ ଚାରିଆଡ଼େ ଷ୍ଟାଡ଼ିୟମ୍କୁ ଦେଖୁଥିଲି । କିଛି କହିପାରୁ ନଥାଏ, ହେଲେ ବୁଝୁଥାଏ ଲୋକଙ୍କ ଆଶା ଓ ସ୍ବପ୍ନକୁ ।
ଜଣେ ନେତାଙ୍କୁ ଶୁଣିବା ପାଇଁ ୪୦,୦୦୦ ଭାରତୀୟ ଆଜି ଏକାଠି । ଚାରିଆଡ଼େ କେବଳ ତ୍ରିରଙ୍ଗା ପତକା । ଗର୍ବ ଅନୁଭବ କଲି ଜାତୀୟ ପତାକାକୁ ଦେଖି । ସଂଗେ ସଂଗେ ମୋବାଇଲ୍ କାଢି କିଛିଟା ଫଟୋ ନେଲି । ମୋ ପାଇଁ ଏହା ଥିଲା ପ୍ରଥମ ଅନୁଭୂତି । କିଛି ସମୟର ଅପେକ୍ଷା ପରେ ରାହୁଲ୍ ଗାନ୍ଧି ଷ୍ଟେଜ୍ ଉପରକୁ ଆସିଥିଲେ । ପୂରା ଷ୍ଟାଡ଼ିୟମ୍ ଯେମିତି ଉଠୁଥାଏ ପଡୁଥାଏ । ମୁଁ ସେସବୁ ଭିତରେ ହଜିଯାଇଥାଏ । ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶହ ଶହ ପୋଲିସ୍ । ପ୍ରାୟ ଅଧଘଣ୍ଟାର ଭାଷଣ ଓ ପ୍ରତିଶୃତି ପରେ ରାହୁଲ୍ ଗାନ୍ଧି ଚାଲିଯାଇଥିଲେ କିନ୍ତୁ ଲୋକଙ୍କୁ ଷ୍ଟାଡିୟମରୁ ବାହାରିବାକୁ ୪ ଘଣ୍ଟା ଲାଗିଥିଲା । ଅନେକ ଥର ଶୁଣିଛି, ଏ ନେତା ଭଲ, ସେ ନେତା ଖରାପ । ଏ ସରକାର ଦୁର୍ନୀତିଗ୍ରସ୍ତ, ସେ ସରକାର ଭଲ । ଏଇ ନେତାଙ୍କ ଭାଷଣରେ ଦମ୍ । ସେ ନେତାଙ୍କ ଭାଷଣ ଫମ୍ପା । ତେବେ ସେଦିନର ଦୃଶ୍ୟ ଦେଖି ମନେହେଲା ‘କହିବା ଆଗରୁ ଦେଖିବା ଦରକାର ।’ ନେତାଙ୍କ ଉପରେ ଲୋକ ଆସ୍ଥା କମି ଥାଇପାରେ କିନ୍ତୁ ମରି ନାହିଁ ।