Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଟେଲିଭିଜନରେ ସେଲେବ୍ରିଟି ହେବାକୁ ଚାହାନ୍ତି କି, ତାହେଲେ ନିଶ୍ଚୟ ଆପଣଙ୍କୁ କିଛି ଗୋଟାଏ ଅପକର୍ମ ବା ବିବାଦରେ ପଡିବାକୁ ପଡିବ!!
ବିଶେଷ ଖବର

ଓଡିଆ ଟେଲିଭିଜନରେ ସେଲେବ୍ରିଟି ହେବାକୁ ଚାହାନ୍ତି କି, ତାହେଲେ ନିଶ୍ଚୟ ଆପଣଙ୍କୁ କିଛି ଗୋଟାଏ ଅପକର୍ମ ବା ବିବାଦରେ ପଡିବାକୁ ପଡିବ!!

October 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Trending of Odia television news

 କେଦାର ମିଶ୍ର 

 “ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ହେଲେ, ଭଲ ବାଟ ବିଲକୁଲ କାମ କରିବ ନାହିଁ। ଲୋକ ଖରାପ ଖବର ଦେଖିବାକୁ ଚାହୁଁଛନ୍ତି, ତେଣୁ ଆମେ ଖରାପ ଖବର ଦେଖାଇବାକୁ ବାଧ୍ୟ ହେଉଛୁ”-ଏକ ଓଡିଆ ଟେଲିଭିଜନର ମୁଖିଆ ଭାବରେ କାମ କରୁଥିବା ଆମର ବନ୍ଧୁ ଜଣେ ଆମକୁ ଏକଥା ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଖବରକୁ ନେଇ ଭଲ ଓ ଖରାପର ନିର୍ଣ୍ଣାୟକ କିଏ? ଯାହା ଲୋକ ଦେଖିବେ, ତାକୁ ହିଁ ଆମେ ଦେଖାଇବୁ ନା ଆମେ ଦେଖାଉଥିବା ଭଲ କଥା ଲୋକ ଦେଖିବେ, ତାହା ବି ଏକ ପ୍ରଶ୍ନବାଚୀ। କିଛିଦିନ ତଳେ ଆମେ କହିଥିଲୁ, ଟେଲିଭିଜନ ଓ ଇଣ୍ଟରନେଟରେ ପର୍ଣ୍ଣୋଗ୍ରାଫିର ଦର୍ଶକ ସବୁଠୁ ବେଶୀ, ତେଣୁ ଖବରକୁ ଆମେ ପର୍ଣ୍ଣୋଗ୍ରାଫି କରି ପାରିବା କି?

ମନୋରଞ୍ଜନ ସହିତ ସବୁବେଳେ ବିଭତ୍ସ ରସର ମଧୁର ସମ୍ପର୍କ ରହିଛି। ତେଣୁ ଆମକୁ ପ୍ରଥମେ ଭାବିବାକୁ ପଡିବ ଯେ ଖବର ମନୋରଞ୍ଜନ ହେବ ନା ସତ୍ୟର ଉପସ୍ଥାପକ ହେବ? ଖବର ରେ ଆମେ କାହାକୁ କେନ୍ଦ୍ରରେ ରଖିବା- ସତ୍ୟ ଓ ତଥ୍ୟକୁ ନା ମନୋରଞ୍ଜନକୁ? ମନୋରଞ୍ଜନର ଗୋଟେ ମୂଳ ସୂତ୍ର ହେଉଛି, ସେଠି କାହାଣୀକୁ ଆଗକୁ ନେବାଲାଗି ଗୋଟେ ଖଳ ନାୟକ ତିଆରି କରାଯିବ। ସେଥିଲାଗି ଯାତ୍ରା ପାର୍ଟିରେ ଖଳ ନାୟକର ଦାମ ଓ ଚାହିଦା ଅଧିକ। ଖଳ ନାୟକ ବେଚାରା ନିଜ ଦାମ ଓ ଚାହିଦା ବଜାୟ ରଖିବାକୁ ବଡ ବିଭତ୍ସ କାମ ସବୁ କରେ। କେତେବେଳେ କଞ୍ଚା କୁକୁଡା ମାଉଁସ ଖାଏ, ପୁଣି କେବେ ବା ଯାବତୀୟ କୁତ୍ସିତ ଅପରାଧ କରେ। ସେ ହେଉଛି, ତାର ବାଧ୍ୟ ବାଧକତା। ତେବେ ଖବରର ବାଧ୍ୟ ବାଧକତା କଣ? ଆମେ ବି କଣ ଖଳ ନାୟକର ଦାସ?

ଏ ସବୁ ପ୍ରଶ୍ନ ପଚାରିବାର ମୁଖ୍ୟ କାରଣ ହେଉଛି, ଓଡିଆ ଟେଲିଭିଜନରେ ଖବର ର କେନ୍ଦ୍ର ଭାବରେ ଯେଉଁ ବ୍ୟକ୍ତିମାନଙ୍କୁ ବିଶେଷ ଉପସ୍ଥାପନା କରାଯାଉଛି, ସେମାନେ ସତରେ ଜଣେ ଜଣେ ସେଲେବ୍ରିଟି ନା ସେମାନଙ୍କ କଥା ଲୋକଙ୍କ ପାଖରେ ନିହାତି ପହଞ୍ଚିବା ଜରୁରୀ ?

ଏବେ ଜଣେ ଡାକ୍ତରଙ୍କ ବିଶେଷ ସାକ୍ଷାତ୍କାର ଆମକୁ ଦେଖା ଯାଉଛି। କିଏ ସେ ଡାକ୍ତର? କଣ ତାଙ୍କର ଅବଦାନ? ସେ କିଛି ମହାନ ସେବା କରିଛନ୍ତି କି? ନା, ତାଙ୍କର ସେଲେବ୍ରିଟି ହେବାର ଏକମାତ୍ର ଯୋଗ୍ୟତା ହେଉଛି, ସେ ଦାୟିତ୍ବରେ ଖିଲାପ କରିଥିବାରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଦାୟିତ୍ବରେ ଖିଲାପ କରି ନିଲମ୍ବିତ ହେବା ସେଲେବ୍ରିଟି ହେବାର ଯୋଗ୍ୟତା କି? ରୋଗୀଙ୍କ ଅଭିଯୋଗ କ୍ରମେ ଏଥିପାଇଁ କ୍ଷମତା ପ୍ରାପ୍ତ ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଏହା ଏକ ସାଧାରଣ ସରକାରୀ ପ୍ରକ୍ରିୟା। ଏହାର ସତ୍ୟାସତ୍ୟ ଓ ଚୂଡାନ୍ତ ନିଷ୍ପତ୍ତି ଅଦାଲତରେ ହୋଇ ପାରିବ। ହେଲେ ଜଣେ ନିଲମ୍ବିତ ସରକାରୀ ଅଧିକାରୀ ଟେଲିଭିଜନରେ “ହିରୋ” ହେବେ କାହିଁକି? ଅବଶ୍ୟ ଅନେକ ସରକାରୀ ଅଧିକାରୀ ଅଛନ୍ତି, ଯେଉଁମାନେ ସରକାରଙ୍କ ବିରୋଧରେ କଟୁ ସତ୍ୟ କହି ନିଲମ୍ବିତ ହୋଇଛନ୍ତି। ସେମାନେ ନିଜର ଚାକିରି ଓ ଜୀବନକୁ ବାଜି ଲଗାଇ ଏ ପ୍ରକାର ନିଷ୍ପତ୍ତି ନେଇଥାନ୍ତି। ସେମାନଙ୍କୁ ହିରୋ ବୋଲି କୁହାଯିବ। ହେଲେ ନିଜ ଦାୟିତ୍ଵ ନିର୍ବାହ ନ କରି ନିଲମ୍ବିତ ହେବା କି ପ୍ରକାର ହିରୋଗିରି?

ଓଡିଆର ସେଇ ପୁରୁଣା ଢଗ ଟି ଅନେକଙ୍କର ମନେ ଥିବ ନିଶ୍ଚୟ- ଦେଉଳ ତୋଳିଲେ ନାଁ, ଆଉ ବାଟରେ … କଲେ ବି ନାଁ। ତେବେ ଦେଉଳ ତୋଳୁଥିବା ଲୋକ ଅନେକ ସମୟରେ ଲୁଚିଯାଏ। ହେଲେ ବାଟକୁ ଅପରିଷ୍କାର କରୁଥିବା ଲୋକେ ବହୁତ ନାଁ ନିଅନ୍ତି। ଏ ପ୍ରକାର ଲୋକଙ୍କ ପ୍ରତି ଆମ ଗଣମାଧ୍ୟମ, ବିଶେଷ କରି ଟେଲିଭିଜନ କ୍ୟାମେରାର ବହୁତ ଆକର୍ଷଣ। ଟେଲିଭିଜନରେ ଏ ପ୍ରକାର ବିଚିତ୍ରକର୍ମା ଲୋକଙ୍କ ବିଶେଷ ସାକ୍ଷାତକାରର ଏକ ତାଲିକା ଆମେ ଦେଇପାରିବା-

1-ପିପିଲି ବେବିନା ହତ୍ୟାକାଣ୍ଡ ବେଳେ ଜନୈକ ଥାନା ଅଧିକାରୀ ପୀଡ଼ିତାଙ୍କର ଏତଲା ଗ୍ରହଣ କରି ନଥିଲେ। ସମ୍ପୃକ୍ତ ଥାନା ଅଧିକାରୀଙ୍କ ଅସହଯୋଗ ଓ ଅବହେଳା କାରଣରୁ ବେବିନାର ପ୍ରାଣ ଚାଲିଗଲା। ତଦନ୍ତ ପରେ ରାଜ୍ୟ ସରକାର ସେହି ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବନ ପରେ ଦେଖାଗଲା, ସେ ବାବୁ ଏକ ବଡ ଟେଲିଭିଜନରେ ବିଶେଷ ସେଲେବ୍ରିଟି ଭାବରେ ସାକ୍ଷାତ୍କାର ଦେଉଛନ୍ତି। ସେଲେବ୍ରିଟି ହେବାର ଯୋଗ୍ୟତା କଣ କର୍ତ୍ତବ୍ୟରେ ଅବହେଳା?

2- ଆଉ ଜଣେ ଭଦ୍ର ମହିଳାଙ୍କ ବିଶେଷ ସାକ୍ଷାତ୍କାର ଆମେ ଦେଖିଥିଲୁ। ଯାହାଙ୍କର ଏକମାତ୍ର ଯୋଗ୍ୟତା ଥିଲା, ସେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ମାଡ କରିଥିଲେ। ଏହା ବି ସେଲେବ୍ରିଟି ହେବାର ନୂଆ ଏକ ଯୋଗ୍ୟତା!

3-ତାଠୁ ଟିକେ ଆଗକୁ ଗଲେ ଏକଦା ହାଇ ଟେକ ଗୃପର ମାଲିକ ତିରୁପତି ପାଣିଗ୍ରାହୀଙ୍କ ଅନେକ ସେଲେବ୍ରିଟି ମାର୍କା ସାକ୍ଷାତ୍କାର ଓ ବିଜ୍ଞାପନ ଦେଖିବାକୁ ମିଳୁଥିଲା। ତେବେ ପରବର୍ତ୍ତୀ ସମୟରେ ଠକେଇ ଅଭିଯୋଗରେ ସେ ଜେଲ ଗଲେ। ଏହା ମଧ୍ୟ ସେଲେବ୍ରିଟି ହେବାର ଏକ ଯୋଗ୍ୟତା ହୋଇଥାଇ ପାରେ!

4-ଜଣେ ଯୁବକ ନୃତ୍ୟଶିଳ୍ପୀଙ୍କୁ ଏହା ଭିତରେ ସେଲେବ୍ରିଟି ଦର୍ଜା ଦିଆ ଯାଇଥିଲା ଓ ତାଙ୍କ ଯୋଗ୍ୟତାର ମାପକାଠି ଥିଲା ତାଙ୍କ ବିରୋଧରେ ତାଙ୍କ ଶିଷ୍ୟାମାନେ ଶୋଷଣ ଓ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ।

5-ଗତ ସପ୍ତାହରେ କେହି ଜଣେ ଓମ ବାବା ଆସି ଆମର ଟେଲିଭିଜନ ପରଦାରେ ଛାଇ ଗଲେ। ତାଙ୍କର ଏକମାତ୍ର ଯୋଗ୍ୟତା ଥିଲା, ସେ ଜଣେ ପ୍ରଚଣ୍ଡ ମିଛୁଆ, ଅଭଦ୍ର ଓ ତାଙ୍କର ପ୍ରତି କଥାରେ ହିଂସାର ପ୍ରେରଣା ରହିଥିଲା।

ବୋଧହୁଏ ସେଲେବ୍ରିଟି ହେବାକୁ ହେଲେ ସମାଜ, ସଂସ୍କୃତି, ଶିକ୍ଷା, ବିଜ୍ଞାନ ଓ ରାଜନୀତିରେ ଉତ୍କର୍ଷ ଦେଖାଇବାର ଆବଶ୍ୟକତା ଆଉ ନାହିଁ। ଅପାରଗ, ଦାୟିତ୍ଵହୀନ ଓ କଳଙ୍କିତ ହେବା ହିଁ ବୋଧହୁଏ ସେଲେବ୍ରିଟି ହେବାର ସହଜ ବାଟ!!

 

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.