Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ
ବିଶେଷ ଖବର

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

October 23, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ
ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀ 

(୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀ ଏହି ଦିନ ମୃତ୍ୟୁ ବରଣ କରିଥିଲେ। ଅଥଚ ୩୫ ବର୍ଷର ସେ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ। ଓଡିଶାରେ ସାମ୍ୟବାଦୀ ଆଂଦୋଳନର ପ୍ରତିଷ୍ଠାତା, ଓଡିଆ ସାହିତ୍ୟରେ ସାଧାରଣ ମଣିଷର ସ୍ଵରକୁ ଉପସ୍ଥାପିତ କରିଥିବା ସବୁଠୁ ଶାଣିତ ସ୍ଵର ଓ ସ୍ଵାଧୀନତା ଆଂଦୋଳନର ସର୍ବତ୍ୟାଗୀ ସଂଗ୍ରାମୀ ଭାବରେ ତାଙ୍କର ଭୂମିକା ଥିଲା ଅନନ୍ୟ। ଓଡିଶାର ଏକ ପ୍ରତିଷ୍ଠିତ ସାହିତ୍ୟିକ ପରିବାରର ଦାୟାଦ ସେ । ଦୁଇ ବଡ ଭାଇ ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ଓଡିଆ ସାହିତ୍ୟର ଉଜ୍ଜଳ ନକ୍ଷତ୍ର। ହେଲେ ସାହିତ୍ୟିକ ପ୍ରତିଷ୍ଠା ଅପେକ୍ଷା ସାଧାରଣ ମଣିଷ ଲାଗି ସଂଗ୍ରାମ ଭଗବତୀଙ୍କୁ ଘରଛଡା କରିଥିଲା। ସେ ଥିଲେ ତାଙ୍କ ସମୟର ବୈଚାରିକ ସାରଥି। ମାତ୍ର ୩୫ ବର୍ଷ ବୟସ ଭିତରେ କେତେ କଣ ସେ କରିଛନ୍ତି। “ଶିକାର” ଭଳି କାଳଜୟୀ ଗପ ସେ ଲେଖିଛନ୍ତି ଯେତେବେଳେ ତାଙ୍କ ବୟସ ୩୦ ରୁ କମ। ସେ ଥିଲେ ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ। ତାଙ୍କ ଦ୍ଵାରା ୧୯୩୬ ମସିହାରେ ପ୍ରକାଶ ପାଇଥିବା “ଆଧୁନିକ” ସାହିତ୍ୟ ପତ୍ରିକା ଓଡିଶାର ଜନ ଜୀବନରେ ଏକ ନୂତନ କ୍ରାନ୍ତିର ସୂତ୍ରପାତ କରିଥିଲା। ନବକ୍ରାନ୍ତି ର ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୬ତମ ଶ୍ରାଦ୍ଧ ଦିବସରେ ତାଙ୍କ ସମ୍ପାଦିତ “ଆଧୁନିକ” ପତ୍ରିକାର ପ୍ରଥମ ସଂପାଦକୀୟଟିକୁ ଆମେ ପ୍ରକାଶ କରୁଛୁ।)

ଆଧୁନିକ ପ୍ରକାଶିତ ହେଲା । କୌଣସି ଏକ ବିରାଟ ନୀତିବାଦ ସୃଷ୍ଟି କରିବା, କିମ୍ବା ଏକ ମହାନ୍‌ ସତ୍ୟ ଆବିଷ୍କାର କରିବାର ଅହଂକାର ଏହା ପୋଷଣ କରି ନାହିଁ, ମୋଟ ଉପରେ ଗୋଟାଏ କିଛି ନୂଆ ସର୍ଜନା କରିବାର ଆକାଂକ୍ଷା ଏହାର ନାହିଁ । ଜଗତର ସବୁ ଅଂଶରେ ଏକ ତୁମୁଳ ପରିବତ୍ତର୍ନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନା ସ୍ଥଳରେ ଯେପରି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି, ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନ ମାତ୍ର । ଏହି ପରିବତ୍ତର୍ନର ଆହ୍ବାନ ଯେ ଓଡ଼ିଶାର ଯୁବପ୍ରାଣକୁ ଚଞ୍ଚଳ କରିଛି, ଆଧୁନିକ ତାହାର ନିଦର୍ଶନ ।

ଉଭୟ ଚିନ୍ତା ରାଜ୍ୟରେ ଓ କର୍ମ କ୍ଷେତ୍ରରେ ଏ ଯେଉଁ ବିପ୍ଳବର ସୂତ୍ରପାତ ହେଉଅଛି, ତାହା ଅଧିକାଂଶଙ୍କର ଅଗୋଚରରେ ହିଁ ହେଉଅଛି । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଓ ତାହା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବାକୁ ସଂକେତ ଦେବା ଏହାର ଅଭିପ୍ରାୟ । ଏହି ପରିବତ୍ତର୍ନ ଅବଶ୍ୟ ଆସିବ । ସମାଜର ବିବିଧ ଶ୍ରେଣୀ ଓ ସ୍ବାର୍ଥର ସଂଘର୍ଷ ମଧ୍ୟରୁ ଯେଉଁ ସବୁ ସମସ୍ୟା ଆପେ ଆପେ ଜାତ ହୋଇଛି, ତାହାର ସମାଧାନ ସ୍ବତଃସିଦ୍ଧ । ବ୍ୟକ୍ତିବିଶେଷର ଆସ୍ଥା ଅନାସ୍ଥା ପ୍ରତି ଏହା ଅପେକ୍ଷା କରିବ ନାହିଁ ।

ଏହି ପରିବତ୍ତର୍ନର ଗତିରୋଧ କରିବାକୁ ଯେଉଁମାନେ ଠିଆ ହେବେ, ସେମାନେ ସମାଜର ପ୍ରଗତି ବିରୋଧୀ, ଶତ୍ରୁ । ବଞ୍ଚି ରହିବାର ପ୍ରବଳ ଇଚ୍ଛା ସତ୍ତ୍ବେ ଯେଉଁମାନଙ୍କର ଆୟୁକାଳ ଶେଷ ହୋଇଯାଏ, ସେମାନେ ଭୂତ ପାଲଟି ନାନା ଉପଦ୍ରବ କରନ୍ତି ବୋଲି ଶୁଣାଯାଏ । ତେବେ ଏ ଧରଣର ଭୂତର ଅସ୍ତିତ୍ବ ବିଷୟରେ ଆମର ପୂରା ଅବିଶ୍ବାସ ଅଛି । କିନ୍ତୁ ଆମର ଆଖି ଆଗରେ ଦଳେ ଲୋକ ଭୂତପ୍ରେତ ପରି ଉପଦ୍ରବ କରିବାର ଦେଖାଯାଏ । ପରିବର୍ତ୍ତିତ ଓ ଉନ୍ନତ ସାମାଜିକ ବ୍ୟବସ୍ଥା ମଧ୍ୟରେ ଯେଉଁମାନଙ୍କର ବଞ୍ଚିରହିବା ଅସମ୍ଭବ ହୋଇ ଉଠେ, ସେମାନେ ପରିବର୍ତ୍ତନ ଓ ପ୍ରଗତି ବିରୁଦ୍ଧରେ ଠିଆ ହୋଇ ନିଜର ଅସ୍ତିତ୍ବକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରନ୍ତି । ଜନମାନସରେ ଏହି ପ୍ରତିକ୍ରିୟାଶାଳୀ ଲୋକେ ହିଁ ପ୍ରକୃତ ଭୂତ ।

ଆଗେ ସବୁ ଗତିହୀନ ଅବସ୍ଥା  ରହିଥିଲା । ଏହା ଆମେ କହିବାକୁ ଯାଉ ନାହୁଁ । ସବୁ ଅବସ୍ଥାରେ, ପ୍ରତି ମୁହୂର୍ତ୍ତରେ ପରିବତ୍ତର୍ନର ଧାରା ପ୍ରବାହିତ ହେଉଅଛି । ଏହି ଧାରାର ସ୍ରୋତ କେତେବେଳେ ପ୍ରଖର, କେତେବେଳେ ବା ଶିଥିଳ ଗତି ଧରିଛି । ଏହା ସାଧାରଣତଃ ଶିଥିଳ ଗତିରେ ପ୍ରବାହିତ ହେଉଥାଏ, ଶେଷରେ ଏପରି ଏକ ସମୟ ଆସେ, ସେତେବେଳେ ଦୁଇକୂଳ ଉଛୁଳି ଉଠେ, ଗତି ଅତ୍ୟନ୍ତ ପ୍ରଖର ହୁଏ, ସବୁ ବାଧା ବନ୍ଧକୁ ଅତିକ୍ରମ କରି ଏହା ଚତୁର୍ଦ୍ଦିଗକୁ ପ୍ଲାବିତ କରିଦିଏ । ଯୁଗ ପରିବତ୍ତର୍ନର ଏହି ମୁହୂର୍ତ୍ତ ବର୍ତ୍ତମାନ ଉପସ୍ଥିତ ।

ଏହି ପରିବର୍ତ୍ତନର ବାର୍ତ୍ତା ଓଡ଼ିଶାର ଦ୍ବାରେ ଦ୍ବାରେ ଆଘାତ କରିଗଲାଣି, କିନ୍ତୁ ଅନେକେ ସେ ବିଷୟରେ ସଚେତ ନୁହନ୍ତି । ଏହି ବାର୍ତ୍ତା ଯେ, ଆସି ଆଘାତ କଲାଣି, ଆଧୁନିକ ତାହାହିଁ ତା’ର ସ୍ବରରେ ପ୍ରଚାର କରିବ । ଅର୍ଥାତ୍‌ କାକତାଳୀୟ ନ୍ୟାୟରେ ଆଧୁନିକ ଯଦି କିଛି କରିପାରିଲା, ତାହା ଆମର ଯଥେଷ୍ଟ । ଗଛରେ ତାଳଟିଏ ଫଳାଇବା କିମ୍ବା ପାଚିଲା ତାଳଟିଏ ଭିଆଣ କରିବାର ଦୁରାଶା ଆଧୁନିକ ପୋଷଣ କରି ନାହିଁ । ତାଳ ଫଳିବା ବା ପାଚିବା କାମ ଆପେ ଆପେ ହେବ । ପାଚିଲା ତାଳଟିକୁ ଉପଯୁକ୍ତ ଅବସ୍ଥାରେ ଝଡାଇବା ହିଁ ଆଧୁନିକର ଉଦ୍ଦେଶ୍ୟ ।

ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରିବାକୁ ଯାଉ ନାହିଁ । ଓଡ଼ିଶାରେ ଏହି ପୃଥିବୀବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ । ଓଡ଼ିଆ ସାହିତ୍ୟର ଅଭାବ ମୋଚନ ପାଇଁ କିମ୍ବା ସାହିତ୍ୟ କଳାରେ କିଛି ଗୋଟାଏ ନୂତନତ୍ବ ସୃଷ୍ଟି କରିବା ଲାଗି ଆଧୁନିକର ଜନ୍ମ ନୁହେଁ । ସେ ଦିଗରେ ଓଡ଼ିଶାରେ ପତ୍ର ପତ୍ରିକାର ନିତାନ୍ତ ଅଭାବ ନାହିଁ ।

କଳା, ବିଜ୍ଞାନ, ସାହିତ୍ୟ, ଦର୍ଶନ ଆଦି ସମସ୍ତ ବିଷୟର ଦୁଇଟି ଦିଗ ଅଛି । ଗୋଟିଏ ଦିଗର କର୍ମ ସହିତ ସଂଯୋଗ ଅଛି, ତାହା କର୍ମତତ୍‌ପରତାର ପରିପୋଷକ । ଅନ୍ୟଟିର କୌଣସି ବାହ୍ୟ ଉଦ୍ଦେଶ୍ୟ  ନଥାଏ । ତାହାରି ଚର୍ଚ୍ଚାରେ ହିଁ ତା’ର ଉେଦ୍ଦଶ୍ୟର ଚରମ ପରିଣତି । ଶେଷୋକ୍ତ ବିଷୟକ ଲେଖାଚର୍ଚ୍ଚା କରିବାକୁ ଆଧୁନିକର ସ୍ଥାନାଭାବ । ଆଧୁନିକ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମ ତତ୍‌ପର ହେବା ପାଇଁ ଚଞ୍ଚଳ କରିବ । ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ ଉପନ୍ୟାସ, ନାଟକ ହେଉ, ଯାହା ମାନବକୁ କର୍ମକ୍ଷେତ୍ରକୁ ପ୍ରଧାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ ଆଧୁନିକରେ ପ୍ରକାଶ ପାଇବ । ଆରାମ ଚୗକିରେ ବସି ପଢିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଆଧୁନିକରେ ସ୍ଥାନ ପ୍ରଶସ୍ତ ନୁହେଁ ।

ସାହିତ୍ୟ ପତ୍ରପତ୍ରିକାମାନଙ୍କର ସାଧାରଣ ନୀତି ହେଉଛି ‘ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ।’ ସାପ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ନିଜର ବାଡ଼ିଟି ବଜାୟ ରଖିବା ହିଁ ସେମାନଙ୍କର ଲକ୍ଷ୍ୟ । ଆଧୁନିକର କିନ୍ତୁ ତା’ ନୁହେଁ । ବାଡ଼ି ଭାଙ୍ଗି ଯାଉ ପଛେ ସାପ ମରୁ, ଏହାହିଁ ତାର ନୀତି । ତା’ର ପ୍ରଧାନ ଲକ୍ଷ୍ୟ ହେଉଛି ସାପକୁ ମାରିବ । ବାଡ଼ି ଉଞ୍ଚେଇ ସାପକୁ ଘଉଡ଼ି ଦେଲେ ଖାଲି ହେଲା ନାହିଁ – ସେ ଆଘାତ କରିବାକୁ ଚାହେ, ବାଡି ଭାଙ୍ଗୁ ଅବା ରହୁ । ଯେଉଁ ସବୁ ବଦ୍ଧମୂଳ ଧାରଣା ଓ ସଂସ୍କାର ମାନବର ସାମାଜିକ ତଥା ବ୍ୟକ୍ତିଗତ ଜୀବନକୁ ଆଚ୍ଛନ୍ନ କରି ରଖିଛି, ତାହାରି ମୂଳରେ ଏହାର ପ୍ରଥମ ଆଘାତ ।

ଅନ୍ୟାନ୍ୟ ପତ୍ରପତ୍ରିକାମାନଙ୍କଠାରୁ ଆଧୁନିକର ଉଦ୍ଦେଶ୍ୟ ଭିନ୍ନ, ତା’ର କର୍ମକ୍ଷେତ୍ର ମଧ୍ୟ ପୃଥକ୍‌ । ସେଥିଲାଗି ଓଡ଼ିଶାର କୌଣସି ପତ୍ରପତ୍ରିକା ଯେପରି ଏହାଠାରୁ ପ୍ରତିଯୋଗିତାର ଆଶଙ୍କା ନ କରନ୍ତି ।

(ମଇ, ୧୯୩୬ରେ ପ୍ରକାଶିତ “ଆଧୁନିକ” ର ସମ୍ପାଦକୀୟ। ଡିଜିଟାଲ ସୌଜନ୍ୟ- www.odiabibhaba.in)   

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.