Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିକାରି ବଳ : ମହାହୃଦୟର ସୁରକାର
ବିଶେଷ ଖବର

ଭିକାରି ବଳ : ମହାହୃଦୟର ସୁରକାର

November 2, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

(ଆଜି ଓଡିଆ ଭଜନ ଓ ଜଣାଣ ଗାୟନ ପରମ୍ପରାର ମହାନାୟକ ଭିକାରି ବଳ(୨୫,ମଇ,୧୯୨୯-୨, ନଭେମ୍ବର, ୨୦୧୦)ଙ୍କର ଦଶମ ଶ୍ରାଦ୍ଧ ତିଥି।  ଓଡିଶାର ଭାବ ଓ ଭକ୍ତିକୁ ଚିରନ୍ତନ ମାଧୁର୍ୟ ପ୍ରଦାନ କରିଥିବା ଏ ମହାନ ଗାୟକଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି।)

”ଦିବସେ ମରଣ ହେବ, ଯମ ଦଣ୍ଡ ଆଉ ମୋତେ ନଥିବ, ହେ ରାଧାଗୋବିନ୍ଦ”  ବୋଲି ଗାଇଲା ବେଳେ ତାଙ୍କ କଣ୍ଠରୁ ଯେଉଁ ଆକୁଳ ଅଧିରତା ତାହା ଆଜି ବି ତନ୍ମୟ କରିପକାଏ । ଅଥଚ ତାଙ୍କ ମରଣ ହେଲା ରାତି ଦଶଟା ପରେ । ଯିବା ସମୟ ହୋଇଯାଇଥିଲା, ସେ ଗଲେ । ଦିବସରେ ବା ରାତ୍ରିରେ ମରଣ ହେବା ସହ ଯମ ଦଣ୍ଡର ଯେ କୌଣସି ସମ୍ପର୍କ ନାହିଁ, ତାହା ପ୍ରମାଣିତ ହୋଇଗଲା । ତାଙ୍କ ମୃତ୍ୟୁ ପରେ ଯେଉଁ ବିଶାଳ ଶୋଭାଯାତ୍ରା କଟକରୁ ପୁରୀ ଯାଏ ଲମ୍ବି ଥିଲା, ତାହା ପ୍ରମାଣିତ କରୁଥିଲା କେତେ ଶକ୍ତିଶାଳୀ ଓ ଲୋକପ୍ରିୟ ବ୍ୟକ୍ତିତ୍ବ ଥିଲେ ସେ । ଜୀବନତମାମ ଭାବ ଓ ଭକ୍ତିରେ ବନ୍ଧା ପଡ଼ିଥିଲା ତାଙ୍କ କଣ୍ଠସ୍ବର । ଅଲଗା କିଛି ଗୀତ ସେ ଗାଇଛନ୍ତି, ହେଲେ ସେସସବୁ ସଂଖ୍ୟା ଯଥେଷ୍ଟ କମ୍‌ । କେତୋଟି ଅଳ୍ପ ଚର୍ଚ୍ଚିତ ପଲ୍ଲୀଗୀତକୁ ଛାଡ଼ିଦେଲେ, ଭିକାରୀ ବଳଙ୍କ ପରିଚୟ କେବଳ ଭଜନ । ଜୀବନତମାମ ବ୍ୟାକୁଳ ହୋଇ ଜଗନ୍ନାଥଙ୍କୁ ସେ ଡାକିଛନ୍ତି । ସାଲବେଗଙ୍କଠୁ ଆରମ୍ଭ କରି କ୍ଷୀରୋଦ ପୋଥାଳଙ୍କ ପରି କବିଙ୍କୁ ସେ ମୁକ୍ତ କଣ୍ଠରେ ଗାଇଛନ୍ତି ।

ତାଙ୍କ ସ୍ବରଟି ଭାରି ମିଠା ଓ ନରମ । ସଙ୍ଗୀତର ଭାଷାରେ କହିଲେ ହୁଏତ, ସେ ସ୍ବରର ଗାମ୍ଭୀର୍ଯ୍ୟ ନଥିଲା ହେଲେ ବ୍ୟାପକ ଥିଲା ସେ କଣ୍ଠ ର ଯାଦୁକରୀ ପ୍ରଭାବ । ଓଡ଼ିଆଙ୍କ ପ୍ରତେ୍ୟକ ଭାବ ଓ ଅଭାବକୁ ଗୀତ କରି ସେ ଗାଉଥିଲେ । ଭିକାରୀ ବଳଙ୍କ କଣ୍ଠରେ ଗୋଟେ ଜାତିର ଭକ୍ତି ଓ ସ୍ବପ୍ନ ରୂପାୟିତ ହେଉଥିଲା । ଜଗନ୍ନାଥଙ୍କ ଜମିରେ ହଳିଆ ହେବାର ସ୍ବପ୍ନ ଦେଖୁଥିବା ଭିକାରୀ ବଳ ଆର ଜନ୍ମରେ କ’ଣ ହେବେ ତାହା ଆମେ ଜାଣୁନା । ବ୍ୟକ୍ତିଗତ ଭାବରେ ଆରଜନ୍ମ ବୋଲି କିଛି ଅଛି କି ନାହିଁ, ସେ ଉପରେ ମୋର ଘୋର ସନ୍ଦେହ । କିନ୍ତୁ ଏତିକି ବିଶ୍ବାସ କରେ, ସଙ୍ଗୀତ ମରେ ନାହିଁ । ଭଲ ସଙ୍ଗୀତ ସମୟକୁ ଅତିକ୍ରମ କରିଯାଏ । ଭିକାରୀ ବଳଙ୍କ କଣ୍ଠରେ ଓଡ଼ିଆ ଜାତିର ବହୁ କବି ସମୟକୁ ଅତିକ୍ରମ କରି ବର୍ତ୍ତମାନରେ ବଞ୍ଚିଛନ୍ତି । ଜଣେ ଗାୟକର ଦାୟିତ୍ବ ସେଇୟା । ସେ ନିଜ ଜାତି ଓ ପରମ୍ପରାର ପ୍ରତିନିଧି । ଇତିହାସର ଅନ୍ଧକାର ଭିତରେ ଯେଉଁ ଅଣାକାର ଶବ୍ଦଗୁଡ଼ିକ ଅମୋକ୍ଷ ଭାବରେ ଘୂରୁଥା’ନ୍ତି, ସେହି ଶବ୍ଦମାନଙ୍କୁ ଗାୟକ କାୟା ଦିଏ । ପ୍ରତ୍ୟେକ କବିତାର ଏକ ଛନ୍ଦ ଥାଏ, ଗାୟକ ସେଇ ଛନ୍ଦର ଆବିଷ୍କାରକ । ଭିକାରୀ ବଳ ତାଙ୍କ କଣ୍ଠରେ ବହୁ କବିତାର ଛନ୍ଦକୁ ଆବିଷ୍କାର କରିଛନ୍ତି । ସେ ଛନ୍ଦର ମୃତ୍ୟୁ ନାହିଁ । ସେ ଛନ୍ଦ ଭିତେର ଭିକାରୀ ବଳଙ୍କ ଜୀବନ ମଧ୍ୟ ଅସରନ୍ତି ।

ଭିକାରୀ ବଳଙ୍କ ଶହ ଶହ ଭଜନ ମଧ୍ୟରୁ ଦୁଇଟି ଅଳ୍ପ ଚର୍ଚ୍ଚିତ ଗୀତର କଥା ଆଜି ମନେ ପଡୁଛି । ପ୍ରଥମଟି ହେଉଛି ଅତିବଡ଼ୀ ଜଗନ୍ନାଥ ଦାସଙ୍କୁ ଭାଗବତକୁ ସେ ଯେମିତି ଗାଉଥିଲେ, ତା’ର କୌଣସି ତୁଳନା ନାହିଁ । ପୁରୁଣା ପାଠର ପ୍ରାଚୀନ ଶୈଳୀ ଓ ଭାବର ବ୍ୟାପକ ଆବେଦନ ଭାଗବତକୁ ପୁଣିଥରେ ଆମ କାନରେ ମୋକ୍ଷର ଅମୃତ କରି ଢାଳି ଦେଇଥିଲା । ପ୍ରତ୍ୟେକ ଓଡ଼ିଆର ଜୀବନରେ ଗୋଟିଏ ସ୍ବପ୍ନ ଥାଏ, ମଲାବେଳେ ଭାଗବତ ଅଧ୍ୟାୟଟେ ତା’ କାନରେ ପଡ଼ିବ । ଭାଗବତ ସହ ଭକ୍ତି ଓ ଆଧ୍ୟାତ୍ମିକତାର ସମ୍ପର୍କ ବିଷୟରେ ମୋତେ ବିଶେଷ ଜଣା ନାହିଁ । ତେବେ, ମୁଁ ଏତିକି ଜାଣେ ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ଓ ଲାଳିତ୍ୟର ଉତ୍କର୍ଷ ଅତିବଡ଼ୀଙ୍କ ଭାଗବତରେ ହିଁ ମୂର୍ତ୍ତିମନ୍ତ ହୋଇଛି । ଭାଷାର ସର୍ବଶ୍ରେଷ୍ଠ ସୁନ୍ଦର କାବ୍ୟ ଭାବରେ ଭାଗବତର କୌଣସି ପଟ୍ଟାନ୍ତର ନାହିଁ । ତାକୁ ଗାୟନ କରି ଭିକାରୀ ବଳ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନର ଅଭିପ୍‌ସାକୁ ପୂରଣ କରିଛନ୍ତି ।

ତାଙ୍କର ଅଳ୍ପ ଚର୍ଚ୍ଚିତ ଗୀତଟି ‘ଟୀକା ଗୋବିନ୍ଦଚନ୍ଦ୍ର’ । ଭଜୁ କି ନା ରାମ ନାମରେ କୁମର, ଗୀତଟି ଶୁଣି ଆମ ମା’ ମାନେ ଖାଇବା ଥାଳିରୁ ଉଠିଆସିବାର କାହାଣୀ ଆମେ ଶୁଣିଛୁ । ପୁଅଟି ଯୋଗୀ ହୋଇ ଯାଉଥିବାର ଦାରୁଣ କଳ୍ପନାରେ କାନ୍ଦୁଥିବା ମା’ର ମମତାକୁ ନେଇ ଲେଖା ହୋଇଥିବା ଏ ଗୀତକୁ ଶହଶହ ବର୍ଷ ଧରି ଆମର ଚାରଣ ପରମ୍ପରା ବଞ୍ଚାଇ ରଖିଛି । ଏଗୀତର ମୂଳ ଗାୟକ ନାଥଯୋଗୀ ମାନେ କୁଆଡେ କୁଆଡେ ହଜି ଗଲେଣି । ସେମାନଙ୍କ କେନ୍ଦରାରେ ଗାଁ ଦାଣ୍ଡରେ ଟୀକା ଗୋବିନ୍ଦଚନ୍ଦ୍ରର କରୁଣା ମୂର୍ଚ୍ଛନା ଏବେ ଆଉ ଶୁଣିବାକୁ ମିଳୁନାହିଁ ।  ଯୋଗୀ କେନ୍ଦରାରୁ ସେ ଗୀତକୁ ଆଧୁନିକ ସ୍ବର ବିଜ୍ଞାନକୁ ଆଣିଥିଲେ ଭିକାରୀ ବଳ । ତାଙ୍କରି କଣ୍ଠରେ ଟୀକା  ଗୋବିନ୍ଦଚନ୍ଦ୍ର ପୁଣିଥରେ ଓଡ଼ିଶାର ପୁର ପଲ୍ଲୀରେ ଶୁଭିବା ଆରମ୍ଭ ହୋଇଥିଲା । ଭିକାରୀ ବଳଙ୍କ କଣ୍ଠରେ ଗୋଟେ ବଡ଼ ଲକ୍ଷଣ ହେଉଛି, ସେଠି ହୃଦୟର ସ୍ପନ୍ଦନ ବାରି ହୋଇ ପଡେ । ଲାଗେ ଗାୟକ ସେଠି ଗୀତଟି କଣ୍ଠରୁ ଗାଉନାହିଁ, ତାହା ଆସୁଛି ଆତ୍ମାର କେଉଁ ଏକ ନିବିଡ଼ ଅନ୍ଧାରରୁ ।

ଭିକାରୀ ବଳଙ୍କ ମୃତ୍ୟୁ ପରେ ଏବେ ହୁଏତ ଆହୁରି ଅନେକ ଭିକାରୀ ବଳଙ୍କ କ୍ଲୋନ୍‌ ବାହାରିବେ । ଯେମିତି ଆମେ ପ୍ରତିଦିନ ନିମାଇଁ ହରିଚନ୍ଦନଙ୍କ କ୍ଲୋନ୍‌ମାନଙ୍କୁ ଶୁଣୁଛୁ । ଭିକାରୀ ବଳଙ୍କ ପୂର୍ବରୁ ଓଡ଼ିଆ ଜାତି ଗାୟନ ପରମ୍ପରାରେ ସବୁଠୁ ଶୁଦ୍ଧ ଓ ଉଦାର ସ୍ବରଟି ନିମାଇଁ ହରିଚନ୍ଦନଙ୍କର । ଆଜିର ନୂଆ ପିଢି ହୁଏତ  ନିମାଇଁ ହରିଚନ୍ଦନଙ୍କ ନାଆଁ ଶୁଣୁନଥିବେ, ଯଦିଓ ଶୁଣିଥିବେ ସେ ସ୍ବରଟି ତାଙ୍କୁ କେମିତି ଗୋଟେ ଅଡୁଆ ଅଡୁଆ ଲାଗୁଥିବ । ଓଡ଼ିଆ ବର୍ଣ୍ଣ ଉଚ୍ଚାରଣରେ ଯେଉଁ ଉଦାର ସ୍ବଭାବ ତା’ର ଏକମାତ୍ର ଚିହ୍ନରା ଗାୟକ ଥିଲେ ନିମାଇଁ ହରିଚନ୍ଦନ । ତାଙ୍କ ପରେ ଓଡ଼ିଆ ଭଜନ ପରମ୍ପରାର ଯୋଗ୍ୟ ଉତ୍ତରାଧିକାରୀ ଭିକାରୀ ବଳ । ଭିକାରୀ ବଳଙ୍କ କଣ୍ଠ ନିମାଇଁ ହରିଚନ୍ଦନଙ୍କ ପରି ଏତେ ଉଦାତ୍ତ ନୁହେଁ, ତାହା କିନ୍ତୁ ଭୀଷଣ ଭାବରେ କୋମଳ । ଲାଗିବ କେହି ଯେମିତି କାଳକାଳରୁ ଶୋଇପଡ଼ିଥିବା ହୃଦୟ ଉପରେ ପଦ୍ମପାଖୁଡାରେ କାକର ସିଞ୍ଚୁଛି । ତାଙ୍କ କଣ୍ଠରେ ଆଉ ନୂଆ ଗୀତ ଶୁଣିବାକୁ ମିଳିବ ନାହିଁ । ତାହାହିଁ ବିଡ଼ମ୍ବନା ।

ଭିକାରୀ ବଳଙ୍କ ଶୋଭାଯାତ୍ରା ଦେଖିଲାବେଳେ ମନରେ ଗୋଟେ ଭାବନା ଆସୁଥିଲା, ଯାହା ହେଉ ଏ ଜାତି ତା’ର ଶିଳ୍ପୀମାନଙ୍କୁ ଭଲ ପାଏ । ଆମ ଭଲପାଇବାଟା ଯେତିକି ତୀବ୍ର, ଆମର ଭୁଲିଯିବା ପ୍ରକ୍ରିୟାଟି ମଧ୍ୟ ସେତିକି ପ୍ରଖର । ଯେଉଁମାନଙ୍କୁ ଆମେ ପ୍ରଚୁର ଭଲପାଉ, ସେମାନଙ୍କୁ ଯଥାଶୀଘ୍ର ଭୁଲି ମଧ୍ୟ ଯାଉ । ଯେମିତି ଆମେ ଭୁଲିଯାଇଛୁ ନିମାଇଁ ହରିଚନ୍ଦନ, ବାଳକୃଷ୍ଣ ଦାଶ, ସିଂହାରୀ ଶ୍ୟାମସୁନ୍ଦର କର ଓ ସଂଯୁକ୍ତା ପାଣିଗ୍ରାହୀମାନଙ୍କୁ । ଆମର ଶିଳ୍ପୀ ଓ ସାହିତ୍ୟିକମାନଙ୍କ ଅବଦାନକୁ ନେଇ ଆମେ ଗର୍ବ କରୁ । ହେଲେ, ପ୍ରତିଦାନରେ ସେମାନଙ୍କୁ ମିଳେ ଜୀବନର ସବୁଠୁ ବଡ଼ ଭୟଙ୍କର ଗୋଇଠା ମାଡ଼ । ଭିକାରୀ ବଳଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ, କେହି ହୁଏତ ବିଶ୍ବାସ କରିପାରିବେ ନାହିଁ । ମା’ ବାପ ଛେଉଣ୍ଡ ପିଲାଟି ସାରା ଜୀବନ ସଂଘର୍ଷ କରି କରି ବଞ୍ଚିଥିଲେ । ଆମେ ହୁଏତ ଆଜି ତାଙ୍କୁ ଚାମରସେବକର ସମ୍ମାନ ଦେଇଛୁ । ତାଙ୍କ ଚିତାଗ୍ନିରେ ବୈଷ୍ଣବାଗ୍ନିର ସୌଭାଗ୍ୟ ଦେଇଛୁ । ଜୀବିତ ଅବସ୍ଥାରେ କିନ୍ତୁ ତାଙ୍କୁ ଦାରିଦ୍ର୍ୟ ଛାଡ଼ିନାହିଁ ।  ଏ ରାଜ୍ୟରେ ଯେଉଁମାନେ ଚୋରି, ମାଫିଆଗିରି ଓ ଦଲାଲିରେ ବିଶ୍ବାସ କରନ୍ତି ସେମାନେ ସୁନାର ଚାମଚ ନେଇ ଜନ୍ମ ନିଅନ୍ତି ଓ ମରିଯାଆନ୍ତି । ଏ ରାଜ୍ୟର ଶିଳ୍ପୀ ଓ ସାହିତ୍ୟିକ ସାରାଜୀବନ ଜଗନ୍ନାଥଙ୍କ ଜମିରେ ହଳ କରିବାର ସ୍ବପ୍ନ ବା ବଡ଼ଦାଣ୍ଡରେ ଭିକ ମାଗିବାର ସଂକଟରେ ହିଁ ବଞ୍ଚୁଥାଏ । ତାହାହିଁ ଏ ଜାତିର ବିଡମ୍ବନା

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.