ଓଡିଶାରେ ରିଲାଏନସ ଜିଓ 48 ପ୍ରତିଶତ ବଜାରକୁ କରିଛି ଦଖଲ, ଟ୍ରାଇ ରିପୋର୍ଟ

Published: Nov 25, 2019, 9:19 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: 25/11: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା ବର୍ଗରେ ନିଜର ରାଜସ୍ୱ ନେତୃତ୍ୱ ସ୍ଥିତିକୁ ସଂପ୍ରସାରିତ କରି ରିଲାଏନ୍ସ ଜିଓ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ମୋଟ ରାଜସ୍ୱର ୪୮.୧%ରୁ ଅଧିକ ବଜାର ଅଂଶ ହାସଲ କରିଛି ବୋଲି ନିକଟରେ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱରେ ଜିଓର ୪୮.୧% ବଜାର ଅଂଶ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଠାରୁ ୧୨% ଅଧିକ ରହିଛି ।

ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରି ବୃହତ ୫୬.୮% ବଜାର ଅଂଶ ହାସଲ କରି, ଅନ୍ୟମାନଙ୍କ ଠାରୁ ବହୁତ ଆଗକୁ ବଢ଼ିଯାଇଛି ବୋଲି ଟ୍ରାଇ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ, ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ରିଲାଏନ୍ସ ଜିଓ ୪୬୯.୭ କୋଟି ଟଙ୍କାର ମୋଟ ରାଜସ୍ୱ (ଗ୍ରସ ରେଭିନ୍ୟୁ) ହାସଲ କରିଥିବା ବେଳେ ୩୪୯.୪ କୋଟି ଟଙ୍କା ସହିତ ଏୟାରଟେଲ, ୯୪.୭ କୋଟି ଟଙ୍କା ସହ ଭୋଡାଫୋନ ଆଇଡିଆ ଓ ୫୯.୪ କୋଟି ଟଙ୍କା ସହ ବିଏସଏନଏଲ ଏହା ଠାରୁ ବହୁ ପଛରେ ରହିଛନ୍ତି ।

ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ଏହି କ୍ଷେତ୍ରର ଶ୍ରେଷ୍ଠ ରାଜସ୍ୱ ହାସଲକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୧୯ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱର ସର୍ବାଧିକ ୩୪.୭% ବଜାର ଅଂଶ ହାସଲ କରିଛି ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଗ୍ରାମାଚଂଳ ଓ ଅର୍ଧ-ସହରାଚଂଳରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓଫୋନ-ଭାରତର ସ୍ମାର୍ଟଫୋନକୁ ନେଇ ଓଡ଼ିଶାରେ ପ୍ରତି ମାସରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ତରଫରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ୨ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାକୁ ୧.୧୦ କୋଟିରୁ ଅଧିକ ସ୍ତରକୁ ନେଇଛି । ୨୦୧୯ ସେପ୍ଟେମ୍ବରର ଟ୍ରାଇ ପ୍ରଦତ ଗ୍ରାହକ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସାରା ଦେଶରେ ରିଲାଏନ୍ସ ଜିଓ ୬୯.୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ଅପରେଟର ଯଥା ଏୟାରଟେଲ ଓ ଭୋଡାଫୋନ ଆଇଡିଆ ୪୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି ।

Related posts