ଆମ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ବିଶ୍ଵାସ କରିବାକୁ ଇଚ୍ଛା ହେଉନି, ହେଲେ ବିଶ୍ଵାସ କରିବାକୁ ଆମେ ବାଧ୍ୟ

Published: Dec 25, 2019, 8:37 am IST

କେଦାର ମିଶ୍ର

ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛିବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ ଜାତୀୟ ନାଗରିକତା ପଞ୍ଜୀକରଣ ଓ ନାଗରିକତାରୁ ବାଦ ପଡିଥିବା ଲୋକଙ୍କୁ ଅଟକ ରଖିବା ପାଇଁ ତିଆରି ହେଉଥିବା ଜେଲ ବିଷୟରେ ମିଛ କହୁଛନ୍ତି ବୋଲି ସେ ବଡ ଆବେଗଭରା ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଗୋଟେ ଓଡିଆ ଟେଲିଭିଜନ ଚାନେଲ ଲେଖିଲା- “ଦେଶ ଦେଖିଲା ପ୍ରଧାନମନ୍ତ୍ରୀଙ୍କ ରୌଦ୍ର ରୂପ”। ଏହି ତଥାକଥିତ ରୌଦ୍ର ରୂପ ଯେ କେବଳ ମିଛ ଓ ଛଳନାର ଭାଷଣ ଥିଲା, ସେକଥା ତୁରନ୍ତ ଧରା ପଡିଗଲା । ପ୍ରଧାନମନ୍ତ୍ରୀ କହିଥିବା କୌଣସି କଥା ଯେ ସତ୍ୟ ଓ ତଥ୍ୟ ଆଧାରିତ ନଥିଲା, ସେକଥା ଦେଶ ଓ ବିଦେଶର ଗଣମାଧ୍ୟମ ଆଖି ଚିରି ଦେଖାଇଦେଲେ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ କଣ? ବଡ ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ତାଙ୍କ ସରକାର ଏ ଯାଏ କୌଣସି କଥା କହିନଥିବା ବେଳେ, ସେ ସମ୍ପର୍କରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରଚାର କରାଯାଉଛି। ଏହା ସତ୍ୟ କି? ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ବିରୋଧୀ ମିଛ କହୁଛନ୍ତି ବୋଲି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଦଳ ବିଜେପିର ଅଧ୍ୟକ୍ଷ ତଥା ତାଙ୍କ ନିଜ କ୍ୟାବିନେଟର ଗୃହମନ୍ତ୍ରୀ ଅମିତ ଶାହ, ଏକାଧିକ ଥର ଏନସିଆର ବା ଜାତୀୟ ନାଗରିକ ପଞ୍ଜୀକରଣ ସାରା ଦେଶରେ ହେବାକୁ ଯାଉଛି ବୋଲି ସ୍ପଷ୍ଟ କହିଛନ୍ତି। ଖୋଦ ସଂସଦ ଭିତରେ ଏ ସମ୍ପର୍କରେ ଗୃହମନ୍ତ୍ରୀ ବୟାନ ଦେଇଛନ୍ତି। ପ୍ରଥମେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଜାତୀୟ ନାଗରିକତା ପଞ୍ଜୀକରଣ ଦେଶବ୍ୟାପୀ କରାଯିବ ବୋଲି ଅମିତ ଶାହ କହିଛନ୍ତି। ଚଳିତ ବର୍ଷ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସରକାର ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବ ବୋଲି କହିଥିଲେ।

ତା ସତ୍ତ୍ୱେ ଏ ସମ୍ପର୍କରେ ନରେନ୍ଦ୍ର ମୋଦୀ ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ବୋଲି କହିବା ଡାହା ମିଛ ନୁହେଁ କି? ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଆମକୁ ପଚାରିବାକୁ ପଡିବ, କିଏ ମିଛ କହୁଛି- ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ? ଆମେ କାହାକୁ ବିଶ୍ଵାସ କରିବା? ଆଜି ଦେଶ ସାରା ଯେତେବେଳେ ସଂଶୋଧିତ ନାଗରିକତା ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଜନ ଅସନ୍ତୋଷ ବ୍ୟାପକ ହେଉଛି, ସେଥିରୁ ବର୍ତ୍ତିବାକୁ ଯାଇ ପ୍ରଧାନମନ୍ତ୍ରୀ ମିଥ୍ୟାର ଆଶ୍ରୟ ନେଇଛନ୍ତି। କେବଳ ଅମିତ ଶାହ ନୁହନ୍ତି, ମୋଦୀ ସରକାରର ଅନେକ ମନ୍ତ୍ରୀ ଓ ବିଜେପିର ପଦାଧିକାରୀ ଜାତୀୟ ନାଗରିକତା ପଞ୍ଜୀକରଣ ସପକ୍ଷରେ ମତ ଦେଇଛନ୍ତି।

ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ଏନଆରସି କଥା ମିଛ ବୋଲି କହୁଥିବା ବେଳେ ଏହା ସପକ୍ଷରେ ବିଜେପି ଜନସଭା କରୁଛି କାହିଁକି? ପ୍ରଧାନମନ୍ତ୍ରୀ ଓ ତାଙ୍କ ଗୃହମନ୍ତ୍ରୀ ପରଷ୍ପର ବିରୋଧୀ ମତ ରଖିବା ଆଶ୍ଚର୍ୟଜନକ। ମୋଦୀ ଶାହଙ୍କୁ ମିଛୁଆ କହୁଛନ୍ତି ନା ଶାହ ମୋଦୀଙ୍କୁ ଅଣଦେଖା କରୁଛନ୍ତି, ତାହା ମଧ୍ୟ ଆଜି ଆଉ ଏକ ପ୍ରଶ୍ନ। ଅମିତ ଶାହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ଖୋଲାଖୋଲି ଆହ୍ଵାନ ଦେଉଛନ୍ତି ବୋଲି କୁହାଯାଇ ପାରିବ କି?

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ନାଗରିକଙ୍କୁ ଅଟକ ରଖିବା ଲାଗି ସେମିତି କୌଣସି ଅଟକ ଗୃହ ତିଆରି କରା ଯାଉନାହିଁକର୍ଣ୍ଣାଟକ, ଆସାମ ଓ ମହାରାଷ୍ଟ୍ରରେ ଏ ପ୍ରକାର ଅଟକ ଗୃହ ତିଆରି ହେଉଥିବା କଥା ଖୋଦ ମୋଦୀ ସରକାର ସଂସଦରେ ସ୍ଵୀକାର କରିଛନ୍ତି। ମୋଦୀ ସରକାରର ପ୍ରଥମ ପାଳିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ଓ ଏହି ପାଳିରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକଥା ସଂସଦ ଗୃହରେ  ସ୍ଵୀକାର  କରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ  ସାକ୍ଷାତ୍କାର ଦେବା ଅବସରରେ ଏ କଥାକୁ ଅମିତ ଶାହ ମଧ୍ୟ ସ୍ଵୀକାର କରିଛନ୍ତିତଥାପି ଏହା ମିଛ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି କେମିତି?

ସଂସଦରେ ଉପସ୍ଥାପିତ ସରକାରୀ ତଥ୍ୟକୁ ସରକାରର ମୁଖ୍ୟ କାର୍ୟ ନିର୍ବାହୀ ଭାବରେ ପ୍ରଧାନମନ୍ତ୍ରୀ ଅସ୍ଵୀକାର କରିବା ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛିନିକଟରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିବାରୁ ସେଠିକାର ପ୍ରଧାନମନ୍ତ୍ରୀ ନିଜ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତିଆମ ଦେଶରେ କିନ୍ତୁ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଆମର ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାଗୁଡିକରେ ନିରନ୍ତର ମିଛ କହୁଥିବାର ପ୍ରମାଣ ଅନେକ ରହିଛି। ଏହାକୁ ଆମେ ଗ୍ରହଣ କରିନେଉଛୁ କେମିତି?

ଦେଶର ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବୋଲି କହିବାକୁ ଆମେ ଆଦୌ ଚାହୁଁ ନାହୁଁହେଲେ ସତ୍ୟ ଓ ତଥ୍ୟ ଦେଖିଲା ପରେ ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବ୍ୟତୀତ ଆଉ କିଛି କହି ହେବ କି? ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ଓ ଗାରିମା ଦୃଷ୍ଟିରୁ ଏହା ସବୁଠୁ ପୀଡାଦାୟକ ସତ୍ୟ ବୋଲି ଆମକୁ ସ୍ଵୀକାର କରିବାକୁ ପଡିବଆଜି ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମିଛ ସମ୍ପର୍କରେ ଯେଉଁ ପ୍ରକାର ଖବର ସବୁ ବାହାରୁଛି, ତାକୁ ପଢି , ଶୁଣି ଲଜ୍ଜାରେ ଆମ ମୁଣ୍ଡ ତଳକୁ ହୋଇ ଯାଉଛି 

Related posts