ରାଜଧାନୀ ସାରା ଦିଲ୍ଲୀପ ରାୟଙ୍କ ହୋଡିଂ ଲଗିବା ପଛରେ କଣ ରହିଛି ରହସ୍ୟ, ରାଜ୍ୟସଭା ଯିବା ଖୁସିରେ କି ?

Published: Jan 10, 2020, 7:15 pm IST

ସଂବିତ ତ୍ରିପାଠୀ

ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି  ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ କମ ବିଜେପି ନେତା।

ଦିଲ୍ଲୀପଙ୍କ ହୋଡିଂରେ ଲେଖାଥିବା ସେହି ସ୍ଲୋଗାନ, ନିରବତାର ସଫଳ ବ୍ୟକ୍ତିତ୍ବ କଥାକୁ ତର୍ଯ୍ୟମା କଲେ ଜଣାପଡେ ତାହା ସତକଥା । କାରଣ ଗତ ନିର୍ବାଚନରେ ଦିଲ୍ଲୀପ ବିଜେଡି ତରଫରୁ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ଏପରିକି ସେ ଏକାକି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଥିଲେ। ହେଲେ କାହିଁକି କେଉଁଠି ତାଙ୍କର ସେ ଯୋଜନା ସଫଳ ହୋଇପାରିଲା ନାହିଁ। ତାଙ୍କର ପରମ ବନ୍ଧୁ ବିଜୟ ମହାପାତ୍ର ବିଜେପି ଛାଡିବା ଏବଂ ପୁଣି ଯୋଗଦେବା ପ୍ରସଂଗକୁ ଦିଲ୍ଲୀପଙ୍କ ହଜମ କରିପାରି ନ ଥିଲେ। ସେଥିପାଇଁ ସମସ୍ତେ ଆଶା କରୁଥିଲେ ଦିଲ୍ଲୀପ ବିଜୟ ହାତ ଛାଡି ବିଜେଡି ହାତ ଧରିବେ। ନିର୍ବାଚନ ସରିଗଲା ସିନା ଦିଲ୍ଲୀପଙ୍କ ଭାଗ୍ୟରେ ସେପରି କିଛି ଉଦୟ ହେଲା ନାହିଁ।

ବର୍ତ୍ତମାନ ଦିଲ୍ଲୀପଙ୍କ ନିକଟତମ ମହଲର ଖବର ଅନୁସାରେ ସେ ବିଜେଡିରେ ମିଶିବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି। ଏତିସହିତ ବିଜେଡି ମଧ୍ୟ ତାଙ୍କୁ ନେବା ପାଇଁ ରାଜି ହୋଇଯାଇଛି। ନିକଟରେ ଯେଉଁ 4ଟି ରାଜ୍ୟସଭା ପଦ ଖାଲି ରହୁଛି ସେଥିରୁ ଦିଲ୍ଲୀପଙ୍କୁ ଗୋଟିଏ ଦେବା ପାଇଁ କୁଆଡେ ସୁପ୍ରିମୋ ରାଜି । ହେଲେ ତା ପୂର୍ବରୁ ଅର୍ଥାତ ଆସନ୍ତା ଫେବୃୟାରୀରେ ଦିଲ୍ଲୀପ ବିଜେଡିରେ ମିଶିବେ। ଫଳରେ ଦୀର୍ଘଦିନ ଧରି ଦିଲ୍ଲୀପ ଯେପରି ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତା ଗ୍ରସ୍ତ ଥିଲେ ଏବେ ଟିକିଏ ହାଲକା ହୋଇଯାଇଛନ୍ତି। ସେଥିପାଇଁ ଏଥରର ଜନ୍ମ ଦିନଟି ବହୁ ଆଡମ୍ବରରେ ପାଳନ କଲେ ବୋଲି ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି। କାରଣ ଏତେ ବଡ ନିର୍ବାଚନ ଗଲା ଏତେ ହୋ ହାଲ୍ଲା ହେଲା ହେଲେ ଦିଲ୍ଲୀପ ପୁରୀ ନିରବ ରହିଗଲେ। ଏପରିକି ଲୋକେ ତାଙ୍କର ନାମକୁ ଭୁଲିବାକୁ ମଧ୍ୟ ଯାଉଥିଲେ। ସେପରି ସ୍ଥିତିରେ ତାଙ୍କର ଜନ୍ମଦିନ ପାଳନ ଆଳରେ ସାରା ଭୁବନେଶ୍ବରରେ ହୋଡିଂ ମାରି ଦିଲ୍ଲୀପ ଏବେବି ସକ୍ରିୟ ଅଛନ୍ତି ବୋଲି ଜଣାଇଦେଲେ।

Related posts