Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀ ବିଧାନସଭା ନିର୍ବାଚନ, ଅରବିନ୍ଦ କେଜ୍ରିୱାଲ ବନାମ ଅମିତ ଶାହ
ବିଶେଷ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ, ଅରବିନ୍ଦ କେଜ୍ରିୱାଲ ବନାମ ଅମିତ ଶାହ

January 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀ ବିଧାନସଭା ନିର୍ବାଚନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ବୋଲି କହିବାକୁ ଆମେ ବାଧ୍ୟ। ପୂର୍ବରୁ ସବୁ ବିଧାନସଭା ନିର୍ବାଚନରେ ବିଜେପି ନିଜର ଏକମାତ୍ର ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପିତ କରି ଆସୁଥିଲା। ଅଳ୍ପ ଦିନ ତଳେ ଅନୁଷ୍ଠିତ ହରିୟାନା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ଚେହେରା ନରେନ୍ଦ୍ର ମୋଦୀ ରହିଥିଲେ। ଯଦିଓ ଏହି ତିନୋଟି ରାଜ୍ୟରେ ବିଜେପି ସରକାର ରହିଥିଲା, ତଥାପି ରାଜ୍ୟ ପ୍ରସଙ୍ଗ ତୁଳନାରେ ଏହି ସବୁ ରାଜ୍ୟରେ ବିଜେପି ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଭରସାରେ ନିର୍ବାଚନ ଲଢିଥିଲା।

 ସାଧାରଣ ନିର୍ବାଚନ ପରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଓ ନୂଆ ନାଗରିକ ସଂଶୋଧନ ଆଇନକୁ ପ୍ରସଙ୍ଗ କରି ବିଜେପି ଏହି ନିର୍ବାଚନ ଲଢିଥିଲା ଓ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ହରିୟାନାରେ ଦଳ ସଂଖ୍ୟା ଗରିଷ୍ଠତାଠୁ ଯଥେଷ୍ଟ ଦୂରରେ ରହିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ସହିତ ଏହାର ମେଣ୍ଟ ଭାଙ୍ଗି ଗଲା। ଝାଡଖଣ୍ଡ ନିର୍ବାଚନ ବେଳକୁ ନାଗରିକ ସଂଶୋଧନ ଆଇନକୁ ଖୋଦ ପ୍ରଧାନମନ୍ତ୍ରୀ ଏକ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବା ସତ୍ତ୍ୱେ, ଏଠାରେ ବିଜେପିର ଶୋଚନୀୟ ପରାଜୟ ଘଟିଲା। ବିଜେପି ସଭାପତି ଭାବେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସବୁ ନିର୍ବାଚନରେ ବିଜେପିର ପରାଜୟ ପାଇଁ ନୈତିକ ଉତ୍ତର ଦାୟିତ୍ଵ ନେଇଥିଲେ କି? କଂଗ୍ରେସର ପରାଜୟରେ ରାହୁଲ ଗାନ୍ଧୀଙ୍କୁ ଗୁଡେଇ ତୁଡେଇ ଅପଦସ୍ତ କରୁଥିବା ଆମର ଗଣମାଧ୍ୟମ ବିଜେପି ସଭାପତିଙ୍କୁ ଏହି ସବୁ ବିଧାନସଭା ନିର୍ବାଚନ ପରେ ଉତ୍ତରଦାୟୀ କରିଥିଲା କି? ଏ ସବୁ ପ୍ରଶ୍ନ ଆଜିକାଲି ପଚାରିବା ମଧ୍ୟ ସମ୍ଭବ ହେଉନାହିଁ, କାରଣ ଆମ ଜାତୀୟ ଜୀବନରେ ଏବେ ଭକ୍ତିଯୁଗ ଚାଲିଛି ଓ ଭକ୍ତିଯୁଗରେ ପ୍ରଶ୍ନ ପଚାରିବା ଏକପ୍ରକାର ପାପ!

ପୂର୍ବ ତିନୋଟି ବିଧାନସଭା ନିର୍ବାଚନର ଫଳାଫଳ ଯୋଗୁଁ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରକାର ସତର୍କ ଦୂରତାରେ ରଖିଛି। ମୋଦୀଙ୍କ ତୁଳନାରେ ଏଥର ଦିଲ୍ଲୀରେ ବିଜେପିର ଚେହେରା ଭାବରେ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ଲଢାଉଛନ୍ତି। ବେଳେ ବେଳେ ଲାଗୁଛି ବୋଧହୁଏ ଅମିତ ଶାହ ଦିଲ୍ଲୀ ନିର୍ବାଚନ ରେ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବୀ। ଅମିତ ଶାହ ଘରକୁ ଘର ବୁଲି ଦିଲ୍ଲୀର ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ନିର୍ବାଚନର ପରିବେଶକୁ ଦେଖିଲେ ଦିଲ୍ଲୀରେ ଯଦି ବିଜେପି ଜିତେ ତାହେଲେ ତାର ସବୁ ଶ୍ରେୟ ଅମିତ ଶାହଙ୍କ ପାଖକୁ ଯିବ।  ହେଲେ ଏହାର ବିପରୀତରେ ଯଦି ବିଜେପି ଦିଲ୍ଲୀରେ ପରାଜୟ ବରଣ କରେ ତାହେଲେ ଏହାର ନୈତିକ ଦାୟିତ୍ଵ ଅମିତ ଶାହ ନେବେ କି? ଆମର ସ୍ପଷ୍ଟ ମାନେ ଅଛି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପରେ ସେତେବେଳେ ବିଜେପିର ଜାତୀୟ ସଭାପତି ଥିବା ଅମିତ ଶାହ ପଡେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ଦେଖା ଦେଇ ନଥିଲେ। ସମାନ ଭାବରେ ଏହି ନିର୍ବାଚନରେ ବିଜେପିର ଚେହେରା ଭାବରେ ଅମିତ ଶାହ ବିଜେପିର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରହିବା ଉଚିତ।

ଦିଲ୍ଲୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ କାମ କୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ନିଜର ପୁରୁଣା ହିନ୍ଦୁ-ମୁସଲମାନ ବିଭାଜନକାରୀ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛି। ଅମିତ ଶାହାଙ୍କ ନେତୃତ୍ବରେ ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଦିଲ୍ଲୀରେ ସବୁଠୁ ହିଂସ୍ର ଓ ବିଭାଜନାକାରୀ ଭାଷଣ ଦେଉଛନ୍ତି। ନିର୍ବାଚନ କମିଶନ ଇତି ମଧ୍ୟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ପ୍ରଜେଶ ସିଂ ବର୍ମାଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ ଦେଇଛନ୍ତି। ନିର୍ବାଚନ କମିଶନଙ୍କ କାର୍ଯାନୁଷ୍ଠାନ ପରେ ମନ୍ତ୍ରୀ ଭାବରେ ରହିବାର ଅଧିକାର ଅନୁରାଗ ଠାକୁରଙ୍କର ରହିଛି କି? ବିଜେପି ତରଫରୁ ନାଗରିକ ସଂଶୋଧନ ଆଇନ ବିରୋଧରେ ଶାହିନ ବାଗଠାରେ ଚାଲିଥିବା ପ୍ରଭାବଶାଳୀ ଆନ୍ଦୋଳନ ବିରୋଧରେ ନିରନ୍ତର ବିଷୋଦ୍ଗାର କରାଯାଉଛି। ଏହି ପ୍ରସଙ୍ଗକୁ ବିଜେପି ନିଜର ମୁଖ୍ୟ ଆଧାର କରିଥିବା ବେଳେ କେଜ୍ରିୱାଲ ବିଜେପି ଜାଲରେ ଧାରା ଦେଉନାହାନ୍ତି। ସେ ସିଧାସଳଖ ଦିଲ୍ଲୀ ସରକାରର କାମକୁ ନେଇ ଭୋଟ ମାଗୁଛନ୍ତି। “ଯଦି ମୁଁ କାମ କରି ନାହିଁ ତାହେଲେ ମୋତେ ଭୋଟ ଦିଅନ୍ତୁ ନାହିଁ ବୋଲି କହିବାର ସତସାହସ ତାଙ୍କର ରହିଛି। ବିଜେପି କେଜ୍ରିୱାଲଙ୍କ ବିକଳ୍ପ ତିଆରି କରିବା ପରିବର୍ତ୍ତେ କେବଳ ହିନ୍ଦୁ-ମୁସଲମାନ ଓ ପାକିସ୍ତାନ ନାମରେ ଭୋଟ ମାଗିବାକୁ ଚାହୁଁଛି।

ଆସନ୍ତା ୧୦ ଦିନ ଭିତରେ ବିଜେପି ନିଜର ବିଭାଜନକାରୀ ପ୍ରସଙ୍ଗକୁ ଅଧିକ ଶାଣିତ କରିବ। ହେଲେ ଆମ ଆଦମି ପାର୍ଟି ଏଥର ବିଜେପିର କୌଣସି ପ୍ରସଙ୍ଗକୁ ଗୁରୁତ୍ଵ ନଦେବାର ଏକ ସୁଚିନ୍ତିତ ରଣନୀତି ତିଆରି କରିଛି। ଶାହିନ ବାଗକୁ ନେଇ ଅମିତ ଶାହ କେଜ୍ରିୱାଲଙ୍କୁ ଯେତିକି ଟାଣିବାକୁ ଚେଷ୍ଟା କରୁଛନ୍ତି, ଏହା ଅମିତ ଶାହାଙ୍କ ବିଫଳତା ବୋଲି କେଜ୍ରିୱାଲ କହି ଚାଲିଛନ୍ତି।

ନିର୍ବାଚନ ଫଳ ଆସନ୍ତା ଫେବ୍ରୁଆରି ୧୧ରେ ପ୍ରକାଶ ପାଇବା ପରେ ବିଜେପି ଜିତିଳେ ଶାହଙ୍କ ମୁଣ୍ଡରେ ଫୁଲ ବର୍ଷା ହେବ ନିଶ୍ଚୟ, ହେଲେ ବିଜେପି ହାରିଲେ ଏହାର ଉତ୍ତରଦାୟିତ୍ଵ ଶାହ ନେବେ ତ!!

amitsaha aravindkejeriwal delhiassemblyelection
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.