ସଂସ୍କୃତି ମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିରୋଧୀ ଅସନ୍ତୁଷ୍ଟ

Published: Feb 19, 2020, 2:49 pm IST

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ସଂସ୍କୃତି ମନ୍ତ୍ରୀ ବକ୍ତବ୍ୟକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଭ୍ୟମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ମନ୍ତ୍ରୀଙ୍କ ବକ୍ତବ୍ୟରେ ସେମାନଙ୍କ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ନାହିଁ । କେଉଁ କାରଣରୁ ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଲାଗି ରାଜ୍ୟ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇଛି ବୋଲି ଗତକାଲି ସେମାନେ ଜାଣିବାକୁ ଚାହିଁଥିଲେ। ତଦନୁସାରେ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ବକ୍ତବ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସେଥିନେଇ ଗୃହରେ ବକ୍ତବ୍ୟ ରଖିଥିଲେ ସୁଦ୍ଧା କେଉଁ କାରଣରୁ ରାଜ୍ୟ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇଛି, ତାହା ଜଣାଇନାହାନ୍ତି।

ଶୂନ୍ୟକାଳରେ ସଂସ୍କୃତି ମନ୍ତ୍ରୀଙ୍କ ବକ୍ତବ୍ୟ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଥିନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବାଚସ୍ପତି ଶୀ ପାତ୍ର ଦର୍ଶାଇଥିଲେ ଯେ, ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଗୃହରେ ତତ୍‌କ୍ଷଣାତ୍‌ କୌଣସି ବିତର୍କ ହୋଇପାରିବ ନାହିଁ ବୋଲି ବିଧାନସଭାର ନିମୟ ଅଛି। ତେଣୁ ମାନ୍ୟବର ସଭ୍ୟ ଚାହିଁଲେ ଅନ୍ୟ କୌଣସି ପ୍ରକାରରେ ସେ ସମ୍ପର୍କରେ ଆଲୋଚନା କରିପାରିବେ । ବାଚସ୍ପତିଙ୍କର ଏହି ମନ୍ତବ୍ୟ ପରେ ସେଥିନେଇ କିଛି ସମୟ ଲାଗି ଉପୁଜିଥିବା ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଘଟିଥିଲା।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ଉଲ୍ଲେଖ କରିଥିଲେ ଯେ, ଗତ ତିନି ବର୍ଷ ଭିତରେ ଶାସ୍ତ୍ରୀୟ ମାନ୍ୟତା ହାସଲ କରିଥିବା ଛଅଟି ଭାରତୀୟ ଭାଷା ସଂସ୍କୃତିର ବିକାଶ ଲାଗି କେନ୍ଦ୍ର ସରକାର ବିପୁଳ ପରିମାଣ ଅର୍ଥ ଅନୁଦାନ  ଆକାରରେ ଦେଇଛନ୍ତି। ସେଥିମଧ୍ୟରୁ ସଂସ୍କୃତ ଭାଷା ସିଂହଭାଗ ପାଇଥିବାବେଳେ ଅନ୍ୟ ଭାଷାଗୁଡ଼ିକ ମାତ୍ର 22 ଭାଗ ଅର୍ଥ ହାସଲ କରିଛନ୍ତି । ତେବେ ଓଡ଼ିଆ ଭାଷା ଏଥିନେଇ ଆବେଦନ କରିଥିଲା କି ନାହିଁ  କିମ୍ବା ଅନ୍ୟ କୌଣସି କାରଣ ପାଇଁ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇଛି, ତାହା ସେ ଜାଣିବାକୁ ଚାହିଁଥିଲେ।

Related posts