Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରଙ୍କର ବିଚିତ୍ର ଭାଷା ପ୍ରେମ; ସଂସ୍କୃତ ପାଇଁ ୬୪୩ କୋଟି, ଓଡିଆ ପାଇଁ ଶୂନ
ବିଶେଷ ଖବର

ମୋଦୀ ସରକାରଙ୍କର ବିଚିତ୍ର ଭାଷା ପ୍ରେମ; ସଂସ୍କୃତ ପାଇଁ ୬୪୩ କୋଟି, ଓଡିଆ ପାଇଁ ଶୂନ

February 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜିକୁ ଠିକ ଛଅ ବର୍ଷ ତଳେ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଧାରିତ ନିୟମ ଅନୁସାରେ ଯେଉଁ ଭାଷାରେ ୧୫୦୦-୨୦୦୦ ବର୍ଷର ଲିଖିତ ସାହିତ୍ୟ ରହିଥିବ, ସେ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବ। ସେହି ମାନ୍ୟତାରେ ଭାରତର ୬ ଟି ଭାଷା ଆଜି ପର୍ୟନ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଂସ୍କୃତ, ତାମିଲ, ମାଲାୟାଲାମ, କନ୍ନଡ, ତେଲୁଗୁ ଏବଂ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛନ୍ତି। ଏହି ସବୁ ଭାଷାର ସଂରକ୍ଷଣ, ଗବେଷଣା ଓ ଗବେଷଣା ଲାଗି ଭାରତ ସରକାର ଅତିକମରେ ବର୍ଷକୁ ପାଞ୍ଚ କୋଟି ଟଙ୍କା ଦେବାକଥା। ଏହା ସହିତ ସମ୍ପୃକ୍ତ ଭାଷାର ବିକାଶ ଲାଗି ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ ଏକ୍ସସେଲେନ୍ସ ଗଠନ କରିବାର ଦାୟିତ୍ଵ ମଧ୍ୟ କେନ୍ଦ୍ର ସରକାରଙ୍କର। ତେବେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ୬ ବର୍ଷ ପରେ ମଧ୍ୟ ଆମକୁ ଟଙ୍କାଟିଏ ମିଳିନାହିଁ। ଏହାର କାରଣ କଣ? ଓଡିଆ ଭାଷା ପ୍ରତି କେନ୍ଦ୍ର ସରକାରଙ୍କର ଏ ମନୋଭାବ ବିରୋଧରେ ଆଜି ପର୍ୟନ୍ତ ଆମର ପାଟି ଫିଟୁ ନାହିଁ କାହିଁକି?

ଏ ପ୍ରସଙ୍ଗରେ ପ୍ରଥମ ଚର୍ଚ୍ଚା ଉଠିଥିଲା ଲୋକସଭାରେ। ତେବେ ଏ ଚର୍ଚ୍ଚା କୌଣସି ଓଡିଆ ସାଂସଦ କରିନଥିଲେ। ପ୍ରଶ୍ନ ଉଠାଇଥିଲେ ମହାରାଷ୍ଟ୍ରର ସାଂସଦମାନେ। ମରାଠୀ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଏବେ ଦାବି ଉଠୁଛି। ସେହି କ୍ରମରେ ମହାରାଷ୍ଟ୍ରର କେତେଜଣ ସାଂସଦ ଜାଣିବାକୁ ଚାହିଁଥିଲେ ଯେ ଶାସ୍ତ୍ରୀୟ ଭାଷାର ବିକାଶ ଲାଗି କେନ୍ଦ୍ର ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ଲୋକସଭାରେ ଯେଉଁ ଉତ୍ତର ଆସିଲା, ତାହା ବାସ୍ତବରେ ଚିନ୍ତାର ବିଷୟ। ସଂସ୍କୃତ ଭାଷା ଲାଗି କେନ୍ଦ୍ର ସରକାର ଗତ ପାଞ୍ଚ ବର୍ଷରେ ୬୪୩.୮୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ତାମିଲ ପାଇଁ ୨୩ କୋଟି, କନ୍ନଡ ଓ ତେଲୁଗୁ ପାଇଁ ୩ କୋଟି ଟଙ୍କା ଦେଇଛନ୍ତି। ଅନ୍ୟ ଦୁଇ ଶାସ୍ତ୍ରୀୟ ମର୍ୟାଦା ପାଇଥିବା ଭାଷା-ମାଲାୟାଲାମ ଓ ଓଡିଆ ପାଇଁ ସରକାର ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି।

ଏହି ତଥ୍ୟ ଜଣା ପଡିବା ପରେ ଗତ ମଙ୍ଗଳବାର ଦିନ ଓଡିଶା ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠିଥିଲା। ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ଠୋସ ତଥ୍ୟ ଦେଇ ନାହାନ୍ତି। ତେବେ କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ଗୋଟିଏ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କି କି ପଦକ୍ଷେପ ନିଆଯିବ ତାର ଏକ ସ୍ଵତନ୍ତ୍ର ନିୟାମକ ରହିଛି। ସଂସ୍କୃତ ପାଇଁ କେନ୍ଦ୍ର ସରକାରଙ୍କର ରାଜକୋଷ ମୁକୁଳା ପଡିଥିବା ବେଳେ ଅନ୍ୟ ଭାରତୀୟ ଭାଷା ଗୁଡିକ ପ୍ରତି ଏ ପ୍ରକାର ବୈମାତୃକ ମନୋଭାବ କାହିଁକି? ସଂସ୍କୃତ କେବଳ ଆଜି ଏକ ପ୍ରାଚୀନ ଭାଷା। ଏହା ଜୀବନ୍ତ ଭାଷା ହୋଇ ରହିନାହିଁ। ସଂସ୍କୃତ ବ୍ୟତୀତ ଅନ୍ୟ ପାଞ୍ଚୋଟି ଭାଷାର ସମକାଳୀନ ପ୍ରୟୋଗ ରହିଛି। ଏମାନେ ସମସ୍ତେ ଜୀବନ୍ତ ଓ ସକ୍ରିୟ ଭାଷା। ଦୈନନ୍ଦିନ ଜୀବନରେ କୋଟି କୋଟି ଲୋକ ଏହି ସବୁ ଭାଷାର ବ୍ୟବହାର କରୁଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଏହି ସବୁ ଭାଷାରେ ଜ୍ଞାନ, ବିଜ୍ଞାନ ଏବଂ ସର୍ଜନର ପ୍ରୟୋଗ ହେଉଛି। ତେଣୁ ସଂସ୍କୃତ ତୁଳନାରେ ଏହି ସବୁ ଭାଷା ପାଇଁ ସମ୍ବଳର ଆବଶ୍ୟକତା ବେଶୀ।

କେଉଁ କାରଣରୁ କେବଳ ସଂସ୍କୃତକୁ ଗୁରୁତ୍ଵ ଦେଇ ଅନ୍ୟ ଭାଷାସବୁକୁ ହତାଦର କରାଯାଉଛି, ତାର ଉତ୍ତର କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ। ଭାଷା ଏକ ସଂବେଦନଶୀଳ ପ୍ରସଙ୍ଗ। ଏହା ଦେଶର ଏକତା ପାଇଁ ମଧ୍ୟ ଏକ ବଡ ସୂତ୍ର। ସବୁ ଭାଷା ପ୍ରତି ସମାନ ମନୋଭାବ ପୋଷଣ କରିବା କେନ୍ଦ୍ର ସରକାରଙ୍କର ଦାୟିତ୍ଵ। ତାହା ନକରି କେବଳ ସଂସ୍କୃତକୁ ପ୍ରୋତ୍ସାହିତ କରିବା, ଆଦୌ ଗ୍ରହଣୀୟ ନୁହେଁ। ସଂସ୍କୃତ ପାଇଁ କେବଳ କେନ୍ଦ୍ର ସରକାର ନୁହନ୍ତି, ଏଥିଲାଗି ବହୁ ଧାର୍ମିକ ସଂଗଠନ ମଧ୍ୟ କାମ କରୁଛନ୍ତି। ତଥାପି ଏହା କେବଳ କର୍ମକାଣ୍ଡ ଓ ଐତିହ୍ୟର ଭାଷା ହୋଇ ରହିଯାଇଛି।

ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇବାର ୬ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ଟଙ୍କାଟିଏ ନ ଦେବାର କାରଣ କଣ? ଏ ସମ୍ପର୍କରେ ଓଡିଶା ସରକାର କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇ ନାହାନ୍ତି କି? କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ସରକାର ନିଜେ ହିଁ ଏଥିପାଇଁ ଉତ୍କର୍ଷ କେନ୍ଦ୍ର ନିର୍ମାଣ କରିବେ। ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ମଧ୍ୟ ଏହି ସମାନ ନିୟମ ରହିଛି। ତେବେ ବିଡମ୍ବନାର କଥା ହେଉଛି ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ଏବଂ ଶାସ୍ତ୍ରୀୟ ଭାଷା ଓଡିଆ, ଉଭୟ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଅନୁଷ୍ଠାନ ନାହିଁ। ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ୬ ବର୍ଷ ହୋଇଥିବା ବେଳେ ଓଡିଶୀ ନୃତ୍ୟ ୬୦ ବର୍ଷ ତଳୁ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି। ତା ସତ୍ତ୍ୱେ କେନ୍ଦ୍ର ସରକାର ଓଡିଶା ପାଇଁ ଟଙ୍କାଟିଏ ଖର୍ଚ୍ଚ ନ କରିବାର କାରଣ କଣ? ଓଡିଶାର ସ୍ଵାର୍ଥ ପାଇଁ ବିଜେପି ସହିତ ତଥାକଥିତ ମିତ୍ରତା ସ୍ଥାପନା କରିଥିବା ଓଡିଶାର ବିଜେଡି ସରକାର ଏ ପ୍ରସଙ୍ଗରେ ନୀରବ କାହିଁକି?

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.